ସମୃଦ୍ଧ ଭାଷା, ସମୃଦ୍ଧ ଓଡ଼ିଶା ଓ ଓଡ଼ିଆ ଅସ୍ମିତାର ବାର୍ତ୍ତା ବାଣ୍ଟିଲା ସୁରଭି

ଜିଲ୍ଲାସ୍ତରୀୟ ‘ସୁରଭି-୨୦୨୬’ ଉତ୍ସବ ପାଳିତ

ଖୋର୍ଦ୍ଧା, ୭/୧୧: ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ଓ ମାତୃଭାଷା ଓଡ଼ିଆର ପ୍ରଚାର ପ୍ରସାର ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ‘ସୁରଭି-୨୦୨୬’ ଉତ୍ସବ ସ୍ଥାନୀୟ ବକ୍ସି ଜଗବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ‘ସମୃଦ୍ଧ ଭାଷା, ସମୃଦ୍ଧ ଓଡ଼ିଶା’ ଓ ଓଡ଼ିଆ ଅସ୍ମିତାର ବାର୍ତ୍ତାକୁ ନେଇ ଆୟୋଜିତ ଏହି ଉତ୍ସବର ପ୍ରଥମ ଅଧିବେଶନ ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ ଋତୁରାଜ ଯୋଗଦେଇ ଛାତ୍ରଛାତ୍ରୀମାନେ ନିଜସ୍ୱ ଜ୍ଞାନ, ଚିନ୍ତନ ଓ ସୃଜନଶୀଳତାକୁ ଗୁରୁତ୍ୱ ଦେଇ ଆଗକୁ ବଢ଼ିବାକୁ ଆହ୍ୱାନ ଦେଇଥିଲେ। ମୁଖ୍ୟବକ୍ତା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ସ୍ୱ-ଶିକ୍ଷଣ ଓ ଶିକ୍ଷକମାନଙ୍କ ଆଦର୍ଶ ଅନୁସରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଡିଆଇଇଟି ଅଧ୍ୟକ୍ଷ ଡ. ତାପସ କୁମାର ନାୟକ ମାତୃଭାଷାରେ ଦକ୍ଷତା ହିଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ ବୋଲି ମତ ଦେଇଥିଲେ।


ଏହି ଅବସରରେ ଅଭିନେତା ଉଦିତ ଗୁରୁ ଓ କଣ୍ଠଶିଳ୍ପୀ ଅନୁରାଗ ଦାସଙ୍କ କଳା ପ୍ରଦର୍ଶନ ଶିଶୁମାନଙ୍କୁ ଉତ୍ସାହିତ କରିଥିଲା। ଚତୁର୍ଥରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ବକ୍ତୃତା, ରଚନା, କୁଇଜ୍‌, ଚିତ୍ରାଙ୍କନ, ବିତର୍କ, ସୃଜନଶୀଳ ଲିଖନ, ହସ୍ତାକ୍ଷର, ପୋଷଣ କଳା ଓ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯିବା ସହ ବିଭିନ୍ନ ବିଭାଗର ପ୍ରଥମ ସ୍ଥାନ ଅଧିକାରୀଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଥିଲା।

Advertisement


ଦ୍ୱିତୀୟ ଅଧିବେଶନରେ ହାସ୍ୟ ଅଭିନେତା ପ୍ରଜ୍ଞା ଓ ଶଙ୍କରଙ୍କ ହାସ୍ୟ ଅଭିନୟ ଶିଶୁମାନଙ୍କ ମଧ୍ୟରେ ଆନନ୍ଦ ଭରିଦେଇଥିଲା। ଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଶାର ବୀରତ୍ୱ ଗାଥାକୁ ନେଇ ସଙ୍ଗୀତ ପରିବେଷଣ ମଧ୍ୟ ଆକର୍ଷଣର କେନ୍ଦ୍ର ପାଲଟିଥିଲା।


ଦ୍ୱିତୀୟ ଅଧିବେଶନର ମୁଖ୍ୟ ଅତିଥି ବେଗୁନିଆ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ ‘ସୁରଭି’କୁ କସ୍ତୁରୀ ସହ ତୁଳନା କରି ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ଅନ୍ୱେଷଣ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ମୁଖ୍ୟବକ୍ତା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂହ ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ ପାଇଁ ପ୍ରେରଣା ଦେଇଥିଲେ। ଉପାଧ୍ୟକ୍ଷ ଗୋପୀନାଥ ମହାରଣା ନିଜ ସ୍ୱପ୍ନ ସହ ପିତାମାତାଙ୍କ ସ୍ୱପ୍ନକୁ ସାକାର କରିବାକୁ ଆହ୍ୱାନ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ କୁମାର ବେଉରା ମଧ୍ୟ ଉତ୍ସବରେ ଯୋଗଦେଇ ଶିଶୁ ପ୍ରତିଭାଙ୍କୁ ଉତ୍ସାହିତ କରିଥିଲେ।


ଅତିଥି ଭାବେ ବିଜେବି ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପ୍ରିୟଦର୍ଶିନୀ ପଣ୍ଡା ଯୋଗଦେଇଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଜ୍ଞାପରମିତା ଜେନା, ରଶ୍ମୀବାଳା ପରିଡ଼ା ଓ ବିଜୟ ବେହେରାଙ୍କ ସମେତ ବହୁ ଶିକ୍ଷା ଅଧିକାରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।


କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ଜିଲ୍ଲାର ସମସ୍ତ ବିଇଓ, ଖୋର୍ଦ୍ଧା ବ୍ଲକର ଏବିଇଓ ଓ ବିଆରସିସି, ଡିଇଓ ଓ ଡିପିସି କାର୍ଯ୍ୟାଳୟର କର୍ମଚାରୀ, ବିଭିନ୍ନ ବ୍ଲକର ସିଆରସିସି ଓ ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ରେବତୀ ପଣ୍ଡା, ଗୀତାଞ୍ଜଳି ସାହୁ ଓ ଶ୍ରୀକାନ୍ତ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଏସ୍‌ସି ଓ ଏସ୍‌ଟି ସଂଯୋଜିକା ସୁନିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *