୭୦ ପ୍ରତିଶତ ଦିବ୍ୟାଙ୍ଗ ରବୀନ୍ଦ୍ରଙ୍କ ପାଇଁ ଆବାସ ସାତ ସପନ ;ମାସିକ ୧୨୦୦ ଟଙ୍କା ଭତ୍ତାରେ ଚଳୁଛି ପରିବାର; ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ ପାଇଁ ଆକୁଳ ନିବେଦନ

ଦିଲ୍ଲୀପ କୁମାର ପଟ୍ଟନାୟକ

ଖୋର୍ଦ୍ଧା, ୨୪।୧୦: ମୁଣ୍ଡ ଉପରେ ପକ୍କାଛାତ ଖଣ୍ଡିଏ ନିର୍ମାଣ କରିବା ଅନେକ ଗରିବ ପରିବାରଙ୍କ ପାଇଁ ଆଜି ବି ସ୍ୱପ୍ନ ହୋଇ ରହିଛି। ବିଶେଷକରି ଦିବ୍ୟାଙ୍ଗ ଓ ଆର୍ଥିକ ଅନଗ୍ରସର ପରିବାରଙ୍କ କ୍ଷେତ୍ରରେ ଏହି ସମସ୍ୟା ଆହୁରି ଜଟିଳ। ସରକାରଙ୍କ ପକ୍ଷରୁ ଗରିବ ଓ ଅସହାୟଙ୍କ ପାଇଁ ବିଭିନ୍ନ ଆବାସ ଓ ସାମାଜିକ ସୁରକ୍ଷା ଯୋଜନା ପ୍ରଣୟନ କରାଯାଉଥିବା ବେଳେ ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ କଁପୁର ଗ୍ରାମ ପଞ୍ଚାୟତର ଦଳେଇ ସାହିର ୭୦ ପ୍ରତିଶତ ଦିବ୍ୟାଙ୍ଗ ରବୀନ୍ଦ୍ର ପ୍ରଧାନଙ୍କ ପାଇଁ ଘର ଖଣ୍ଡିଏ ଏଯାଏଁ ସାକାର ହୋଇପାରିନାହିଁ। ମାସିକ ମାତ୍ର ୧୨୦୦ ଟଙ୍କାର ଦିବ୍ୟାଙ୍ଗ ଭତ୍ତା ଓ ରାସନରୁ ମିଳୁଥିବା ଚାଉଳ ଉପରେ ନିର୍ଭରଶୀଳ ଏହି ପରିବାରର ଦୁରବସ୍ଥା ଏବେ ସରକାରୀ ସହାୟତାର ବାସ୍ତବ ପହଞ୍ଚକୁ ନେଇ ପ୍ରଶ୍ନ ଉଠାଇଛି।

Advertisement

ସ୍ୱର୍ଗତ ଗୋପୀନାଥ ପ୍ରଧାନଙ୍କ ପୁଅ ରବୀନ୍ଦ୍ର ଜଣେ ୭୦ ପ୍ରତିଶତ ଦିବ୍ୟାଙ୍ଗ ବ୍ୟକ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ଏକ ପକ୍କାଘର ପାଇବା ଆଶାରେ ସେ ବାରମ୍ବାର ଖୋର୍ଦ୍ଧା ବ୍ଲକ କାର୍ଯ୍ୟାଳୟ ସମେତ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ହେଲେ ତାଙ୍କ ଆବେଦନର ସୁଫଳ ଏଯାଏଁ ମିଳିନାହିଁ। ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ନିରାପଦ ଆବାସ ଯୋଗାଇଦେବାରେ ବିଳମ୍ବ ହେବା ତାଙ୍କ ଦୈନନ୍ଦିନ ଜୀବନକୁ ଆହୁରି କଷ୍ଟକର କରିଦେଇଛି।

ପରିବାରର ଆର୍ଥିକ ସ୍ଥିତି ମଧ୍ୟ ଅତ୍ୟନ୍ତ ଦୁର୍ବଳ। ରବୀନ୍ଦ୍ରଙ୍କୁ ମିଳୁଥିବା ମାସିକ ୧୨୦୦ ଟଙ୍କାର ଦିବ୍ୟାଙ୍ଗ ଭତ୍ତା ଓ ରାସନ କାର୍ଡରେ ମିଳୁଥିବା ଚାଉଳ ହିଁ ପରିବାରର ମୁଖ୍ୟ ଆଶ୍ରା। ପରିବାରର ଦୈନନ୍ଦିନ ଖର୍ଚ୍ଚ ତୁଲାଇବା ଏବଂ ଦିବ୍ୟାଙ୍ଗ ପୁଅର ଲାଳନପାଳନ କରିବା ପାଇଁ ତାଙ୍କ ମାଆ ପର ଘରେ ବାସନ ମାଜି ଜୀବିକା ନିର୍ବାହ କରୁଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାପଡ଼ିଛି। ସୀମିତ ଆୟରେ ଖାଦ୍ୟ, ପୋଷାକ ଓ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ପୂରଣ କରିବା ତାଙ୍କ ପାଇଁ ଏକ ଦୁର୍ବିଷହ ସମସ୍ୟା ପାଲଟିଛି।

ଏଭଳି ପରିସ୍ଥିତିରେ ପୁଅର ଭବିଷ୍ୟତ ଓ ପରିବାରର ସୁରକ୍ଷାକୁ ନେଇ ଚିନ୍ତିତ ରବୀନ୍ଦ୍ରଙ୍କ ମାଆ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ ଗଣମାଧ୍ୟମ ଜରିଆରେ ସହାୟତା ପାଇଁ ନିବେଦନ କରିଛନ୍ତି। ତାଙ୍କ ପୁଅଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରି ପକ୍କାଘର ଯୋଗାଇଦେବା ସହ ମାସିକ ୩୫ କିଲୋ ଚାଉଳ ଏବଂ ଅଧିକ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ଏଥିସହ ଦିବ୍ୟାଙ୍ଗଙ୍କ ମାସିକ ଭତ୍ତା ୧୨୦୦ ଟଙ୍କାରୁ ବୃଦ୍ଧି କରି ୩୫୦୦ ଟଙ୍କା କରିବାକୁ ମଧ୍ୟ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି।

ସରକାରୀ ଯୋଜନାର ଉଦ୍ଦେଶ୍ୟ ହେଉଛି ସମାଜର ସବୁଠାରୁ ଦୁର୍ବଳ ଓ ଅସହାୟ ବର୍ଗଙ୍କୁ ସୁରକ୍ଷା ଓ ସହାୟତା ଯୋଗାଇଦେବା। ତେଣୁ ରବୀନ୍ଦ୍ରଙ୍କ ଆବେଦନର ସ୍ଥିତି ଅନୁଧ୍ୟାନ କରିବା ସହ ତାଙ୍କ ପରିବାରର ବାସ୍ତବ ଆର୍ଥିକ ଅବସ୍ଥା ଓ ଆବାସ ଯୋଜନାରେ ଯୋଗ୍ୟତା ଯାଞ୍ଚ କରିବା ଆବଶ୍ୟକ। ଯଦି ସେ ଯୋଜନାର ନିୟମାନୁଯାୟୀ ଯୋଗ୍ୟ ବିବେଚିତ ହୁଅନ୍ତି, ତେବେ ତାଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ଦିଗରେ ପ୍ରଶାସନ ତ୍ୱରିତ ପଦକ୍ଷେପ ନେବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଜଣେ ୭୦ ପ୍ରତିଶତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପକ୍କାଘର ସ୍ୱପ୍ନ କେବେ ପୂରଣ ହେବ ଏବଂ ତାଙ୍କ ପରିବାରକୁ କେବେ ସରକାରୀ ସହାୟତା ମିଳିବ, ଏବେ ତାହା ଦେଖିବାକୁ ଅପେକ୍ଷା ରହିଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *