୪୩୦ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ, ୮ଟି ମୋଟରଚାଳିତ ଡଙ୍ଗା ମୁତୟନ; ୫୩୯ ଗର୍ଭବତୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ଦିଲ୍ଲୀପ କୁମାର ପଟ୍ଟନାୟକ
ଖୋର୍ଦ୍ଧା, ୨୪।୧୦: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସମ୍ଭାବ୍ୟ ବାତ୍ୟାର ରୂପ ନେବା ଆଶଙ୍କାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଶାସନିକ ତତ୍ପରତା ବୃଦ୍ଧି ପାଇଛି। ସମ୍ଭାବ୍ୟ ବାତ୍ୟାରେ ଧନଜୀବନର କ୍ଷୟକ୍ଷତିକୁ ସର୍ବନିମ୍ନ କରିବା ସହ ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟ ହାସଲ ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି। ଏଥିପାଇଁ ୪୩୦ଟି ଆଶ୍ରୟସ୍ଥଳୀ ଚିହ୍ନଟ କରାଯିବା ସହ ୮ଟି ମୋଟରଚାଳିତ ଡଙ୍ଗା ମୁତୟନ କରାଯାଇଛି। ଅନ୍ୟପକ୍ଷରେ ଆସନ୍ତା ୧୫ ଦିନ ମଧ୍ୟରେ ପ୍ରସବ ହେବାର ସମ୍ଭାବନା ଥିବା ୫୩୯ ଜଣ ଗର୍ଭବତୀଙ୍କ ସୁରକ୍ଷା ଓ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଶନିବାର ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ଅଧ୍ୟକ୍ଷ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଆଭାସି ମାଧ୍ୟମରେ ଏକ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ବିଡିଓ, ତହସିଲଦାର ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ବିଭାଗୱାରୀ ଦାୟିତ୍ୱ, ପ୍ରସ୍ତୁତି ଓ ଆବଶ୍ୟକ ସମ୍ବଳର ଉପଲବ୍ଧତା ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
୪୩୦ଟି ଆଶ୍ରୟସ୍ଥଳୀରେ ମୌଳିକ ସୁବିଧା ଯାଞ୍ଚ
ବାତ୍ୟା ଓ ବନ୍ୟା ସମୟରେ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ଯୋଗାଇଦେବା ପାଇଁ ଜିଲ୍ଲାରେ ଥିବା ୫୧ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସମେତ ଅତିରିକ୍ତ ୩୭୯ଟି ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି। ଏହି ସବୁ ସ୍ଥାନରେ ପାନୀୟ ଜଳ, ପରିମଳ, ବିଦ୍ୟୁତ୍ ଯୋଗାଣ ଓ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥାର ସ୍ଥିତି ଯାଞ୍ଚ କରାଯାଇଛି। ଆଶ୍ରୟସ୍ଥଳୀଗୁଡ଼ିକର ସୁପରିଚାଳନା ପାଇଁ ସ୍ଥାନୀୟ ଲୋକପ୍ରତିନିଧି ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ନେଇ ପରିଚାଳନା କମିଟି ଗଠନ କରାଯାଇଛି।
ଜିଲ୍ଲାର ତଳିଆ ଅଞ୍ଚଳ ଓ ବନ୍ୟାପ୍ରବଣ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରି ସେଠାରେ ରହୁଥିବା ଲୋକଙ୍କ ସୁରକ୍ଷା ଉପରେ ପ୍ରଶାସନ ସ୍ୱତନ୍ତ୍ର ନଜର ରଖିଛି। ପରିସ୍ଥିତି ଅନୁଯାୟୀ ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଯୋଜନା କରାଯାଇଛି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ୮ଟି ମୋଟରଚାଳିତ ଡଙ୍ଗା ମୁତୟନ କରାଯାଇଛି। ଆବଶ୍ୟକ ପଡ଼ିଲେ ଘରୋଇ ଡଙ୍ଗାର ସହାୟତା ନିଆଯିବ। ବାତ୍ୟା ପରେ ରାସ୍ତାରୁ ଗଛ ଓ ଅନ୍ୟାନ୍ୟ ବାଧା ହଟାଇ ଯାତାୟାତ ସ୍ୱାଭାବିକ କରିବା ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ ଯାନ୍ତ୍ରିକ ସାଧନ ପ୍ରସ୍ତୁତ ରଖାଯାଇଛି।
ଖାଦ୍ୟଶସ୍ୟ ଓ ରିଲିଫ ସାମଗ୍ରୀ ମହଜୁଦ
ବିପର୍ଯ୍ୟୟ ସମୟରେ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଯେପରି ନହୁଏ, ସେଥିପାଇଁ ଜିଲ୍ଲାର ମହଜୁଦ ସାମଗ୍ରୀ ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା। ଅକ୍ଟୋବର ୨୩ ତାରିଖର ରିପୋର୍ଟ ଅନୁଯାୟୀ, ଜିଲ୍ଲାର ପାଞ୍ଚଟି ଗୋଦାମ ଓ ସଂରକ୍ଷଣ କେନ୍ଦ୍ରରେ ପ୍ରାୟ ୧,୧୨,୫୩୮ କୁଇଣ୍ଟାଲ ଚାଉଳ ମହଜୁଦ ରହିଛି। ଏଥିସହ ୨୫୨ କୁଇଣ୍ଟାଲ ଚୁଡ଼ା, ୧୯୭ କୁଇଣ୍ଟାଲ ଗୁଡ଼ ଓ ଜରୁରୀକାଳୀନ ବ୍ୟବହାର ପାଇଁ ୨,୩୮୩ ପ୍ୟାକେଟ ପଲିଥିନ ମହଜୁଦ ରଖାଯାଇଛି।
ଦୁର୍ଗମ ଅଞ୍ଚଳରେ ଆଗୁଆ ଖାଦ୍ୟଶସ୍ୟ ମହଜୁଦ, ସୁରକ୍ଷିତ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ୍ ସେବାର ତ୍ୱରିତ ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦିଆଯାଇଛି। ଗୃହପାଳିତ ପଶୁଙ୍କ ପାଇଁ ପଶୁଖାଦ୍ୟ, ପ୍ରାଣୀ ଚିକିତ୍ସା ସେବା ଓ ସୁରକ୍ଷିତ ଆଶ୍ରୟ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
ସ୍ୱାସ୍ଥ୍ୟସେବା ଓ ଗର୍ଭବତୀଙ୍କ ସୁରକ୍ଷାକୁ ପ୍ରାଥମିକତା
ସମ୍ଭାବ୍ୟ ବାତ୍ୟା ସମୟରେ ସ୍ୱାସ୍ଥ୍ୟସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ଯାଞ୍ଚ କରାଯାଇଛି। ଡାକ୍ତରଖାନାଗୁଡ଼ିକରେ ଅତ୍ୟାବଶ୍ୟକ ଔଷଧ ସହ ସାପକାମୁଡ଼ା ଚିକିତ୍ସା ପାଇଁ ଆଣ୍ଟି-ସ୍ନେକ୍ ଭେନମ୍ (ଏଏସ୍ଭି) ମହଜୁଦ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲା ଡାକ୍ତରଖାନା ଓ ବାତ୍ୟାରେ ତୁଳନାତ୍ମକ ଭାବେ କମ୍ ପ୍ରଭାବିତ ହେବାର ଆଶଙ୍କା ଥିବା ବ୍ଲକଗୁଡ଼ିକରୁ ଡାକ୍ତର ଓ ପାରାମେଡିକ୍ଙ୍କୁ ନେଇ ମୋବାଇଲ୍ ସ୍ୱାସ୍ଥ୍ୟସେବା ଦଳ ଗଠନ ପାଇଁ ପ୍ରସ୍ତୁତି କରାଯାଇଛି।
ବିଶେଷ ଭାବେ ଆସନ୍ତା ୧୫ ଦିନ ମଧ୍ୟରେ ପ୍ରସବ ହେବାର ସମ୍ଭାବ୍ୟ ତାରିଖ ଥିବା ୫୩୯ ଜଣ ଗର୍ଭବତୀଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ଆବଶ୍ୟକ ସ୍ଥଳେ ସେମାନଙ୍କୁ ନିରାପଦ ସ୍ଥାନକୁ ନେବା ସହ ଠିକ୍ ସମୟରେ ପ୍ରସବ ଓ ଚିକିତ୍ସା ସୁବିଧା ଯୋଗାଇଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି।
ସହରାଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥାର ସମୀକ୍ଷା
ଖୋର୍ଦ୍ଧା ଓ ଜଟଣୀ ପୌରପାଳିକା ସମେତ ଟାଙ୍ଗୀ, ବାଲୁଗାଁ ଓ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରସ୍ତୁତି ମଧ୍ୟ ସମୀକ୍ଷା କରାଯାଇଛି। ଜଳ ନିଷ୍କାସନ ପମ୍ପ, ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା, ପାନୀୟ ଜଳ, ଆଶ୍ରୟସ୍ଥଳୀ ଓ ଯାନବାହନର ଉପଲବ୍ଧତା ଯାଞ୍ଚ କରାଯିବା ସହ ସହରାଞ୍ଚଳର ବିପଦସଙ୍କୁଳ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇଛି। ଜଳବନ୍ଦୀ, ଜଳ ପ୍ରବେଶ ଓ ପଛୁଆ ଜଳପ୍ରବାହ ଆଶଙ୍କା ଥିବା ଅଞ୍ଚଳରେ ଆଗୁଆ ପଦକ୍ଷେପ ଗ୍ରହଣ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଆବଶ୍ୟକତା ଅନୁଯାୟୀ ଓଡ୍ରାଫ୍ ଓ ଅଗ୍ନିଶମ ସେବା ଦଳକୁ ବିପଦପ୍ରବଣ ଅଞ୍ଚଳରେ ମୁତୟନ କରାଯିବ। ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର ସମେତ ସମ୍ପୃକ୍ତ କାର୍ଯ୍ୟାଳୟଗୁଡ଼ିକରେ ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ ରହିଛି।
ବୈଠକ ଶେଷରେ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସତର୍କ ରହିବା ସହ ପରସ୍ପର ମଧ୍ୟରେ ସମନ୍ୱୟ ବଜାୟ ରଖି ବାତ୍ୟା ମୁକାବିଲାର ସମସ୍ତ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ କହିଥିଲେ। ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ନିରନ୍ତର ନଜର ରଖିଥିବାବେଳେ ସରକାରୀ ସତର୍କ ସୂଚନା ଓ ପରାମର୍ଶ ପାଳନ କରିବା ସହ ନିଜର ତଥା ପରିବାରର ସୁରକ୍ଷା ପାଇଁ ପ୍ରଶାସନକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
