ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗିପଡ଼ିଛି ପରିବାରର ଆର୍ଥିକ ମେରୁଦଣ୍ଡ, ସହାୟତା ପାଇଁ ବୋଲଗଡ଼ ବିଡିଓଙ୍କ ଦ୍ୱାରସ୍ଥ ହେଲେ ମହିଳା।
ଖୋର୍ଦ୍ଧା, ୧୦/୧୧: ବାପାଙ୍କୁ ହରାଇ କାନ୍ଦୁଛି କୁନି ଝିଅ, ସ୍ୱାମୀଙ୍କୁ ହରାଇ ଅସହାୟ ହୋଇପଡ଼ିଛନ୍ତି ମାଆ। ଏଭଳି ଏକ ଦୁଃଖଦ ଘଟଣା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଖାଙ୍ଗୁରିଆ ପଞ୍ଚାୟତ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରୁ ସାମ୍ନାକୁ ଆସିଛି।

ଗ୍ରାମର ମହମ୍ମଦ ସଫିକ୍ ଖାଁଙ୍କ ଦୁଇଟି ଯାକ କିଡନୀ ନଷ୍ଟ ହେବାରୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ପରେ ସ୍ତ୍ରୀ ହାମରୁନ୍ ବେଗମ୍ ଓ କୁନି ଝିଅ ଏବେ ଆର୍ଥିକ ସଙ୍କଟରେ ଦିନ କାଟୁଛନ୍ତି।
ସ୍ୱାମୀଙ୍କ ଚିକିତ୍ସା ସମୟରେ ଆର୍ଥିକ ସହାୟତା ପାଇଁ ପରିବାର ପକ୍ଷରୁ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଆବେଦନ କରାଯାଇଥିଲେ ମଧ୍ୟ ସହାୟତା ମିଳିନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ବର୍ତ୍ତମାନ ସ୍ୱାମୀଙ୍କ ମୃତ୍ୟୁ ପରେ ହାମରୁନ୍ ବେଗମ୍ ବୋଲଗଡ଼ ବିଡିଓଙ୍କୁ ଭେଟି ନିଜର ଦୁର୍ଦ୍ଦଶା ଜଣାଇବା ସହ ସରକାରୀ ସହାୟତା ନିବେଦନ କରିଛନ୍ତି। ପରିବାରକୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରି ୩୫ କିଲୋ ଚାଉଳ, ବିଧବା ଭତ୍ତା, ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ ହଜାର ଟଙ୍କା ଏବଂ ଝିଅର ପାଠପଢ଼ା ପାଇଁ ସହାୟତା ଯୋଗାଇଦେବାକୁ ସେ ଦାବି କରିଛନ୍ତି।
ଏହି ଅସହାୟ ପରିବାରକୁ ସହାୟତା କରିବାକୁ ସାହିପଡ଼ିଶାଙ୍କ ସମେତ ସହୃଦୟ ବ୍ୟକ୍ତିମାନେ ମଧ୍ୟ ଆଗେଇ ଆସିବାକୁ ନିବେଦନ କରାଯାଇଛି।
ଏପରି ସ୍ଥିତିରେ ଅସହାୟ ବିଧବା ମାଆ ଓ କୁନି ଝିଅଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ସମସ୍ତ ଯୋଗ୍ୟ ସରକାରୀ ସୁବିଧା ଓ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
