ବାଲେଶ୍ୱରରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା, ଅନଲାଇନ୍ରେ ଆବେଦନ ସୁବିଧା
ବାଲେଶ୍ୱର: – ରାଜ୍ୟରେ ଭତ୍ତା ପାଇବା ପାଇଁ ଆଉ ଯୋଗ୍ୟ ହିତାଧିକାରୀଙ୍କୁ ଅପେକ୍ଷା କରିବାକୁ ପଡ଼ିବନି। ଭତ୍ତା ବ୍ୟବସ୍ଥାରେ ଆସିବ ବଡ଼ ପରିବର୍ତ୍ତନ। ବାଲେଶ୍ୱରରେ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ଅବସରରେ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଓଡ଼ିଶା ପାଇଁ ଏକ ଐତିହାସିକ ଦିନ। ପୂର୍ବରୁ ଜିଲ୍ଲାୱାରୀ କୋଟା ବ୍ୟବସ୍ଥା ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇ ଅପେକ୍ଷା କରି ରହୁଥିଲେ। ଜଣେ ହିତାଧିକାରୀଙ୍କ ମୃତ୍ୟୁ ପରେ ଖାଲି ପଡ଼ୁଥିବା ସ୍ଥାନରେ ଅନ୍ୟ ଜଣଙ୍କୁ ସୁଯୋଗ ମିଳୁଥିଲା। ଏହି ବ୍ୟବସ୍ଥାକୁ ଅମାନବୀୟ ଦର୍ଶାଇ ଏହାର ଅନ୍ତ ଘଟାଇବାକୁ ସରକାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

ତାଙ୍କ କହିବା ଅନୁଯାୟୀ, ପୂର୍ବରୁ ରାଜ୍ୟରେ ୩୬ ଲକ୍ଷ ୭୫ ହଜାର ଲୋକ ଭତ୍ତା ପାଉଥିବା ବେଳେ ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ୪୧ ଲକ୍ଷ ୮୦ ହଜାର ୮୨୫ରେ ପହଞ୍ଚିଛି। ଏହାଦ୍ୱାରା ଅଧିକ ଯୋଗ୍ୟ ବ୍ୟକ୍ତି ଭତ୍ତା ସୁବିଧା ପାଇପାରିବେ।

ସେହିପରି ଭତ୍ତା ପାଇଁ ଆବେଦନ ପ୍ରକ୍ରିୟାକୁ ସହଜ କରିବା ଲାଗି ଅନଲାଇନ୍ ବ୍ୟବସ୍ଥା ଆରମ୍ଭ ହୋଇଛି। ହିତାଧିକାରୀମାନେ ୟୁପିଏମପି ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଏଥିସହ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ନିକଟସ୍ଥ ଜନସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରିବାର ସୁବିଧା ପାଇପାରିବେ।
ସରକାରଙ୍କ ଏହି ନୂଆ ପଦକ୍ଷେପ ଫଳରେ ଭତ୍ତା ପାଇବା ପାଇଁ ଦୀର୍ଘଦିନ ଧରି ଅପେକ୍ଷା କରୁଥିବା ଯୋଗ୍ୟ ହିତାଧିକାରୀଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
