ଗଜପତି ଦିବ୍ୟସିଂହ ଦେବଙ୍କ ସହ ଜଡ଼ିତ ମନ୍ଦିରର ଐତିହ୍ୟ ଓ କିମ୍ବଦନ୍ତୀ ଉପରେ ଚର୍ଚ୍ଚା; ଅବହେଳିତ ମହନ୍ତଙ୍କ ସମାଧିସ୍ଥଳୀର ସଂରକ୍ଷଣ ପାଇଁ ଉଠିଲା ସ୍ୱର
ଦିଲ୍ଲୀପ କୁମାର ପଟ୍ଟନାୟକ
ଖୋର୍ଦ୍ଧା, ୨୫ା୧୦: ଖୋର୍ଦ୍ଧା ଜିଲ୍ଲାର ଐତିହାସିକ ଓ ଧାର୍ମିକ ଐତିହ୍ୟର ଅନ୍ୱେଷଣ ସହ ପ୍ରାଚୀନ କୀର୍ତ୍ତିରାଜିର ସଂରକ୍ଷଣ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ନିଜ ଅଞ୍ଚଳର ଇତିହାସ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଆୟୋଜିତ ତୃତୀୟ ଖୋର୍ଦ୍ଧା ହେରିଟେଜ ୱାକ୍ରେ ଏଥର ଜାଗୁଳିପାଟଣାସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମ ମନ୍ଦିରର ଐତିହାସିକ ପୃଷ୍ଠଭୂମି, ଧାର୍ମିକ ପରମ୍ପରା ଓ ଲୋକକଥା ଉପରେ ଅନୁଧ୍ୟାନ କରାଯାଇଛି। ମନ୍ଦିରର ସ୍ୱତନ୍ତ୍ର ବିଗ୍ରହ, ପୂଜାବିଧି, ରଥଯାତ୍ରା ଓ ଏହା ସହ ଜଡ଼ିତ ବିଭିନ୍ନ କିମ୍ବଦନ୍ତୀ ପଦଯାତ୍ରାର ପ୍ରମୁଖ ଆକର୍ଷଣ ପାଲଟିଥିଲା।

ରବିବାର ସକାଳ ୯ଟାରେ ଚଣ୍ଡୀଚୁଆ ଛକରୁ ଏହି ଐତିହ୍ୟ ଅନ୍ୱେଷଣ ପଦଯାତ୍ରା ଆରମ୍ଭ ହୋଇଥିଲା। ଖୋର୍ଦ୍ଧା ଅଧ୍ୟାୟ ପକ୍ଷରୁ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରାଯିବା ପରେ ସେମାନେ ମା’ ଚଣ୍ଡୀଙ୍କ ଦର୍ଶନ କରି ଖୋର୍ଦ୍ଧା-ନୟାଗଡ଼ ରାସ୍ତା ଦେଇ ଜାଗୁଳିପାଟଣାସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ସେବାୟତ କମଳଲୋଚନ ଦାସ ମହାରାଜ, ଗଣେଶ ଦାସ ମହାରାଜ, ବୁଦ୍ଧିଜୀବୀ ବୈକୁଣ୍ଠନାଥ ମହାପାତ୍ର, ମୀନକେତନ ମହାନ୍ତି, ପ୍ରଦୀପ କୁମାର ବେହେରାଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ପଦଯାତ୍ରୀଙ୍କୁ ସ୍ୱାଗତ କରିଥିଲେ।
ମନ୍ଦିରର ଇତିହାସ ଓ ଧାର୍ମିକ ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରି ବରିଷ୍ଠ ସାମ୍ବାଦିକ ପ୍ରଭାତ ପାଣିଗ୍ରାହୀ ଏହାର ଐତିହାସିକ ପୃଷ୍ଠଭୂମି ସମ୍ପର୍କିତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ସେବାୟତ କମଳଲୋଚନ ଦାସ ମହାରାଜ ମନ୍ଦିରର ନିତିକାନ୍ତି, ପୂଜାପଦ୍ଧତି ଓ ପର୍ବପର୍ବାଣି ସମ୍ପର୍କରେ ବୁଝାଇଥିବା ବେଳେ ବୈକୁଣ୍ଠନାଥ ମହାପାତ୍ର ଓ ମୀନକେତନ ମହାନ୍ତି ମନ୍ଦିର ସହ ଜଡ଼ିତ ଅନ୍ୟାନ୍ୟ ସାଂସ୍କୃତିକ ଓ ଐତିହାସିକ ତଥ୍ୟ ଉପସ୍ଥାପନ କରିଥିଲେ।

ଗବେଷକଙ୍କ ମତ, ଲୋକଶ୍ରୁତି ଓ ସଂଗୃହୀତ ତଥ୍ୟ ଅନୁଯାୟୀ, ଏହି ମନ୍ଦିରର ଇତିହାସ ଗଜପତି ଦିବ୍ୟସିଂହ ଦେବ ଦ୍ୱିତୀୟଙ୍କ ଜୀବନର କେତେକ ଘଟଣା ସହ ଜଡ଼ିତ ବୋଲି କୁହାଯାଏ। ବ୍ରିଟିଶ ଶାସନ ସମୟରେ କଳାପାଣି ଦଣ୍ଡ ଭୋଗୁଥିବା ଗଜପତି ସେଠାରୁ ଖସି ଆସିବା, ପରବର୍ତ୍ତୀ ସମୟରେ ପୁନର୍ବାର ଗିରଫ ହୋଇ କଟକ ଜେଲ୍ରେ ରହିବା ଏବଂ ପରେ ମୁକ୍ତ ହୋଇ ବାବା ରଘୁବୀର ଦାସଙ୍କ ଆଶ୍ରୟ ନେବା ସମ୍ପର୍କରେ ଜନଶ୍ରୁତି ପ୍ରଚଳିତ ରହିଛି। ସେ ଦୟାନିଧି ଦାସ ନାମରେ ପରିଚିତ ହୋଇଥିବା ନେଇ ମଧ୍ୟ କୁହାଯାଏ।
ଲୋକବିଶ୍ୱାସ ଅନୁଯାୟୀ, ପ୍ରଭୁ ଜଗନ୍ନାଥଙ୍କ ସ୍ୱପ୍ନାଦେଶ ପରେ ବେରୁହାଁ ଗ୍ରାମରୁ ଦାରୁ ଅଣାଯାଇ ପୁରୀର କାରିଗରଙ୍କ ଦ୍ୱାରା ବିଗ୍ରହ ନିର୍ମାଣ କରାଯାଇଥିଲା। ପରେ କେରଳରୁ ଆସିଥିବା ଶୌତ୍ରୀୟ ବ୍ରାହ୍ମଣମାନେ ବିଗ୍ରହଙ୍କ ପ୍ରତିଷ୍ଠା କରିଥିବା କିମ୍ବଦନ୍ତୀ ରହିଛି। ପ୍ରଥମେ ଏକ କୁଟୀରରେ ଦେବବିଗ୍ରହଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସେଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ ହୋଇଥିବା କୁହାଯାଏ। ଏହି ମନ୍ଦିରକୁ କେନ୍ଦ୍ର କରି ଅଞ୍ଚଳଟି ଜାଗୁଳିପାଟଣା ନାମରେ ପରିଚିତ ହୋଇଥିବା ନେଇ ମଧ୍ୟ ମତ ପ୍ରକାଶ ପାଇଥିଲା।

ମନ୍ଦିରର ନାମକରଣ ସମ୍ପର୍କରେ ଆଲୋଚନା କରି ଉପସ୍ଥିତ ବ୍ୟକ୍ତିମାନେ କହିଥିଲେ ଯେ, ବଡ଼ଭାଇ ଅନନ୍ତ, ଦେବୀ ଭୁବନେଶ୍ୱରୀ ଓ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀଜଗନ୍ନାଥଙ୍କ ପୁରୁଷୋତ୍ତମ ସ୍ୱରୂପର ଧାର୍ମିକ ମହତ୍ତ୍ୱକୁ ଆଧାର କରି ଏହି ମନ୍ଦିର ଶ୍ରୀ ଅନନ୍ତ ପୁରୁଷୋତ୍ତମ ମନ୍ଦିର ଭାବେ ଖ୍ୟାତି ଲାଭ କରିଛି। ଏହି ନାମ ସହ ଜଡ଼ିତ ଧାର୍ମିକ ବିଶ୍ୱାସ ମନ୍ଦିରର ସ୍ୱତନ୍ତ୍ର ପରିଚୟକୁ ପ୍ରତିଫଳିତ କରୁଛି।
ମନ୍ଦିରର ଅନ୍ୟତମ ବିଶେଷତ୍ୱ ହେଉଛି ଏଠାରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପୂର୍ଣ୍ଣାଙ୍ଗ ବିଗ୍ରହ ପୂଜା ପାଉଛନ୍ତି। ବଳଭଦ୍ରଙ୍କ ହସ୍ତରେ ହଳ ଓ ମୁଷଳ ଥିବାବେଳେ ଶ୍ରୀଜଗନ୍ନାଥଙ୍କ ହସ୍ତରେ ଶଙ୍ଖ ଓ ଚକ୍ର ରହିଛି। ଏହି ବିଗ୍ରହଗୁଡ଼ିକର ସ୍ୱତନ୍ତ୍ର ରୂପ ଓ ପୂଜାପଦ୍ଧତି ମନ୍ଦିରର ଧାର୍ମିକ ମହତ୍ତ୍ୱକୁ ଅଧିକ ବିଶିଷ୍ଟ କରିଛି।
ମନ୍ଦିର ପରିସରରେ ଶ୍ରୀଭୈରବେଶ୍ୱର, ଶ୍ରୀଚୈତନ୍ୟ, ହନୁମାନ ଓ ମା’ ଲକ୍ଷ୍ମୀଙ୍କ ମନ୍ଦିର ସହ ମହନ୍ତ ରଘୁବୀର ଦାସଙ୍କ ସମାଧି ରହିଛି। ଏହି ସ୍ଥାନଗୁଡ଼ିକ ମନ୍ଦିରର ଧାର୍ମିକ ଓ ସାଂସ୍କୃତିକ ପରିଚୟ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ହେରିଟେଜ୍ ୱାକ୍ରେ ସାମିଲ ଅଂଶଗ୍ରହଣକାରୀମାନେ ମନ୍ଦିର ପରିସରରେ ଥିବା କଳ୍ପବଟ, ଶ୍ରୀଭୈରବଙ୍କ ପୀଠ, ପୂର୍ବତନ ମହନ୍ତମାନଙ୍କ ସମାଧିସ୍ଥଳୀ, କାରୁଣ୍ୟ କୁଣ୍ଡ, ଜାଗୁଳେଇ ମନ୍ଦିର ଓ ଗୁଣ୍ଡିଚା ମଣ୍ଡପ ପରିଦର୍ଶନ କରିଥିଲେ।
ମନ୍ଦିରର ରଥଯାତ୍ରା ପରମ୍ପରା ମଧ୍ୟ ଏହି ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ପୂର୍ବେ ଏଠାରେ ତିନିଟି ରଥରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା। କୌଣସି କାରଣରୁ କିଛି ସମୟ ପାଇଁ ଏହି ପରମ୍ପରା ବନ୍ଦ ରହିଥିଲେ ମଧ୍ୟ ୧୯୮୦ ମସିହାରେ ପୁନର୍ବାର ରଥଯାତ୍ରା ଆରମ୍ଭ ହୋଇଥିଲା। ସେବେଠାରୁ ନିୟମିତ ଭାବେ ଏହି ଧାର୍ମିକ ପରମ୍ପରା ପାଳନ କରାଯାଉଥିବା ସୂଚନା ଦିଆଯାଇଥିଲା।
ତେବେ ମନ୍ଦିର ପରିସରରେ ଥିବା ପୂର୍ବତନ ମହନ୍ତମାନଙ୍କ ସମାଧିସ୍ଥଳୀ ଅବହେଳିତ ଅବସ୍ଥାରେ ରହିଥିବା ଦେଖି ପଦଯାତ୍ରୀମାନେ ଉଦ୍ବେଗ ପ୍ରକାଶ କରିଥିଲେ। ଐତିହାସିକ ଓ ଧାର୍ମିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏହି ସ୍ଥାନଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ, ସଂରକ୍ଷଣ ଓ ଆବଶ୍ୟକ ପୁନରୁଦ୍ଧାର କରାଯିବା ଉପରେ ମତ ପ୍ରକାଶ ପାଇଥିଲା। ଏପରି ପ୍ରାଚୀନ କୀର୍ତ୍ତିରାଜିର ଅବହେଳା ଅଞ୍ଚଳର ଇତିହାସ ଓ ସାଂସ୍କୃତିକ ପରିଚୟ ପ୍ରତି ଚିନ୍ତାର କାରଣ ବୋଲି ଅଂଶଗ୍ରହଣକାରୀମାନେ ମତ ଦେଇଥିଲେ।
ଖୋର୍ଦ୍ଧା ଜିଲ୍ଲାରେ ଥିବା ପ୍ରାଚୀନ ମନ୍ଦିର, ଐତିହାସିକ ସ୍ଥଳୀ ଓ ସାଂସ୍କୃତିକ କୀର୍ତ୍ତିରାଜିର ପରିଚୟକୁ ଲୋକଲୋଚନକୁ ଆଣିବା ସହ ସେଗୁଡ଼ିକର ସଂରକ୍ଷଣ ପ୍ରତି ସାମାଜିକ ସଚେତନତା ବୃଦ୍ଧି କରିବା ହେରିଟେଜ୍ ୱାକ୍ର ମୁଖ୍ୟ ଉଦ୍ଦେଶ୍ୟ। ବିଶେଷକରି ନୂତନ ପିଢ଼ି ନିଜ ଅଞ୍ଚଳର ଇତିହାସ, ପରମ୍ପରା ଓ ସାଂସ୍କୃତିକ ମୂଳ ସମ୍ପର୍କରେ ଅବଗତ ହେବା ସହ ଐତିହ୍ୟ ସଂରକ୍ଷଣରେ ଭାଗୀଦାର ହେବା ଆବଶ୍ୟକ ବୋଲି ଆୟୋଜକମାନେ ମତ ଦେଇଥିଲେ।
ପ୍ରୀତିପଲ୍ଲବୀ ମହାପାତ୍ର ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ଅନ୍ୟ ସଦସ୍ୟମାନେ ଏହାର ସଫଳ ଆୟୋଜନରେ ସହଯୋଗ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
