କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କ ସହ ସର୍ବୋଚ୍ଚସ୍ତରୀୟ ଆଲୋଚନା ପାଇଁ ଦାବି
ଭୁବନେଶ୍ୱର, ୪/୧୧: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବଢ଼ୁଥିବା ବିବାଦ ଏବଂ ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆରେ ନିର୍ବାଚନ କରାଇବା ଉଦ୍ୟମକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏନେଇ ସେ ନଭେମ୍ବର ୪ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପୁଣି ଏକ ଚିଠି ଲେଖି ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି।

ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ଗତ ଅକ୍ଟୋବର ୧୯ ତାରିଖରେ କୋଟିଆ ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଏବଂ ଅକ୍ଟୋବର ୨୭ ତାରିଖରେ ତାହାର ଉତ୍ତର ପାଇଥିଲେ। କିନ୍ତୁ ଏହାପରେ ମଧ୍ୟ କୋଟିଆରେ ସ୍ଥିତି ଅଧିକ ଜଟିଳ ହୋଇଛି। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଅଧିକାରୀଙ୍କ ମଧ୍ୟରେ ଉତ୍ତେଜନା ଓ ମୁହାଁମୁହିଁ ପରିସ୍ଥିତି ବଢ଼ୁଥିବା ବେଳେ ଆନ୍ଧ୍ରର ନିର୍ବାଚନୀ ପଦକ୍ଷେପ ଚିନ୍ତାଜନକ ବୋଲି ସେ କହିଛନ୍ତି।
ଏଭଳି ସମ୍ବେଦନଶୀଳ ସ୍ଥିତିରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ସର୍ବୋଚ୍ଚସ୍ତରରେ ଆଲୋଚନା କରିବାକୁ ନବୀନ ଅନୁରୋଧ କରିଛନ୍ତି। ଉଭୟ ରାଜ୍ୟ ଏନ୍ଡିଏ ମେଣ୍ଟର ଅଂଶୀଦାର ଦଳଙ୍କ ଦ୍ୱାରା ଶାସିତ ହେଉଥିବାରୁ ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ସୁରକ୍ଷା ପାଇଁ ବିଜେପି ନିଜର ୨୦୨୪ ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ଉଚିତ ବୋଲି ସେ ଚିଠିରେ ଦର୍ଶାଇଛନ୍ତି।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ନ୍ୟାୟସଙ୍ଗତ ସ୍ୱାର୍ଥ ଓ ସୀମାର ସୁରକ୍ଷା ସୁନିଶ୍ଚିତ କରିବା ସହ ତୃଣମୂଳସ୍ତରରେ ଉତ୍ତେଜନା ଯେପରି ଆହୁରି ନ ବଢ଼େ, ସେଥିପାଇଁ ତୁରନ୍ତ ପଦକ୍ଷେପ ନେବା ମୁଖ୍ୟମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ ବୋଲି ନବୀନ ଉଲ୍ଲେଖ କରିଛନ୍ତି। ଏଥିସହ ବିଜେପି ଓଡ଼ିଶାବାସୀଙ୍କୁ ଦେଇଥିବା କୋଟିଆ ସମ୍ପର୍କିତ ଗ୍ୟାରେଣ୍ଟିକୁ କାର୍ଯ୍ୟରେ ପରିଣତ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
