ଶିକ୍ଷକତା କେବଳ ବୃତ୍ତି ନୁହେଁ, ମାନବ ଜୀବନ ଗଠନର ମହାନ ଦାୟିତ୍ୱ : ମେଜର ମହାନ୍ତି
ଖୋର୍ଦ୍ଧା, ୭।୧୧:- ଜଣେ ଶିକ୍ଷକ କେବଳ ପାଠ୍ୟପୁସ୍ତକର ଜ୍ଞାନ ପ୍ରଦାନ କରୁଥିବା ବ୍ୟକ୍ତି ନୁହନ୍ତି, ସେ ହେଉଛନ୍ତି ଏକ ସୁସ୍ଥ, ଶୃଙ୍ଖଳିତ ଓ ମୂଲ୍ୟବୋଧସମ୍ପନ୍ନ ସମାଜ ଗଠନର ମୁଖ୍ୟ ବିନ୍ଧାଣି। ତାଙ୍କ ହାତରେ ଭବିଷ୍ୟତ ପିଢ଼ିର ଚରିତ୍ର ନିର୍ମାଣ ସହ ଦେଶର ଭବିଷ୍ୟତ ଗଠନର ଗୁରୁଦାୟିତ୍ୱ ନ୍ୟସ୍ତ ରହିଥାଏ। ଶିକ୍ଷକତା ବୃତ୍ତିର ଏହି ମହତ୍ତ୍ୱ, ଗରିମା ଓ ଦାୟିତ୍ୱବୋଧକୁ ନେଇ ନବାଗତ ଭାବୀ ଶିକ୍ଷକମାନଙ୍କ ମଧ୍ୟରେ ନୂତନ ଚେତନା ଓ ପ୍ରେରଣା ସୃଷ୍ଟି କରିବା ଲକ୍ଷ୍ୟରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ (ଡିଆ.ଇ.ଇଟି) ପକ୍ଷରୁ ଆୟୋଜିତ ସପ୍ତାହବ୍ୟାପୀ ଅଭିମୁଖୀକରଣ କାର୍ଯ୍ୟକ୍ରମ ‘ଦୀକ୍ଷାରମ୍ଭ’ ନଭେମ୍ବର ୭ ତାରିଖରେ ଏକ ଭାବଗମ୍ଭୀର ପରିବେଶରେ ଉଦଯାପିତ ହୋଇଯାଇଛି।

ନବାଗତ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ (ଡି.ଏଲ୍.ଏଡ୍.) ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମ କେବଳ ଏକ ଔପଚାରିକ ପରିଚୟ ପର୍ବ ନଥିଲା; ବରଂ ଶିକ୍ଷକତା ଭଳି ଏକ ମହାନ ବୃତ୍ତିରେ ପ୍ରବେଶ କରିବାକୁ ଯାଉଥିବା ଯୁବପିଢ଼ିଙ୍କୁ ଏହାର ଆଦର୍ଶ, ନୈତିକତା, କର୍ତ୍ତବ୍ୟ ଓ ସାମାଜିକ ଦାୟିତ୍ୱ ସମ୍ପର୍କରେ ଅବଗତ କରାଇବାର ଏକ ଅଭିନବ ପ୍ରୟାସ ଥିଲା। ସପ୍ତାହବ୍ୟାପୀ ବିଭିନ୍ନ ଶିକ୍ଷଣୀୟ ଅଧିବେଶନ, ଆଲୋଚନା, ଅନୁଭୂତି ବିନିମୟ ଓ ମୂଲ୍ୟବୋଧଭିତ୍ତିକ କାର୍ଯ୍ୟକ୍ରମ ମାଧ୍ୟମରେ ଭାବୀ ଶିକ୍ଷକମାନଙ୍କୁ ଏକ ନୂତନ ବୃତ୍ତିଗତ ଯାତ୍ରା ପାଇଁ ପ୍ରସ୍ତୁତ କରାଯାଇଥିଲା।
ଉଦଯାପନୀ ସମାରୋହରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ନିଜ ଅଭିଭାଷଣରେ ସେ ଡିଆଇଇଟି ଖୋର୍ଦ୍ଧାର ଗୌରବମୟ ଐତିହ୍ୟ, ଶିକ୍ଷା କ୍ଷେତ୍ରରେ ଏହାର ସୁନାମ ଓ ଏକ ସ୍ୱତନ୍ତ୍ର ଅନୁଷ୍ଠାନିକ ପରିଚୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅନୁଷ୍ଠାନର ଗୌରବମୟ ପରମ୍ପରାକୁ ବଜାୟ ରଖିବା ସହ ଏହାର ମର୍ଯ୍ୟାଦାକୁ ଆହୁରି ସମୃଦ୍ଧ କରିବା ଦିଗରେ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ସମ୍ମିଳିତ ଭାବେ ନିଷ୍ଠା, ସଚ୍ଚୋଟତା ଓ ଦାୟିତ୍ୱବୋଧର ସହ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।
ଏକ ଶିକ୍ଷାନୁଷ୍ଠାନର ପରିଚୟ କେବଳ ତାହାର ଭିତ୍ତିଭୂମି କିମ୍ବା ଶିକ୍ଷାଦାନ ପଦ୍ଧତିରେ ସୀମିତ ନୁହେଁ, ବରଂ ସେଠାରୁ ବାହାରୁଥିବା ଶିକ୍ଷକମାନଙ୍କ ଗୁଣବତ୍ତା, ଆଚରଣ ଓ ସମାଜ ପ୍ରତି ଅବଦାନରେ ଏହାର ପ୍ରକୃତ ପରିଚୟ ପ୍ରତିଫଳିତ ହୋଇଥାଏ। ତେଣୁ ଛାତ୍ର ଛାତ୍ରୀ ମାନେ ନିଜକୁ କେବଳ ଚାକିରୀ ଜୀବନ ରେ ସିମୀତ ନରଖି ଏକ ବୃହତ୍ତର ସାମାଜିକ ପରିବର୍ତ୍ତନର ଅଂଶୀଦାର ଭାବେ ଗଢ଼ି ତୋଳିବା ଉଚିତ ବୋଲି ସମାରୋହରେ ଗୁରୁତ୍ୱାରୋପ କରାଯାଇଥିଲା।
ଉଦ୍ଯାପନୀ ଦିବସରେ ଶିକ୍ଷାଭିତ୍ତିକ ଚଳଚ୍ଚିତ୍ର ପ୍ରଦର୍ଶନ ଏହି କାର୍ଯ୍ୟକ୍ରମର ଏକ ଆକର୍ଷଣୀୟ ଅଂଶ ଥିଲା। ଚଳଚ୍ଚିତ୍ରରେ ନିହିତ ଶିକ୍ଷଣୀୟ ବାର୍ତ୍ତା, ଜୀବନ ମୂଲ୍ୟବୋଧ ଓ ଶିକ୍ଷା କ୍ଷେତ୍ରରେ ଏହାର ପ୍ରାସଙ୍ଗିକତାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ମାଧ୍ୟମରେ ଶିକ୍ଷା କେବଳ ତଥ୍ୟ ଓ ଜ୍ଞାନ ଆହରଣର ମାଧ୍ୟମ ନୁହେଁ, ବରଂ ମଣିଷ ମଧ୍ୟରେ ବିଚାରଶକ୍ତି, ମାନବିକତା ଓ ସୃଜନଶୀଳତାର ବିକାଶ କରିବାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ଆଲୋଚନା ହୋଇଥିଲା।
ଏହି ଅବସରରେ ଅରବିନ୍ଦ ଏଜୁକେସନ ଟ୍ରଷ୍ଟର ରମାକାନ୍ତ ସାହୁ ଯୋଗଦେଇ ଶିକ୍ଷକତା ବୃତ୍ତିର ମହାନତା ଓ ମାନବ ଜୀବନ ଗଠନରେ ଶିକ୍ଷକଙ୍କ ଭୂମିକା ସମ୍ପର୍କରେ ନିଜର ମତ ରଖିଥିଲେ। ଶିକ୍ଷକଙ୍କ କାର୍ଯ୍ୟ କେବଳ ଶ୍ରେଣୀଗୃହରେ ପାଠ ପଢ଼ାଇବା କିମ୍ବା ପାଠ୍ୟକ୍ରମ ସମାପ୍ତ କରିବାରେ ସୀମିତ ନୁହେଁ। ଜଣେ ଶିକ୍ଷକ ନିଜର ଆଚରଣ, ଚିନ୍ତାଧାରା, ମୂଲ୍ୟବୋଧ ଓ ଜୀବନଶୈଳୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଉପରେ ଗଭୀର ପ୍ରଭାବ ପକାଇଥାନ୍ତି। ତେଣୁ ଜଣେ ଆଦର୍ଶ ଶିକ୍ଷକ ହେବା ପାଇଁ ଜ୍ଞାନ ସହିତ କରୁଣା, ସହାନୁଭୂତି, ସତ୍ୟନିଷ୍ଠା, ଧୈର୍ଯ୍ୟ ଓ ମାନବିକତା ଭଳି ଗୁଣର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଛାତ୍ରଛାତ୍ରୀଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଦିଗରେ ଜଣେ ଶିକ୍ଷକ ସର୍ବଦା ଯତ୍ନବାନ ହେବା ଉଚିତ ବୋଲି ସେ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମର ସବୁଠାରୁ ଭାବପୂର୍ଣ୍ଣ ଓ ସ୍ମରଣୀୟ ପର୍ବ ଥିଲା ଦୀପ ପ୍ରଜ୍ଜ୍ୱଳନ ଓ ଶପଥ ଗ୍ରହଣ ସମାରୋହ। ଜ୍ଞାନ, ବିବେକ, ଆଲୋକ ଓ ଆତ୍ମଶକ୍ତିର ପ୍ରତୀକ ଭାବେ ପ୍ରତ୍ୟେକ ଛାତ୍ରଶିକ୍ଷକ ଓ ଛାତ୍ରୀଶିକ୍ଷୟିତ୍ରୀ ଗୋଟିଏ ଗୋଟିଏ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଦୀପର ଆଲୋକ ମଧ୍ୟରେ ନିଜ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାର ସଂକଳ୍ପ ନେବା ସହ ଶିକ୍ଷକତା ବୃତ୍ତିର ଗଭୀର ଅର୍ଥ ଓ ଗୁରୁଦାୟିତ୍ୱକୁ ଅନୁଭବ କରିଥିଲେ।
ଏହାପରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ଛାତ୍ର ଛାତ୍ରୀମାନେ ଶିକ୍ଷକତା ବୃତ୍ତିର ମର୍ଯ୍ୟାଦା ଓ ସମ୍ମାନ ଅକ୍ଷୁଣ୍ଣ ରଖିବା, ନିଜ ଦାୟିତ୍ୱ ପ୍ରତି ସଚ୍ଚୋଟ ଓ ନିଷ୍ଠାବାନ ରହିବା, ଶୃଙ୍ଖଳା ପାଳନ କରିବା ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ। ଡିଆଇଇଟି ଖୋର୍ଦ୍ଧାର ଅଧ୍ୟକ୍ଷ ଡ. ତପସ କୁମାର ନାୟକ ଉପସ୍ଥିତ ଛାତ୍ରଶିକ୍ଷକମାନଙ୍କୁ ଶପଥ ପାଠ କରାଇଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ ଜଣେ ଦକ୍ଷ, ଆଦର୍ଶ ଓ ପ୍ରଭାବଶାଳୀ ଶିକ୍ଷକ ହେବାର ଯାତ୍ରା ନିଜଠାରୁ ଆରମ୍ଭ ହୋଇଥାଏ। ଆତ୍ମଶୃଙ୍ଖଳା, ଦୃଢ଼ ସଂକଳ୍ପ, ନିରନ୍ତର ଅଧ୍ୟୟନ ଓ କର୍ତ୍ତବ୍ୟ ପ୍ରତି ଅବିଚଳ ନିଷ୍ଠା ହିଁ ଜଣେ ଶିକ୍ଷକଙ୍କୁ ପ୍ରକୃତ ଅର୍ଥରେ ଆଦର୍ଶ ଶିକ୍ଷକ ଭାବେ ଗଢ଼ି ତୋଳିଥାଏ।
ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନେ ନିଜ ନିଜର ଅନୁଭୂତି, ମତାମତ ଓ ଶିକ୍ଷଣୀୟ ଉପଲବ୍ଧି ବ୍ୟକ୍ତ କରିଥିଲେ। ବିଭିନ୍ନ ଅଧିବେଶନ, ଆଲୋଚନା ଓ ଅନୁଭୂତି ବିନିମୟ ସେମାନଙ୍କୁ ଶିକ୍ଷକତା ବୃତ୍ତିର ପ୍ରକୃତ ସ୍ୱରୂପ ବୁଝିବାରେ ସହାୟକ ହୋଇଥିବା ସେମାନେ ପ୍ରକାଶ କରିଥିଲେ। ପୂର୍ବରୁ ଶିକ୍ଷକତାକୁ କେବଳ ଏକ ବୃତ୍ତିଗତ ଲକ୍ଷ୍ୟ ଭାବେ ଦେଖୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ସେବା, ସମର୍ପଣ ଓ ସାମାଜିକ ଦାୟିତ୍ୱବୋଧର ନୂତନ ଭାବନା ସୃଷ୍ଟି କରିଥିବା ମତ ପ୍ରକାଶ ପାଇଥିଲା। ଏହା ସେମାନଙ୍କ ଭବିଷ୍ୟତ ଶିକ୍ଷକ ଜୀବନ ପାଇଁ ଏକ ପ୍ରେରଣାଦାୟକ ଅନୁଭୂତି ହୋଇ ରହିବ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ।
ଶେଷରେ ଅନୁଷ୍ଠାନର ଶିକ୍ଷୟିତ୍ରୀ ବୀଣାପାଣି ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉଦ୍ଯାପନୀ ସମାରୋହରେ ଡିଆଇଇଟି ଖୋର୍ଦ୍ଧାର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
‘ଦୀକ୍ଷାରମ୍ଭ’ର ସମାପ୍ତି କେବଳ ଏକ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ଅନ୍ତ ନଥିଲା; ବରଂ ଏହା ଥିଲା ଅନେକ ଯୁବ ମନରେ ଶିକ୍ଷକତାର ମହାନ ଆଦର୍ଶକୁ ଆପଣାଇବାର ଏକ ନୂତନ ଆରମ୍ଭ। ଛାତ୍ରରୁ ଶିକ୍ଷକ, ଜ୍ଞାନ ଆହରଣକାରୀରୁ ଜ୍ଞାନର ଆଲୋକ ବିତରଣକାରୀ ଏବଂ ବ୍ୟକ୍ତିଗତ ସ୍ୱପ୍ନରୁ ସାମାଜିକ ଦାୟିତ୍ୱ ଆଡ଼କୁ ଅଗ୍ରସର ହେବାର ଏହି ଯାତ୍ରାରେ ଭାବୀ ଶିକ୍ଷକମାନେ ନୂତନ ଉତ୍ସାହ ଓ ସଂକଳ୍ପ ସହ ପାଦ ଥାପିଛନ୍ତି। ଶିକ୍ଷାର ଆଲୋକରେ ଆଗାମୀ ପିଢ଼ିର ଜୀବନକୁ ଆଲୋକିତ କରିବାର ଏହି ସଂକଳ୍ପ ହିଁ ‘ଦୀକ୍ଷାରମ୍ଭ’ କାର୍ଯ୍ୟକ୍ରମର ପ୍ରକୃତ ସାର୍ଥକତା ବହନ କରୁଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
