ଖୋର୍ଦ୍ଧା ଜିଲ୍ଲାର ୭୦ଟି ବିଦ୍ୟାଳୟ ସାମିଲ, ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା
ଖୋର୍ଦ୍ଧା, ୬/୧୧: ରାଜ୍ୟରେ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ତୃତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ସମାରୋହ ସ୍ଥାନୀୟ ପଲ୍ଲାସ୍ଥିତ ବରୁଣେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।

ସମାରୋହରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ନିଜ ବକ୍ତବ୍ୟରେ ସେ କହିଥିଲେ ଯେ, ଖୋର୍ଦ୍ଧା ହେଉଛି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜନ୍ମମାଟି। ପ୍ରାଥମିକ ଶିକ୍ଷା ହେଉଛି ମାନବ ସମ୍ବଳ ବିକାଶ ଓ ସୁସ୍ଥ ସମାଜ ଗଠନର ମୂଳଦୁଆ। ତେଣୁ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ଯେତେ ସୁଦୃଢ଼ ହେବ, ସମାଜର ବିକାଶ ସେତେ ତ୍ୱରାନ୍ୱିତ ହେବ। ଏହି ଯୋଜନାରେ କମ୍ପ୍ୟୁଟର ଶିକ୍ଷା, ଡିଜିଟାଲ୍ ଶ୍ରେଣୀଗୃହ, ବିଜ୍ଞାନାଗାର ଓ କ୍ରୀଡ଼ା ଭିତ୍ତିଭୂମିକୁ ଗୁରୁତ୍ୱ ଦିଆଯାଇଥିବାରୁ ସେ ଏହାକୁ ସ୍ୱାଗତ କରିଥିଲେ। ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ ଏହି ଯୋଜନାକୁ ଶିକ୍ଷା କ୍ଷେତ୍ରରେ ଏକ ଅଭିନବ ପଦକ୍ଷେପ ବୋଲି ଅଭିହିତ କରିବା ସହ ଏହା ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ସହାୟକ ହେବ ବୋଲି କହିଥିଲେ। ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଗୋଦାବରୀଶ ମିଶ୍ରଙ୍କ ନାମରେ ଏଭଳି ଶିକ୍ଷା ଯୋଜନା ପ୍ରଣୟନ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ମତ ଦେଇଥିଲେ।

ଅନ୍ୟତମ ଅତିଥି ଭାବେ ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଖୋର୍ଦ୍ଧା ବ୍ଲକ୍ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ ଓ ବିଡିଓ ସିଦ୍ଧାର୍ଥ ପଟ୍ଟନାୟକ ଯୋଗଦେଇ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଶିକ୍ଷା ଜୀବନୀ ଓ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।
ସଭାପତିତ୍ୱ ଅଭିଭାଷଣରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇ କହିଥିଲେ ଯେ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ତୃତୀୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ମୋଟ ୭୦ଟି ବିଦ୍ୟାଳୟ ସାମିଲ ହୋଇଛି। ଏହି ଯୋଜନାରେ ସମଗ୍ର ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଯୋଜନା ପ୍ରାଥମିକ ଶିକ୍ଷାକୁ ବିଶ୍ୱସ୍ତରୀୟ କରିବା ଦିଗରେ ଏକ ମାଇଲଖୁଣ୍ଟ ହେବ। ନୂତନ ଶୈକ୍ଷିକ ପରିବେଶ ଓ ଆଧୁନିକ ଭିତ୍ତିଭୂମିର ସୁଯୋଗ ନେଇ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉନ୍ନତ ଶିକ୍ଷାଦାନ ପ୍ରଣାଳୀ ଆପଣାଇବାକୁ ସେ ପରାମର୍ଶ ଦେଇଥିଲେ।

ପ୍ରାରମ୍ଭରେ ଅତିଥିମାନଙ୍କୁ ଚାରା କୁଣ୍ଡ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରିଣୀ ସୋନମିକା ରାୟ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶ୍ରୀକାନ୍ତ ନାୟକ ମଞ୍ଚ ପରିଚାଳନା କରିଥିଲେ।
ଏହି ଅବସରରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରଜ୍ଞା ପାରମିତା ଜେନା, ରଶ୍ମିବାଳା ସ୍ୱାଇଁ, ବିଜୟ ବେହେରା, ଭାଜପା ରାଜ୍ୟ ସଦସ୍ୟ ନିକୁଞ୍ଜ କିଶୋର ପଟ୍ଟନାୟକ, ବଳରାମ ଲେଙ୍କା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ପ୍ରେସ୍ କ୍ଲବ୍ ସଭାପତି ତପନ କୁମାର ନାୟକଙ୍କ ସମେତ ବହୁ ଜନପ୍ରତିନିଧି, ଶିକ୍ଷାବିତ୍, ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ।

ଅନ୍ୟପକ୍ଷରେ, ରାଜ୍ୟସ୍ତରୀୟ ସମାରୋହ କେନ୍ଦୁଝରଠାରୁ ପ୍ରସାରିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରିମୋଟ୍ ମାଧ୍ୟମରେ ତୃତୀୟ ପର୍ଯ୍ୟାୟ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
