ବିଧାୟକ ସନ୍ତୋଷ ଖଟୁଆଙ୍କୁ ସରକାର ଘଣ୍ଟ ଘୋଡାଉଛନ୍ତି: ବିଜେଡି

> ତିନି ଜଣ ମୁଖ୍ୟ ଅଭିଯୁକ୍ତ ବିଧାୟକଙ୍କ ଫାର୍ମ ହାଉସରୁ ଗିରଫ

> ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ

> ଏହି ଘଟଣାରେ, ବିଧାୟକଙ୍କୁ ତୁରନ୍ତ ଗିରଫ କରାଯାଉ

ଭୁବନେଶ୍ବର: – ଗତ ଜୁନ ୧୫ ତାରିଖରେ ନୀଳଗିରି ଅଞ୍ଚଳରେ ଘଟିଥିବା ଏକ ଦନ୍ତା ହାତୀର ହତ୍ୟା ଓ ଏହାର ଦାନ୍ତ ଲୁଟ ଘଟଣାରେ ସ୍ଥାନୀୟ ଜଙ୍ଗଲ ଅଧିକାରୀଙ୍କ ଦ୍ବାରା ପାଞ୍ଚଜଣଙ୍କୁ ଗିରଫ ଘଟଣାରେ ବିଜେପିର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ ଆଣି ଆଜି ବିଜୁ ଜନତା ଦଳ ରାଜ୍ୟ ସରକାର ତାଙ୍କୁ ଘଣ୍ଟ ଘୋଡାଉଛନ୍ତି ବୋଲି କହିଛି। ଗିରଫ ହୋଇଥିବା ସମ୍ପୃକ୍ତ ପାଞ୍ଚଜଣ ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣ ମୁଖ୍ୟ ଅଭିଯୁକ୍ତ ବିଧାୟକ ଶ୍ରୀ ଖଟୁଆଙ୍କ ଫାର୍ମ ହାଉସରେ ଲୁଚି ରହିଥ‌ିବା ଅବସ୍ଥାରେ ଗିରଫ ହୋଇଥିଲେ, ଯେଉଁଥୁରୁ ବିଧାୟକଙ୍କ ଏହି ଅପରାଧରେ ସମ୍ପୃକ୍ତି ରହିଥିବା ସ୍ପଷ୍ଟ ହୋଇଥିଲେ ମଧ୍ୟ ଜଙ୍ଗଲ ଅଧିକାରୀ ମାନେ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ ଜୁଟାଇ ପାରି ନାହାନ୍ତି ବୋଲି ବିଜେଡି କହିଛି।

ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଡଃ ଲେଖାଶ୍ରୀ ସାମନ୍ତ ସିଂହାର, ପୂର୍ବତନ ମନ୍ତ୍ରୀ  ଜ୍ୟୋତି ରଞ୍ଜନ ପାଣିଗ୍ରାହୀ ଓ ପୂର୍ବତନ ବିଧାୟକ ସୁକାନ୍ତ ନାୟକ ରାଜ୍ୟ ହାତୀ ହତ୍ୟା ଓ ଏହାର ମୂଲ୍ୟବାନ ଦାନ୍ତ ଲୁଟ ଘଟଣାରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ସିଧାସଳଖ ସମ୍ପୃକ୍ତି ବିଷୟରେ ସବିଶେଷ ସୂଚନା ପ୍ରଦାନ କରିଥିଲେ ଡଃ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ଗତ ଜୁନ ୧୫ ତାରିଖରେ ନୀଳଗିରି ବ୍ଲକ ଅନ୍ତର୍ଗତ ତେଲିପାଡ଼ ପଞ୍ଚାୟତର ହୁଡ଼ିସାହି ଗ୍ରାମ ନିକଟରେ ଏକ ବିଶାଳ ଦନ୍ତା ହାତୀର ମୃତଦେହ ଜଙ୍ଗଲ ଅଧିକାରୀଙ୍କୁ ମିଳିଥିଲା। ଉଲ୍ଲେକଯୋଗ୍ୟ, ମୃତ ହାତୀର ଦାନ୍ତକୁ ଦୁବୃର୍ଗ ମାନେ କାଟି ନେଇ ଯାଇଥିଲେ, ଯେଉଁଥୁରୁ ଦାନ୍ତ ହାସଲ କରିବା ଉଦ୍ଦେଶ୍ୟରେ ଦୁବୃର୍ତ୍ତ ମାନେ ହାତୀକୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା I ପରେ ଜଙ୍ଗଲ ଅଧିକାରୀ ମାନେ, ଏହି ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ଥିବା ଚାରି ଜଣ ଦୁବୃର୍ଭଙ୍କୁ ଗିରଫ କରିଥିଲେ। ଚାରି ଜଣ ଅଭିଯୁକ୍ତଙ୍କ ଭିତରୁ ତିନି ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ସେହି ଅଞ୍ଚଳରେ ରହିଥ‌ିବା ନୀଳଗିରି ବିଧାୟକ ଶ୍ରୀ ଖଟୁଆଙ୍କ ଫାର୍ମ ହାଉସରୁ ଗିରଫ କରାଯାଇଥିଲା I ଏହି ଘଟଣାରେ ସ୍ଥାନୀୟ ବିଧାୟକ ଶ୍ରୀ ଖଟୁଆଙ୍କ ସମ୍ପୃକ୍ତି ରହିଛି ବୋଲି ସନ୍ଦେହ ଉପୁଜିଥିଲେ ମଧ୍ୟ ଜଙ୍ଗଲ ଅଧିକାରୀ ମାନେ ଶ୍ରୀ ଖଟୁଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି।

ଡଃ ସାମନ୍ତସିଂହାର କହିଥିଲେ, ସରକାରୀ ଦଳର ବିଧାୟକ ହୋଇଥିବାରୁ, ରାଜ୍ୟ ସରକାର ଶ୍ରୀ ଖଟୁଆଙ୍କୁ ଘଣ୍ଟ ଘୋଡାଉଛନ୍ତି । ଶ୍ରୀ ଖଟୁଆ ଅନେକ ବେଆଇନ କାମରେ ସମ୍ପୃକ୍ତ ଥିବାର ଅଭିଯୋଗ ରହିଛି। ନବେ ଦଶକରେ, ବାଲେଶ୍ବରରେ ସ୍ଥିତ ଇସ୍ପାତ ଆଲୟେଜ ଲିମିଟେଡ଼ କମ୍ପାନୀରେ ଜଣେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ଖଟୁଆ, ପରବର୍ତ୍ତୀ ସମୟରେ କମ୍ପାନୀ ଦେବାଳିଆ ହେବା ବେଳକୁ ନିଜେ କୋଟିପତି ହୋଇ ଯାଇଥିଲେ । ଶ୍ରୀ ଖଟୁଆଙ୍କ ବିରୋଧରେ ପୂର୍ବରୁ ପଦ୍ମଲୋଚନ ମୁଣ୍ଡ ହାଇସ୍କୁଲର ଦେଢ଼ ଏକର ଜମି ଓ ଅନ୍ୟୁନ୍ୟ ୨୦୦ ଏକର ଜଙ୍ଗଲ ଜମି ଜବରଦଖଲ କରିଥିବା ଅଭିଯୋଗ ରହିଛି। ଏହାଛଡା, ସେ ବେଆଇନ ମୋରମ ଓ ବାଲି ଉଠାଣ କାମରେ ଲିପ୍ତ ଅଛନ୍ତି ବୋଲି ଅଭିଯୋଗ ରହିଛି I ତେଣୁ, ହାତୀ ମୃତ୍ୟୁ ଓ ଦାନ୍ତ ଲୁଟ ଘଟଣାରେ ଶ୍ରୀ ଖଟୁଆଙ୍କୁ ଗିରଫ କରି ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ଓ ପେସା ଆକ୍ଟ ଲଗାଯାଉ ବୋଲି ଡଃ ସାମନ୍ତସିଂହାର ଦାବୀ କରିଥିଲେ ।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *