ନୂଆଦିଲ୍ଲୀ, ୧୧ ଅକ୍ଟୋବର: – ଭୋଟ୍ ଚୋରି ଅଭିଯୋଗ ଓ ନିର୍ବାଚନ ପ୍ରକ୍ରିୟାକୁ ନେଇ ଦାବି ଜୋରଦାର କରିଛି କଂଗ୍ରେସ। ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ପ୍ରଧାନ ବିଚାରପତିଙ୍କୁ ଦାବିପତ୍ର ଦେବାକୁ ଘୋଷଣା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ।
ରବିବାର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରି ରାହୁଲ ଏହି ଘୋଷଣା କରିଥିଲେ। ସୋମବାର ହେବାକୁ ଥିବା ମାର୍ଚ୍ଚରେ ସମସ୍ତ ରାଜନୈତିକ ଦଳ, ସିଭିଲ୍ ସୋସାଇଟି ଏବଂ ସମ୍ବିଧାନରେ ବିଶ୍ୱାସ ରଖୁଥିବା ନାଗରିକଙ୍କୁ ଯୋଗଦେବା ପାଇଁ ସେ ଆହ୍ୱାନ ଦେଇଛନ୍ତି।
ରାହୁଲଙ୍କ କହିବା ଅନୁସାରେ, ଏହି ମାର୍ଚ୍ଚ କୌଣସି ଦଳ, ଜାତି, ଧର୍ମ, ଲିଙ୍ଗ କିମ୍ବା ରାଜ୍ୟର ପରିଚୟକୁ ଆଧାର କରି ନୁହେଁ। ବରଂ ଭାରତୀୟ ନାଗରିକ ଭାବେ ସମସ୍ତେ ଏକାଠି ହୋଇ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଆଗକୁ ଆସିବେ।
ଦିଲ୍ଲୀରେ CJPର ବିରୋଧ ପ୍ରଦର୍ଶନ ସମୟରେ ଯୁବକମାନଙ୍କୁ ପୋଲିସ ଓ ବିଜେପି କର୍ମୀ ମାଡ଼ ମାରିଥିବା ରାହୁଲ ଅଭିଯୋଗ କରିଛନ୍ତି। ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ଯୁବକମାନଙ୍କ ପ୍ରତି ଏଭଳି ବ୍ୟବହାରକୁ ସେ ନିନ୍ଦା କରିଛନ୍ତି।
ରାହୁଲ ଗାନ୍ଧୀଙ୍କ ମୁଖ୍ୟ ଦାବିଗୁଡ଼ିକ ହେଉଛି:
୧. ଭୋଟ୍ ଚୋରି ବନ୍ଦ କରାଯାଉ।
୨. SIR ପ୍ରକ୍ରିୟା ବନ୍ଦ କରାଯାଉ।
୩. ଇଭିଏମ୍ ବ୍ୟବସ୍ଥା ହଟାଯାଉ।
୪. ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଯାଉ।
ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ ମଧ୍ୟ ରାହୁଲ ଗାନ୍ଧୀ ଟାର୍ଗେଟ୍ କରିଛନ୍ତି। ଦେଶର ଲୋକଙ୍କ ସ୍ୱରକୁ ଦବାଇ ଦିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି।
ଭୟଭୀତ ନହୋଇ ଭଲପାଇବା, ଭାଇଚାରା ଓ ଦେଶପ୍ରେମର ଭାବନା ସହ ଲୋକମାନେ ଆଗକୁ ଆସିବାକୁ ରାହୁଲ ଆହ୍ୱାନ ଦେଇଛନ୍ତି।
ଏହା କେବଳ ଗୋଟିଏ ରାଜନୈତିକ ଦଳର ଲଢ଼େଇ ନୁହେଁ, ବରଂ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତଙ୍କ ଏକାଠି ହେବାର ସମୟ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
