ପୁଣି ବଦଳିବ ପାଗ, ଓଡ଼ିଶାକୁ ଫେରିବ ବର୍ଷା!


୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ୨ରୁ ୩ ଡିଗ୍ରୀ ଖସିବ ପାରଦ


ଭୁବନେଶ୍ୱର, ୧୦/୧୧: କିଛିଦିନର ଶୁଖିଲା ଓ ଆରାମଦାୟକ ପାଗ ପରେ ପୁଣି ବଦଳିବ ପାଣିପାଗର ମିଜାଜ। ରାଜ୍ୟରେ ପୁନର୍ବାର ବର୍ଷା ହେବାର ସମ୍ଭାବନା ଦେଖାଦେଇଛି। ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ପରବର୍ତ୍ତୀ ୨୪ ଘଣ୍ଟାରେ ଅଧିକ ସ୍ପଷ୍ଟ ଚିହ୍ନିତ ହେବା ସହ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।

Advertisement


ଏହି ସମ୍ଭାବ୍ୟ ଲଘୁଚାପର ପ୍ରଭାବରେ ଓଡ଼ିଶାର କେତେକ ଅଞ୍ଚଳରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ବର୍ଷାର ପରିମାଣ, ଅବଧି ଓ କେଉଁ କେଉଁ ଜିଲ୍ଲା ଅଧିକ ପ୍ରଭାବିତ ହେବେ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ଆକଳନ କରାଯାଇନାହିଁ।
ଅନ୍ୟପଟେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୧୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇପାରେ। ସେହିପରି ୧୧ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ସମେତ ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଏବଂ ୧୨ ତାରିଖରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି।


କେବଳ ବର୍ଷା ନୁହେଁ, ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ଆଗାମୀ ଦିନରେ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଫଳରେ ଶୀତର ପ୍ରଭାବ ଧୀରେ ଧୀରେ ଅନୁଭୂତ ହୋଇପାରେ।
ତେବେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପର ଗତିପଥ ଓ ପ୍ରଭାବ ଉପରେ ପାଣିପାଗ ବିଭାଗ ନଜର ରଖିଛି। ଆଗାମୀ ଦିନରେ ଏନେଇ ଅଧିକ ସ୍ପଷ୍ଟ ସୂଚନା ମିଳିବା ଆଶା କରାଯାଉଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *