ବିଜୁ ପଟ୍ଟନାୟକ କଲେଜ ନିକଟରୁ ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର ଦାବି

ଦିଲ୍ଲୀପ କୁମାର ପଟ୍ଟନାୟକ

ଖୋର୍ଦ୍ଧା, ସେପ୍ଟେମ୍ବର ୨୨: ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ବିଜୁ ପଟ୍ଟନାୟକ କଲେଜ–ମେଫେୟାର ଅଞ୍ଚଳରେ ନିକଟରେ ଖୋଲାଯାଇଥିବା ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି। ଏହି ମଦ ଦୋକାନ ଯୋଗୁଁ ଅଞ୍ଚଳରେ ଆଇନଶୃଙ୍ଖଳା, ସାଧାରଣ ସୁରକ୍ଷା ଓ ଛାତ୍ରଛାତ୍ରୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ନେଇ ସ୍ଥାନୀୟ ଲୋକେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଏ ନେଇ ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି ଯେ, ମେଫେୟାର ରୋଡ୍‌ ନିକଟରେ ଖୋଲାଯାଇଥିବା ଏହି ମଦ ଦୋକାନ ବିଜୁ ପଟ୍ଟନାୟକ କଲେଜଠାରୁ ପ୍ରାୟ ୫୦୦ ମିଟର ମଧ୍ୟରେ ଅବସ୍ଥିତ। ଅଞ୍ଚଳଟିରେ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ବିଭିନ୍ନ ବୃତ୍ତିରେ ନିୟୋଜିତ ବ୍ୟକ୍ତି ଓ ପରିବାରବର୍ଗ ବସବାସ କରୁଥିବାରୁ ଏହା ଏକ ଶାନ୍ତିପୂର୍ଣ୍ଣ ଆବାସିକ ଅଞ୍ଚଳ ଭାବେ ପରିଚିତ ବୋଲି ସେମାନେ କହିଛନ୍ତି। ସେହି ଅଞ୍ଚଳରେ ଏକାଧିକ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ରହିଛି। ପାଠପଢ଼ା ପାଇଁ ବହୁ ଛାତ୍ରଛାତ୍ରୀ ମଧ୍ୟ ଏଠାରେ ରହୁଛନ୍ତି। ଏଭଳି ଶିକ୍ଷାନୁକୂଳ ଓ ଆବାସିକ ପରିବେଶ ମଧ୍ୟରେ ମଦ ଦୋକାନ ଖୋଲାଯିବା ଦ୍ୱାରା ଅଞ୍ଚଳର ଶାନ୍ତିପୂର୍ଣ୍ଣ ପରିବେଶ ପ୍ରଭାବିତ ହେବା ସହ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ଉପରେ ଅବାଞ୍ଛିତ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି ବୋଲି ସେମାନେ ଦର୍ଶାଇଛନ୍ତି।
ମେଫେୟାର ଅଞ୍ଚଳକୁ ଲାଗି ରହିଥିବା ମୁଣ୍ଡାସାହି ବସ୍ତିରେ ବହୁ ସଂଖ୍ୟାରେ ଦିନମଜୁରିଆ ଓ ସେମାନଙ୍କ ପରିବାର ବସବାସ କରୁଥିବା ମଧ୍ୟ ଦାବୀପତ୍ର ରେ ଉଲ୍ଲେଖ କରାଯାଇଛି। ଏହି ଅଞ୍ଚଳରେ ସହଜରେ ମଦ ଉପଲବ୍ଧ ହେଲେ ଆର୍ଥିକ ଓ ସାମାଜିକ ସମସ୍ୟା ବଢ଼ିବାର ଆଶଙ୍କା ଥିବା ନେଇ ବାସିନ୍ଦାମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଆହୁରି ଅଭିଯୋଗ କରାଯାଇଛି ଯେ, ମଦ ଦୋକାନ ନିକଟରେ କେତେକ ବ୍ୟକ୍ତି ଖୋଲା ସ୍ଥାନରେ ମଦ୍ୟପାନ କରୁଥିବା ଦେଖାଯାଉଛି। ସାର୍ବଜନୀନ ସ୍ଥାନରେ ମଦ୍ୟପାନ ଉପରେ ଥିବା କଟକଣା ସତ୍ତ୍ୱେ ଏପରି ଘଟଣା ଘଟୁଥିବାରୁ ଫୁଟପାଥରେ ଯାତାୟାତ କରୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଏବଂ ନିକଟସ୍ଥ ବାସିନ୍ଦାଙ୍କ ମଧ୍ୟରେ ଅସୁରକ୍ଷା ଭାବ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି।
ଏହାସହ ମଦ ଦୋକାନର ମାଲିକ ସରକାରୀ ଜମିରେ ମଦ ଭର୍ତ୍ତି କଣ୍ଟେନର ଓ ଅନ୍ୟାନ୍ୟ ସାମଗ୍ରୀ ରଖିଥିବା ନେଇ ମଧ୍ୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ସ୍ଥାନର ଯାଞ୍ଚ କରାଯାଇ ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ନିୟମାନୁଯାୟୀ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।
ଆବାସିକ ଓ ଶିକ୍ଷାନୁଷ୍ଠାନ ପ୍ରଧାନ ଅଞ୍ଚଳରେ ଏହି ମଦ ଦୋକାନ ଚାଲୁ ରହିଲେ ସାମାଜିକ ପରିବେଶ ଓ ଆଇନଶୃଙ୍ଖଳା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ବୃହତ୍ତର ଜନସ୍ୱାର୍ଥରେ ଏହାକୁ ବନ୍ଦ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବାସିନ୍ଦାମାନେ ଦାବି କରିଛନ୍ତି।
ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ୱର ଅବକାରୀ ଅଧୀକ୍ଷକ, ଦୁର୍ନୀତି ସଂଘର୍ଷ ମଞ୍ଚର ଅଧ୍ୟକ୍ଷ ଏବଂ ଓଡ଼ିଶା ସରକାରଙ୍କ ଅବକାରୀ ମନ୍ତ୍ରୀଙ୍କ ନିକଟକୁ ଦାବୀ ପତ୍ରର ପଠାଯାଇଛି। ଅଭିଯୋଗର ସଠିକ ଯାଞ୍ଚ କରି ପ୍ରଚଳିତ ନିୟମ ଓ ବିଧିବିଧାନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ବାସିନ୍ଦାମାନେ ଆଜି ଖୋର୍ଦ୍ଧା ଜିଲ୍ଲା ପାଳ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିବା ସହିତ ଅନୁରୋଧ କରିଛନ୍ତି।

Advertisement
Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *