ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ–ଟିଏଲ୍‌ସି ରାସ୍ତା କାମକୁ ନେଇ ଅସନ୍ତୋଷ, ୩ ଦିନର ମହଲତ : ନିମ୍ନମାନର ନିର୍ମାଣ ଓ ଧୂଳି ପ୍ରଦୂଷଣ ଅଭିଯୋଗ; ରାସ୍ତା ଅବରୋଧ ଚେତାବନୀ



ଖୋର୍ଦ୍ଧା: ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡଠାରୁ ଟିଏଲ୍‌ସି (TLC) ରାସ୍ତା ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟର ମାନକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତା ନିର୍ମାଣରେ ନିମ୍ନମାନର କାର୍ଯ୍ୟ, ଧୂଳି ପ୍ରଦୂଷଣ, ଖୋଲା ଓ ଭଙ୍ଗା ଡ୍ରେନ୍‌ ଯୋଗୁଁ ସାଧାରଣ ଲୋକଙ୍କ ଯାତାୟାତ ଓ ସୁରକ୍ଷା ବିପନ୍ନ ହେଉଥିବା ଅଭିଯୋଗ ହୋଇଛି। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରିଛନ୍ତି କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦିକା ତଥା ବିଧାୟକ ପ୍ରାର୍ଥୀନୀ ସୋନାଲି ସାହୁ। ଯଦି ଆସନ୍ତା ତିନି ଦିନ ମଧ୍ୟରେ ନିର୍ମାଣ କାର୍ଯ୍ୟର ମାନରେ ସୁଧାର ଆଣିବାକୁ ଦାବି କରିଛନ୍ତି । ଅନ୍ୟଥା ବାଧ୍ୟ ହୋଇ ରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି।



ଅଭିଯୋଗ ଅନୁଯାୟୀ, ଗତ ୧୯ ଅଗଷ୍ଟ ୨୦୨୬ରେ ଖୋର୍ଦ୍ଧା ଟିଏଲ୍‌ସି ରାସ୍ତାର ଦୁରାବସ୍ଥା ଓ ପୁନର୍ନିର୍ମାଣ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ ଆରମ୍ଭ ହୋଇଥିବାରୁ କୃତଜ୍ଞତା ଜଣାଯାଇଥିବା ବେଳେ ବର୍ତ୍ତମାନ ଚାଲିଥିବା କାମର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ରାସ୍ତାର ମୂଳଦୁଆ ନିମ୍ନମାନର ହେଲେ ଅଳ୍ପ କିଛି ମାସ ମଧ୍ୟରେ ରାସ୍ତା ନଷ୍ଟ ହେବାର ଆଶଙ୍କା ରହିଛି ବୋଲି ଅଭିଯୋଗକାରୀ ଆଶଙ୍କା ପ୍ରକାଶ କରିଛନ୍ତି। ରାସ୍ତା ପାର୍ଶ୍ୱରେ ଥିବା ପାଣି ପାଇପ୍‌ ମରାମତି ପାଇଁ ବାରମ୍ବାର ଖୋଳାପୋତା କରାଯାଉଥିବାରୁ ରାସ୍ତାର ଭିତର ଅଂଶ ଦୁର୍ବଳ ଓ ଫମ୍ପା ରହିଥିବା ଅଭିଯୋଗ ମଧ୍ୟ ହୋଇଛି।

ଅନ୍ୟପକ୍ଷରେ, ରାସ୍ତା ନିର୍ମାଣ ସମୟରେ ଡଷ୍ଟ ପକାଯାଉଥିଲେ ମଧ୍ୟ ନିୟମିତ ପାଣି ସିଞ୍ଚନ କରାଯାଉନଥିବାରୁ ଧୂଳି ପ୍ରଦୂଷଣ ବୃଦ୍ଧି ପାଉଛି। ଏହି ରାସ୍ତା ଅନ୍ୟ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ପ୍ରମୁଖ ମାର୍ଗ ହୋଇଥିବାରୁ ଏଠାରେ ପ୍ରତିଦିନ ବହୁ ସଂଖ୍ୟାରେ ଲୋକ ଯାତାୟାତ କରନ୍ତି। ଧୂଳି ଯୋଗୁଁ ଯାତ୍ରୀ ଓ ସ୍ଥାନୀୟ ବାସିନ୍ଦା ଅସୁବିଧାରେ ପଡ଼ୁଥିବା ଏବଂ ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ନେଇ ଅଭିଯୋଗ ମିଳିଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ସେହିପରି, ରାସ୍ତା ପାର୍ଶ୍ୱରେ ଥିବା ଡ୍ରେନ୍‌ଗୁଡ଼ିକ ଖୋଲା ପଡ଼ିଥିବା ବେଳେ କେତେକ ସ୍ଥାନରେ ଡ୍ରେନ୍‌ ଉପରେ ଥିବା ସ୍ଲାବ୍‌ ଭାଙ୍ଗି ବିପଦସଂକୁଳ ଅବସ୍ଥାରେ ରହିଛି। ଫଳରେ ରାସ୍ତାରେ କାମ ଚାଲୁଥିବା ସମୟରେ ପାଦଚଲା ଯାତ୍ରୀଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି।

ଏହି ରାସ୍ତା ପାଖରେ ଥିବା ପରିବା ବଜାର ଉପରେ ଖୋର୍ଦ୍ଧା ସହରର ବହୁ ଲୋକ ନିର୍ଭର କରୁଥିବାରୁ ଧୂଳି ପ୍ରଦୂଷଣ ଗ୍ରାହକ ଓ ପରିବା ବ୍ୟବସାୟୀଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।

ଏହି ପରିପ୍ରେକ୍ଷୀରେ ରାସ୍ତା ନିର୍ମାଣର ଗୁଣବତ୍ତା ଯାଞ୍ଚ କରିବା, ଆବଶ୍ୟକ ସ୍ଥାନରେ ପାଣି ସିଞ୍ଚନ କରି ଧୂଳି ନିୟନ୍ତ୍ରଣ କରିବା, ଖୋଲା ଡ୍ରେନ୍‌ଗୁଡ଼ିକୁ ସୁରକ୍ଷିତ କରିବା ଏବଂ ଭଙ୍ଗା ସ୍ଲାବ୍‌ଗୁଡ଼ିକର ମରାମତି କରିବାକୁ ଦାବି ହୋଇଛି। ଏଥିସହ ଠିକା ସଂସ୍ଥାକୁ ଉଚ୍ଚମାନର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେବା ସହ ନିର୍ମାଣ କାର୍ଯ୍ୟର ତଦାରଖ କଡ଼ାକଡ଼ି କରିବାକୁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି କଂଗ୍ରେସ ନେତ୍ରୀ ସୋନାଲି ସାହୁ।

ଆଗାମୀ ତିନି ଦିନ ମଧ୍ୟରେ ରାସ୍ତା କାମର ମାନରେ ସୁଧାର ନଆସିଲେ ଜନସାଧାରଣଙ୍କ ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ରାସ୍ତା ଅବରୋଧ କରାଯିବ ବୋଲି ଦାବିପତ୍ରରେ ଚେତାବନୀ ଦେଇଛନ୍ତି ଶ୍ରୀମତୀ ସାହୁ।

Advertisement

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *