ଖୋର୍ଦ୍ଧା, ୯/୧୦: ଖୋର୍ଦ୍ଧା ଉପକଣ୍ଠସ୍ଥିତ ଗୁରୁଜଙ୍ଗ ଖେଳ ପଡ଼ିଆରେ ଗୁରୁଜଙ୍ଗ କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ଚାଲିଥିବା ଗୁରୁଜଙ୍ଗ ପ୍ରିମିୟର ଲିଗ୍ର ଦ୍ୱିତୀୟ ଦିବସରେ ବି.ଏସ୍.ଏ. ଭାଲିଆବାଡ଼ି ଓ ଇଲେଭେନ୍ ଷ୍ଟାର୍ ଯାଆଁଳା ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍ରେ ଭାଲିଆବାଡ଼ି ଏଗଲ୍ ସ୍ପୋର୍ଟିଂ ମେଣ୍ଢାଶାଳକୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଯାଆଁଳା ଦଳ ଆୟୋଜକ ଏସ୍.ଜେ.ଆର୍. ଗୁରୁଜଙ୍ଗକୁ ୧୪ ରନ୍ରେ ହରାଇଛି।

ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଏଗଲ୍ ସ୍ପୋର୍ଟିଂ ମେଣ୍ଢାଶାଳ ପ୍ରଥମେ ବ୍ୟାଟିଂ କରି ୧୮.୫ ଓଭରରେ ୧୩୪ ରନ୍ କରି ଅଲ୍ଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଜ୍ୟୋତିରଞ୍ଜନ ସର୍ବାଧିକ ୩୧ ରନ୍ କରିଥିଲେ। ଭାଲିଆବାଡ଼ି ପକ୍ଷରୁ କରନଦୀପ ପଟ୍ଟନାୟକ ଚମତ୍କାର ବୋଲିଂ କରି ୪ଟି ୱିକେଟ୍ ହାସଲ କରିଥିଲେ।
୧୩୫ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାଲିଆବାଡ଼ି ଦଳ ୧୪.୩ ଓଭରରେ ୧୩୮ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା। ୪ଟି ୱିକେଟ୍ ନେଇ ଦଳର ବିଜୟରେ ପ୍ରମୁଖ ଭୂମିକା ନେଇଥିବା କରନଦୀପ ପଟ୍ଟନାୟକଙ୍କୁ ଅତିଥି ଅକ୍ଷୟ ଜେନା ପୁରସ୍କୃତ କରିଥିଲେ।
ଦ୍ୱିତୀୟ ମ୍ୟାଚ୍ରେ ଇଲେଭେନ୍ ଷ୍ଟାର୍ ଯାଆଁଳା ଓ ଏସ୍.ଜେ.ଆର୍. ଗୁରୁଜଙ୍ଗ ମଧ୍ୟରେ ମୁକାବିଲା ହୋଇଥିଲା। ଟସ୍ ଜିତି ଯାଆଁଳା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୮ ଓଭରରେ ୮ ୱିକେଟ୍ ହରାଇ ୧୩୦ ରନ୍ କରିଥିଲା। ଦଳ ପକ୍ଷରୁ ଶିତିକଣ୍ଠ ପଟ୍ଟନାୟକ ୪୨ ରନ୍ ସଂଗ୍ରହ କରିଥିଲେ। ଗୁରୁଜଙ୍ଗ ପକ୍ଷରୁ ମହେଶ୍ୱର ଚମ୍ପତ୍ତି ୩ଟି ୱିକେଟ୍ ନେଇଥିଲେ।
ଜବାବରେ ଗୁରୁଜଙ୍ଗ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୧୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଫଳରେ ଯାଆଁଳା ଦଳ ୧୪ ରନ୍ରେ ବିଜୟ ହାସଲ କରିଥିଲା। ଘାତକ ବୋଲିଂ ପ୍ରଦର୍ଶନ ପାଇଁ ଯାଆଁଳା ଦଳର ଦେବାଶିଷ ନାୟକ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅତିଥି ରଞ୍ଜନ ମଙ୍ଗରାଜ ତାଙ୍କୁ ପୁରସ୍କୃତ କରିଥିଲେ।
ଆଜିର ମ୍ୟାଚ୍ଗୁଡ଼ିକୁ ସାନୁଜ ବିଶ୍ୱାଳ, ଶୋଭାକର ପାତ୍ର ଓ ପ୍ରକାଶ କୁମାର ସାହୁ ପରିଚାଳନା କରିଥିଲେ। ଭାଷ୍ୟକାର ଭାବେ ରାଜେନ୍ଦ୍ର ବେହେରା ଓ ଏସ୍.କେ. ସାଜନ୍ ଦାୟିତ୍ୱ ତୁଲାଇଥିଲେ।
ଆସନ୍ତା ୧୦ ଅକ୍ଟୋବର, ଶନିବାର ଦିନ ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚ୍ରେ ଏସ୍.ଜେ.ଆର୍. ଗୁରୁଜଙ୍ଗ ଓ ମିଳନ ୟୁଥ୍ କ୍ଲବ୍ ମୁକୁନ୍ଦପ୍ରସାଦ ମୁହାଁମୁହିଁ ହେବେ। ଦ୍ୱିତୀୟ ମ୍ୟାଚ୍ରେ ବି.ଏସ୍.ଏ. ଭାଲିଆବାଡ଼ି ଓ ବାଲୁଙ୍କେଶ୍ୱର ୱାରିୟର୍ସ ତମାଣ୍ଡୋ ମଧ୍ୟରେ ଲଢ଼େଇ ହେବ ବୋଲି ଆୟୋଜକ ଅବ୍ୟକ୍ତ ହରିହର ଖାଡ଼ଙ୍ଗା ସୂଚନା ଦେଇଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
