ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ଏବଂ
ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦକୁ କାଯ୍ୟକାରୀ କରିବା ଦାବିରେ
ରାଜ୍ୟର ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପ୍ରତି ଅବିଚାର ପ୍ରତିବାଦରେ ଆସନ୍ତା ଅଗଷ୍ଟ ୬ ତାରିଖରୁ କାରିଗର ବହୁଳ ସମସ୍ତ ଜିଲ୍ଲାରେ ଆନ୍ଦୋଳନ ଗଢି ତୋଳିବାକୁ ଓଡିଶା ଶିଳ୍ପୀ ମହାସଂଘ ର ନିଷ୍ପତି
ଖୋର୍ଦ୍ଧା ;- ପୂର୍ବ ସରକାର ରାଜ୍ୟର ହସ୍ତଶିଳ୍ପୀ ଓ ବୁଣାକାରଙ୍କ ସାମାଜିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ଲାଗୁ କରିଥିଲେ । ଏହି ଯୋଜନା ଅଧୀନରେ ରାଜ୍ୟର ମାତ୍ର ୧୫୦୦ରୁ ପାଖାପାଖି ବରିଷ୍ଠ ବୁଣାକାର ମାସିକ ଦୁଇ ହଜାର ଟଙ୍କା ପାଉଛନ୍ତି । ହେଲେ ପରିତାପର ବିଷୟ ଏଯାବତ ଜଣେ ହେଲେବି ହସ୍ତଶିଳ୍ପୀ ଏହି ଯୋଜନାରୁ ଉପକୃତ ହୋଇନାହାନ୍ତି । ଯୋଜନାରେ କିନ୍ତୁ କଳାକାରଙ୍କ ଭଳି ୪୦ ବର୍ଷର ମହିଳା ଓ ୫୦ ବର୍ଷର ପୁରୁଷ ବୁଣାକାର ଏବଂ ହସ୍ତଶିଳ୍ପୀ ଏହି ଯୋଜନାର ଲାଭାର୍ଥୀ ହୋଇପାରିବେ ବୋଲି ସରକାରୀ ନିୟମ ରହିଛି ।
ଠିକ ସେହିଭଳି ଓଡିଶା ଶିଳ୍ପୀ ମହାସଂଘର ପ୍ରଗାଢ ଉଦ୍ୟମ ବଳରେ ଗଠିତ ହୋଇଥିବା ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦର ପରିଚାଳନା ବୋର୍ଡ ରାଜ୍ୟ ସରକାର ଗଠନ କରୁନାହାନ୍ତି । ଖଣ୍ଡଗିରି ନିକଟରେ ପରିଷଦର କାର୍ଯ୍ୟାଳୟ ରହିଥିବାବେଳେ ବୋର୍ଡ ଗଠନ ହୋଇନଥିବାରୁ ପରିଷଦ ବର୍ଷେ ହେବ ନିଷ୍କ୍ରିୟ ହୋଇ ପଡିରହିଛି । ଇତି ମଧ୍ୟରେ ନୂତନ ସରକାରକୁ ବର୍ଷେ ପୁରି ସାରିଥିବାବେଳେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ନିଦାବିଷ୍ଣୁ ସାଜିଛି । ଓଡିଶା ଶିଳ୍ପୀ ମହାସଂଘର ବାରଂବାର ଦାବୀ ସତ୍ରେ ରାଜ୍ୟ ସରକାର ଆଦୌ। କଣ୍ଠପାତ କରୁ ନାହାନ୍ତି ।
ରାଜ୍ୟର ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପ୍ରତି ଅବିଚାର ପ୍ରତିବାଦରେ ଆସନ୍ତା ଅଗଷ୍ଟ ୬ ତାରିଖରୁ କାରିଗର ବହୁଳ ସମସ୍ତ ଜିଲ୍ଲାରେ ଆନ୍ଦୋଳନ ଗଢି ତୋଳିବାକୁ ଓଡିଶା ଶିଳ୍ପୀ ମହାସଂଘ ନିଷ୍ପତି ନେଇଛି । ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ଓ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦକୁ କାଯ୍ୟକାରୀ କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ । ଗତ ୨୭ ତାରିଖ, ରବିବାର ଭୁବନେଶ୍ବର ସ୍ଥିତ ସୁଦର୍ଶନ କ୍ରାଫ୍ଟ ଭିଲେଜ ପରିସରରେ ଆୟୋଜିତ ମହାସଂଘର ରାଜ୍ୟ କାର୍ଯ୍ୟକାରୀ ସମିତି ବୈଠକର ଏହି ନିଷ୍ପତି ନିଆଯାଇଛି ।
ମହାସଂଘର ସ୍ମାରକ ପତ୍ରରେ ମାତ୍ର ଦୁଇଟି ଦାବୀ ରହିବ । ଗୋଟିଏ ହେଲା ପୂର୍ବ ସରକାର ସମୟରୁ ଲାଗୁ କରା ଯାଇଥିବା ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ମାସିକ ଆର୍ଥିକ ସହାୟତା ଯୋଜନାର ନିୟମାନୁଯାୟୀ ଯୋଗ୍ୟ ଶିଳ୍ପୀ ଓ ବୁଣାକାରଙ୍କୁ ଯଥାଶୀଘ୍ର ପ୍ରଦାନ କରିବା । ମାସିକ ସହାୟତା ରାଶିକୁ ଦୁଇ ହଜାରରୁ ବୃଦ୍ଧି କରି ପାଂଚ ହଜାର କରିବା । ତତସହିତ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦର ପରିଚାଳନା ବୋର୍ଡ ଗଠନ ପୂର୍ବକ ଏହାକୁ ସକ୍ରିୟ କରାଇବା । ସୁଚନା ଥାଉକି, ଏହି ପରିଷଦ ରାଜ୍ୟ ସରକାର ଏବଂ କାରିଗର ଓ ବୁଣାକାରଙ୍କ ମଧ୍ୟରେ ସଂପର୍କର ସେତୁ ପାଲଟିଥିବାବେଳେ ପୂର୍ବ ପାଳିରେ ନିପୁଣ ଶିଳ୍ପୀ /ବୁଣାକାରଙ୍କ ଦରମା ବୃଦ୍ଧି, ପ୍ରଶିକ୍ଷାର୍ଥୀଙ୍କ ଭତା ବୃଦ୍ଧି, ଦେଢଶହରୁ ଉଦ୍ଧ ହସ୍ତଶିଳ୍ପ ଗ୍ରାମ ବା ଫୁଜର ଚିହ୍ନଟ ପାଇଁ ସାଇନ ବୋର୍ଡ ବ୍ୟବସ୍ଥା, ଶିଳ୍ପୀ ଓ ବୁଣାକାରଙ୍କ ପାଇଁ କର୍ମଶାଳା, ଉତ୍କଳିକା ମାଧ୍ୟମରେ ସାହାଣ ପଥର ଯୋଗାଣ ଓ ଖଣ୍ଡଗିରି ନିକଟରେ ପରିଷଦର କାଯ୍ୟାଳୟ ପ୍ରତିଷ୍ଠା ଆଦି ଅନେକ ନିଷ୍ପତି ନେଇ ପାରିଥିଲା । ଏହି ପରିଷଦର ପରିଚାଳନା ବୋର୍ଡରେ ହସ୍ତଶିଳ୍ପୀ ଓ ବୁଣାକାର ରହିବାର ବ୍ୟବସ୍ଥା ଥିବାରୁ, ଏହା ସକ୍ରିୟ ହେବା ଅତ୍ୟନ୍ତ ଜରୁରୀ ଅଟେ ।
ଉତ୍କର୍ଷ କଳାର ରାଜ୍ୟ ଆମ ଓଡିଶା I କୃଷି ପରେ ଏକ ପ୍ରମୁଖ ସାବଲମ୍ବୀ କ୍ଷେତ୍ର ଭାବେ ଦଶ ଲକ୍ଷରୁ ଉର୍ଦ୍ଧ ଲୋକ ଏହି ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରରେ ନିୟୋଜିତ ଅଛନ୍ତି । ଓଡିଶା ଅସ୍ମିତାର ପରିଚୟ ଆମ ଶିଳ୍ପୀ ଓ ବୁଣାକାର ଜାତି ଆମ ପାରଂପାରିକ କଳାକାରିଗରୀକୁ ବଂଚାଇ ଆସିବା ସହ ଆମ ରାଜ୍ୟକୁ ବିଶ୍ବ ଦରବାରରେ ଏକ ସତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି । ରାଜ୍ୟ ସରକାର କାରିଗର ଓ ବୁଣାକାରଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ସତ, ହେଲେ ଆନ୍ତରିକତା ଅଭାବରୁ ଏହି ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଁଚି ପାରୁନି । ପୂର୍ବ ସରକାର କରିଥିବା ଅନେକ ଯୋଜନା ଏବେର ସରକାର ଜାରି ରଖିଥିବାବେଳେ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପ୍ରତି ବୈମାତୃକ ଭାବକୁ ଓଡିଶା ଶିଳ୍ପୀ ମହାସଂଘ ଦୃଢ ନିନ୍ଦା କରିଛି ।
ରାଜ୍ୟର ଲକ୍ଷ ଲକ୍ଷ କାରିଗର ଓ ବୁଣାକାରଙ୍କ ମନରେ ତୀବ୍ର ଅସନ୍ତୋଷ ଭରି ଦେଇଛି ।
ଆସନ୍ତା ଅଗଷ୍ଟ ୬ ତାରିଖରୁ ଏହି ପ୍ରତିବାଦ କାଯ୍ୟକ୍ରମ ଆରମ୍ଭ ହୋଇ ଅଗଷ୍ଟ ୧୪ ତାରିଖ ସୁଦ୍ଧା ଶେଷ ହେବ । ପ୍ରଥମ ପାଳିରେ ଅଗଷ୍ଟ ୬ ତାରିଖରେ ବାଲେଶ୍ବର, ଭଦ୍ରକ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯିବ । ସେହି କ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳ ଙ୍କୁ ଖୋରଧା ଜିଲ୍ଲା ସଂଘ ର ସଦସ୍ୟ/ସଦସ୍ୟା ମାନେ ନୂଆ ବସ ଷ୍ଟାଣ୍ଡ ଠାରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିବେ ବୋଲି ସଙ୍ଘ ର ରାଜ୍ୟ ସଭାପତି ଉଦୟ ମହାନ୍ତି ,ରାଜ୍ୟ ସଂପାଦକ ସପ୍ରିୟରଂଜନ କର ଓ ଜିଲ୍ଲା ସଂଯୋଜକ କଳ୍ପତରୁ ପଣ୍ଡା ଜଣାଇଛନ୍ତି । ଏହି କାଯ୍ୟକ୍ରମକୁ ସଫଳ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଶିଳ୍ପୀ ଓ ବୁଣାକାରଙ୍କୁ ଓଡିଶା ଶିଳ୍ପୀ ମହାସଂଘ ର କର୍ମକର୍ତ୍ତା ନିବେଦନ କରିଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
