ବାତ୍ୟା ଆଶଙ୍କା: ଖୋର୍ଦ୍ଧା ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ; ଛୁଟିରେ ଥିବା କର୍ମଚାରୀ ତୁରନ୍ତ କାର୍ଯ୍ୟରେ ଯୋଗଦେବେ

ଦିଲ୍ଲୀପ କୁମାର ପଟ୍ଟନାୟକ

Advertisement

ଖୋର୍ଦ୍ଧା, ଅକ୍ଟୋବର ୨୫: ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏଥିସହ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀଙ୍କୁ ନିଜ ନିଜ ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ କୌଣସି ଅଧିକାରୀ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମତି ବିନା ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ।

ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ପକ୍ଷରୁ ଅକ୍ଟୋବର ୨୫ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଅକ୍ଟୋବର ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ପୂର୍ବରୁ ମଞ୍ଜୁର ହୋଇଥିବା ଛୁଟିକୁ ବାତିଲ କରାଯାଇଛି। ଏହି ନିର୍ଦ୍ଦେଶ ତତ୍କାଳ ଲାଗୁ କରାଯାଇଛି।

ଏବେ ଛୁଟିରେ ଥିବା କିମ୍ବା ମୁଖ୍ୟାଳୟ ଛାଡ଼ିବା ପାଇଁ ଅନୁମତି ନେଇଥିବା କର୍ମଚାରୀମାନଙ୍କୁ ତୁରନ୍ତ ନିଜ ନିଜ କାର୍ଯ୍ୟସ୍ଥଳରେ ଯୋଗଦେବାକୁ କୁହାଯାଇଛି। ସମ୍ଭାବ୍ୟ ବାତ୍ୟା ଜନିତ ପରିସ୍ଥିତିରେ ଜରୁରିକାଳୀନ ସେବା ଓ ପ୍ରଶାସନିକ କାର୍ଯ୍ୟକୁ ସ୍ୱାଭାବିକ ରଖିବା ସହ ଯେକୌଣସି ଜରୁରି ପରିସ୍ଥିତିର ତ୍ୱରିତ ମୁକାବିଲା ଲାଗି ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି।

ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ପାଣିପାଗ ପ୍ରଣାଳୀ ଉପରେ ନଜର ରଖାଯାଇଥିବାବେଳେ ବିଭିନ୍ନ ସରକାରୀ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି। ବିପର୍ଯ୍ୟୟ ସମୟରେ ଉଦ୍ଧାର, ରିଲିଫ୍‌ ବଣ୍ଟନ ଓ ଅନ୍ୟାନ୍ୟ ଜରୁରି ସେବାର ସମନ୍ୱୟ ରକ୍ଷା କରିବା ପାଇଁ ଅଧିକାରୀମାନଙ୍କ ମୁଖ୍ୟାଳୟରେ ଉପସ୍ଥିତିକୁ ଗୁରୁତ୍ୱ ଦିଆଯାଇଛି।

ଏ ସଂକ୍ରାନ୍ତରେ ଜାରି ନିର୍ଦ୍ଦେଶନାମାର ସ୍ମାରକ ସଂଖ୍ୟା ୨୦୬୪୬/ଇମର୍‌ ଏବଂ ତାରିଖ ୨୫ ଅକ୍ଟୋବର ୨୦୨୬ ରହିଛି। ଏହାକୁ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମ୍‌ଏ)ର ଅଧ୍ୟକ୍ଷ ଜାରି କରିଛନ୍ତି।

ଏହି ନିର୍ଦ୍ଦେଶନାମାର ନକଲ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଉପଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ଲକ୍‌ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ନିର୍ବାହୀ ଅଧିକାରୀଙ୍କ ନିକଟକୁ ଆବଶ୍ୟକୀୟ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଯାଇଛି।

ତେବେ, ବର୍ତ୍ତମାନ ସୁଦ୍ଧା ବାତ୍ୟା ସ୍ଥଳଭାଗ ଛୁଇଁବା କିମ୍ବା ବାତ୍ୟା ଗଠନ ହେବା ସମ୍ପର୍କରେ ନିଶ୍ଚିତ ସୂଚନା ନଥିବାରୁ ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ପାଣିପାଗ ଜନିତ ବିପଦକୁ ଦୃଷ୍ଟିରେ ରଖି ଏହି ଆଗୁଆ ପ୍ରସ୍ତୁତି କରାଯାଇଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *