ଗୁରୁଦିବସରେ କ୍ୟାପିଟାଲ ଇଞ୍ଜିନିୟରିଂ କଲେଜରେ ‘କ୍ୟାପକ୍ୱେଷ୍ଟ-୨୦୨୬’
ଖୋର୍ଦ୍ଧା, (ଶୁଭ ଖବର):- ଗୁରୁଦିବସ ଜୀବନରେ ଗୁରୁଙ୍କ ଅବଦାନକୁ ସ୍ମରଣ କରିବାର ଦିନ। ଏହି ଦିନରେ ନୂଆ ସ୍ୱପ୍ନ, ନୂଆ ଆଶା ଓ ନୂଆ ଲକ୍ଷ୍ୟ ନେଇ ଉଚ୍ଚଶିକ୍ଷାର ପଥରେ ପାଦ ଥାପିଥିବା ଛାତ୍ରଛାତ୍ରୀଙ୍କୁ ନେଇ ଖୋର୍ଦ୍ଧା ନିକଟବର୍ତ୍ତି ମହତାପଲ୍ଲାସ୍ଥିତ କ୍ୟାପିଟାଲ ଇଞ୍ଜିନିୟରିଂ କଲେଜରେ ଆରମ୍ଭ ହୋଇଛି ଏକ ନୂଆ ଯାତ୍ରା। ନବାଗତ ଛାତ୍ରଛାତ୍ରୀଙ୍କୁ କଲେଜର ଶୈକ୍ଷିକ ପରିବେଶ, ଶିକ୍ଷା ପ୍ରଣାଳୀ, ନିୟମାବଳୀ, ସୁଯୋଗ ଓ ଭବିଷ୍ୟତର ସମ୍ଭାବନା ସହ ପରିଚିତ କରାଇବା ଲକ୍ଷ୍ୟରେ ଗୁରୁଦିବସ ଅବସରରେ ଆୟୋଜିତ ହୋଇଥିଲା ‘କ୍ୟାପକ୍ୱେଷ୍ଟ-୨୦୨୬’ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ।
‘ଡ୍ରିମ୍, ଲର୍ଣ୍ଣ ଆଣ୍ଡ ଆଚିଭ୍’ର ବାର୍ତ୍ତାକୁ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମ ନବାଗତଙ୍କ ପାଇଁ କେବଳ ଏକ ସ୍ୱାଗତ ସମାରୋହ ନଥିଲା; ବରଂ ଉଚ୍ଚଶିକ୍ଷାର ନୂଆ ପର୍ଯ୍ୟାୟରେ ସେମାନଙ୍କ ଦାୟିତ୍ୱ, ଲକ୍ଷ୍ୟ ଓ ଭବିଷ୍ୟତ ଗଠନର ଦିଗ ଦେଖାଇବାର ଏକ ମଞ୍ଚ ପାଲଟିଥିଲା। ଡିପ୍ଲୋମା, ବି.ଟେକ୍, ଏମ୍ବିଏ ଓ ଏମ୍ସିଏ ପାଠ୍ୟକ୍ରମରେ ନାମ ଲେଖାଇଥିବା ନୂଆ ଛାତ୍ରଛାତ୍ରୀମାନେ ଏଥିରେ ଯୋଗଦେଇ ନିଜ ନୂଆ ଶିକ୍ଷା ପରିବେଶ ସମ୍ପର୍କରେ ଅବଗତ ହୋଇଥିଲେ।

କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ)ର ମୁଖ୍ୟ ପରାମର୍ଶଦାତା ଡ. ରାଜେନ୍ଦ୍ର ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବାଗତ ଛାତ୍ରଛାତ୍ରୀଙ୍କୁ ନିଜ ସ୍ୱପ୍ନକୁ ଲକ୍ଷ୍ୟରେ ପରିଣତ କରିବା ସହ ନିଷ୍ଠା, ଶୃଙ୍ଖଳା ଓ ପରିଶ୍ରମକୁ ଶିକ୍ଷାଜୀବନର ମୂଳମନ୍ତ୍ର କରିବାକୁ ପ୍ରେରଣା ଦେଇଥିଲେ। କେବଳ ଡିଗ୍ରୀ ହାସଲ କରିବା ନୁହେଁ, ଜ୍ଞାନକୁ ବ୍ୟବହାରିକ ଜୀବନରେ ପ୍ରୟୋଗ କରି ସମାଜ ପାଇଁ ଉପଯୋଗୀ ହେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।
ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଶିକ୍ଷା କ୍ଷେତ୍ରରେ ମିଳୁଥିବା ମାର୍ଗଦର୍ଶନକୁ ନିଜ ଜୀବନ ଓ କାର୍ଯ୍ୟରେ ପ୍ରୟୋଗ କଲେ ତାହା ବ୍ୟକ୍ତିଗତ ସଫଳତା ସହ ଅନୁଷ୍ଠାନର ଉନ୍ନତିରେ ମଧ୍ୟ ସହାୟକ ହେବ ବୋଲି ଡ. ମହାନ୍ତି କହିଥିଲେ। ନବାଗତଙ୍କୁ ଶିକ୍ଷାଜୀବନର ପ୍ରଥମ ଦିନରୁ ନିଜ ଦକ୍ଷତା ଚିହ୍ନଟ କରି ତାହାର ବିକାଶ ପାଇଁ ନିରନ୍ତର ପ୍ରୟାସ କରିବାକୁ ସେ ପରାମର୍ଶ ଦେଇଥିଲେ।
ଟିଆରଏଲ୍ କ୍ରୋସାକି ରିଫ୍ରାକ୍ଟୋରିଜ୍ ଲିମିଟେଡ୍ର କର୍ପୋରେଟ୍ ସେବା ଓ ସ୍ଥାୟୀତ୍ୱ ବିଭାଗର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଡ. ତାରାପଦ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଧୁନିକ ଶିକ୍ଷା ବ୍ୟବସ୍ଥାରେ ଜ୍ଞାନ ସହିତ ଦକ୍ଷତା ଓ ନୈତିକ ମୂଲ୍ୟବୋଧର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ପ୍ରତିଯୋଗିତାମୂଳକ ଯୁଗରେ ଛାତ୍ରଛାତ୍ରୀଙ୍କୁ ନବସୃଜନଶୀଳ ଚିନ୍ତାଧାରା, ସମସ୍ୟା ସମାଧାନର ଦକ୍ଷତା, ଦଳଗତ ମନୋଭାବ ଓ ନେତୃତ୍ୱ ଗୁଣ ବିକଶିତ କରିବା ଆବଶ୍ୟକ ବୋଲି ସେ କହିଥିଲେ। ଶିକ୍ଷାର ଉଦ୍ଦେଶ୍ୟ କେବଳ ଚାକିରି ହାସଲ କରିବା ନୁହେଁ, ବରଂ ଦାୟିତ୍ୱସମ୍ପନ୍ନ ଓ ଦକ୍ଷ ପେଶାଦାର ଭାବେ ନିଜକୁ ପ୍ରତିଷ୍ଠିତ କରିବା ବୋଲି ସେ ମତ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଦିଗରେ କଲେଜ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ।
ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ନବାଗତ ଛାତ୍ରଛାତ୍ରୀଙ୍କ ମନରେ ଥିବା ନୂଆ ପରିବେଶକୁ ନେଇ ଆଶଙ୍କା ଓ ଦ୍ୱିଧାକୁ ଦୂର କରିବା ସହ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ନୂଆ ଉତ୍ସାହ ସୃଷ୍ଟି କରିଥିଲା। କଲେଜର ଶିକ୍ଷକ, ପ୍ରଶାସନ ଓ ସହପାଠୀଙ୍କ ସହ ଏକ ସକାରାତ୍ମକ ସମ୍ପର୍କ ଗଢ଼ି ଶିକ୍ଷା ଜୀବନକୁ ସଫଳ କରିବା ଦିଗରେ ଏହି ଆୟୋଜନ ମାର୍ଗଦର୍ଶନ ଦେଇଥିଲା।
କଲେଜର ଶିକ୍ଷା ନିର୍ଦ୍ଦେଶକ ଡ. ସୌମ୍ୟଦର୍ଶନ ମହାନ୍ତି ନବାଗତମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ଶିକ୍ଷାଜୀବନର ଏହି ନୂଆ ଅଧ୍ୟାୟ ଉଜ୍ଜ୍ୱଳ ହେଉ ବୋଲି ଆଶାବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀ ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରି ଶୃଙ୍ଖଳିତ ଜୀବନ, ନିୟମିତ ଅଧ୍ୟୟନ ଓ ସକାରାତ୍ମକ ଚିନ୍ତାଧାରା ସହ ଆଗକୁ ବଢ଼ିଲେ ସଫଳତା ହାସଲ କରିପାରିବେ ବୋଲି ସେ କହିଥିଲେ।
ଗୁରୁଦିବସରେ ଆୟୋଜିତ ‘କ୍ୟାପକ୍ୱେଷ୍ଟ-୨୦୨୬’ ଏହି ଦୃଷ୍ଟିରୁ ନବାଗତଙ୍କ ପାଇଁ ଏକ ନୂଆ ଶିକ୍ଷାଯାତ୍ରାର ଶୁଭାରମ୍ଭ ଭାବେ ପରିଗଣିତ ହୋଇଛି। ଜ୍ଞାନ ଆହରଣ, ଦକ୍ଷତା ବିକାଶ, ନୈତିକ ମୂଲ୍ୟବୋଧ ଓ ନବସୃଜନକୁ ସାଥୀ କରି ନବାଗତମାନେ ଭବିଷ୍ୟତରେ ନିଜ ପାଇଁ ଏକ ସଫଳ ପରିଚୟ ସୃଷ୍ଟି କରିବେ ବୋଲି କଲେଜ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
