ଭୁବନେଶ୍ୱର: ଗଞ୍ଜାମ ବନ୍ୟାକୁ ନେଇ ରାଜ୍ୟ ରାଜନୀତିରେ ତୀବ୍ର ହୋଇଛି ବାକ୍ଯୁଦ୍ଧ। ବନ୍ୟା ପରିଚାଳନାକୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛି ବିଜୁ ଜନତା ଦଳ। ବନ୍ୟା ପରିସ୍ଥିତିର ମୁକାବିଲା ଓ ଲୋକଙ୍କ ସୁରକ୍ଷା ପାଇଁ ସରକାରଙ୍କ ପ୍ରସ୍ତୁତିକୁ ନେଇ ଦଳ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି।

ଚିଠିରେ ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, ବାତ୍ୟା ସମ୍ପର୍କରେ ପୂର୍ବ ସୂଚନା ଥିବା ସତ୍ତ୍ୱେ ଡ୍ୟାମ୍ରୁ ଆଗୁଆ ଜଳ ନିଷ୍କାସନ କରାଯାଇନଥିଲା। ପ୍ରବଳ ବର୍ଷା ପରେ ଜଳ ଛଡ଼ାଯିବାରୁ ବନ୍ୟା ପରିସ୍ଥିତି ଅଧିକ ଭୟଙ୍କର ହୋଇଥିଲା। ଏପରିକି ଗେଟ୍ ଖୋଲିବା ପୂର୍ବରୁ ଲୋକଙ୍କୁ ଆବଶ୍ୟକ ସତର୍କ ସୂଚନା ଦିଆଯାଇନଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।
ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ବିଳମ୍ବ ଯୋଗୁଁ ଅନେକ ଲୋକ ଖାଦ୍ୟ ଓ ପାନୀୟ ଜଳ ବିନା ଫସି ରହିଥିଲେ। ସରପଞ୍ଚ ଓ ମିଶନ ଶକ୍ତିର ମହିଳାମାନଙ୍କୁ ବିପର୍ଯ୍ୟୟ ପରିଚାଳନାରେ ଉପଯୁକ୍ତ ଭାବେ ସାମିଲ କରାଯାଇନଥିବାରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଥିବା ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।
ଗଞ୍ଜାମ ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ଆବଶ୍ୟକୀୟ ସହାୟତା, ରିଲିଫ୍ ଓ କ୍ଷତିପୂରଣ ଯୋଗାଇଦେବା ସହ ବନ୍ୟା ପରିଚାଳନାରେ ହୋଇଥିବା ତ୍ରୁଟିର ସମୀକ୍ଷା କରିବାକୁ ନବୀନ ପଟ୍ଟନାୟକ ଦାବି କରିଛନ୍ତି।
ଗଞ୍ଜାମ ବନ୍ୟାକୁ ନେଇ ଏବେ ରାଜନୈତିକ ବୟାନବାଜି ଜୋର୍ ଧରିଥିବା ବେଳେ ସରକାର ଏହି ଅଭିଯୋଗ ଉପରେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ରହିଛି ସମସ୍ତଙ୍କ ନଜର।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
