ରାସ୍ତା ଅବରୋଧ କରି ପ୍ରତିବାଦ, ପୋଲିସ ହସ୍ତକ୍ଷେପ ପରେ ୨୪ ଘଣ୍ଟା ମଧ୍ୟରେ କାମ ଆରମ୍ଭ ପାଇଁ ପ୍ରତିଶ୍ରୁତି
ଖୋର୍ଦ୍ଧା, ୧୧/୧୧: ଠିକାଦାରଙ୍କ ମନମାନି ଏବଂ ସମ୍ପୃକ୍ତ ବିଭାଗର ଦାୟିତ୍ୱହୀନତାକୁ ନେଇ ଖୋର୍ଦ୍ଧା ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ନ୍ୟୁ ବସଷ୍ଟାଣ୍ଡଠାରୁ ଚଣ୍ଡୀଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ଧରି ଅଧାପନ୍ତରିଆ ହୋଇ ପଡ଼ିରହିଥିବାରୁ ଧୂଳି ପ୍ରଦୂଷଣରେ ଅତିଷ୍ଠ ହୋଇପଡ଼ିଛନ୍ତି ସାଧାରଣ ଲୋକ।

ଅଭିଯୋଗ ଅନୁଯାୟୀ, ଠିକାଦାର ରାସ୍ତାରେ ନିର୍ମାଣ ସାମଗ୍ରୀ ବିଛାଇ କାମ ବନ୍ଦ କରିଦେଇଥିବାରୁ ଯାତାୟାତ କରୁଥିବା ଲୋକଙ୍କ ସମେତ ରାସ୍ତାକଡ଼ରେ ରହୁଥିବା ବାସିନ୍ଦା ଓ ବ୍ୟବସାୟୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର ଗାଡ଼ି ଚଳାଚଳ କରୁଥିବାରୁ ପ୍ରବଳ ଧୂଳି ଉଡ଼ି ଘର, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନରେ ଧୂଳିର ଆସ୍ତରଣ ଜମୁଛି। ନିୟମିତ ପାଣି ସିଞ୍ଚନ କରାଯାଉନଥିବାରୁ ସମସ୍ୟା ଆହୁରି ଗମ୍ଭୀର ହୋଇଛି। ଏହାଦ୍ୱାରା ଜନସ୍ୱାସ୍ଥ୍ୟ ପ୍ରଭାବିତ ହେବା ସହ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଛି।
ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ଠୋସ୍ ପଦକ୍ଷେପ ନିଆନଯିବାରୁ ଶେଷରେ ମହିଳାଙ୍କ ସମେତ ସ୍ଥାନୀୟ ବାସିନ୍ଦା ଓ ଆଖପାଖ ଅଞ୍ଚଳର ଲୋକେ ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ। ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (TPCODL) ଏବଂ ୱାଟକୋ (WATCO)ର କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ପ୍ରତିବାଦକାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ପ୍ରତିବାଦକାରୀଙ୍କ ଅଭିଯୋଗ ଅନୁଯାୟୀ, TPCODL ଓ WATCO ପକ୍ଷରୁ ଆବଶ୍ୟକ କାର୍ଯ୍ୟ ଶେଷ ହୋଇନଥିବାରୁ ରାସ୍ତା ନିର୍ମାଣରେ ବିଳମ୍ବ ହେଉଛି। ଏହାର ସୁଯୋଗ ନେଇ ଠିକାଦାର ନିର୍ମାଣ କାର୍ଯ୍ୟ ବନ୍ଦ କରି ରଖିଛନ୍ତି। ତେବେ କାମ ବନ୍ଦ ରହିଥିଲେ ମଧ୍ୟ ଧୂଳି ନିୟନ୍ତ୍ରଣ ପାଇଁ ନିୟମିତ ପାଣି ସିଞ୍ଚନ କରିବା ଠିକାଦାରଙ୍କ ଦାୟିତ୍ୱ ବୋଲି ସେମାନେ କହିଥିଲେ। କିନ୍ତୁ ଏ ଦିଗରେ କୌଣସି ଯଥେଷ୍ଟ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି।
ଖବର ପାଇ ଖୋର୍ଦ୍ଧା ଆଦର୍ଶ ଥାନାର ଆଇଆଇସି ରମେଶ କୁମାର ଦେବତା ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ପୋଲିସର ହସ୍ତକ୍ଷେପ ପରେ ନିୟମିତ ପାଣି ସିଞ୍ଚନ କରାଯିବା ସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ପୁନର୍ବାର ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ଏହାପରେ ଆନ୍ଦୋଳନକାରୀମାନେ ଧାରଣାରୁ ଓହରିଥିଲେ।
ତେବେ ଏହି ଘଟଣା ଠିକାଦାର ଓ ସମ୍ପୃକ୍ତ ବିଭାଗର ଦାୟିତ୍ୱବୋଧତାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି। ଏକ ସାଧାରଣ ରାସ୍ତାର ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିବା ଓ ଧୂଳି ପ୍ରଦୂଷଣ ରୋକିବା ପାଇଁ ଲୋକଙ୍କୁ କାହିଁକି ରାସ୍ତାକୁ ଓହ୍ଲାଇବାକୁ ପଡ଼ୁଛି? ଦୀର୍ଘଦିନର ବିଳମ୍ବ ଓ ଜନସାଧାରଣଙ୍କ ଦୁର୍ଦ୍ଦଶା ପାଇଁ ଦାୟୀ କିଏ? ଦାୟିତ୍ୱରେ ଅବହେଳା କରିଥିବା ଠିକାଦାର ଓ ଅଧିକାରୀଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ?
ଏଭଳି ଅନେକ ପ୍ରଶ୍ନ ଏବେ ଖୋର୍ଦ୍ଧାବାସୀଙ୍କ ମନରେ ଉଙ୍କି ମାରୁଛି। ପୋଲିସ ହସ୍ତକ୍ଷେପ ପରେ ମିଳିଥିବା ପ୍ରତିଶ୍ରୁତି ବାସ୍ତବ ରୂପ ନେଉଛି ନା କେବଳ ପ୍ରତିଶ୍ରୁତିରେ ସୀମିତ ରହୁଛି, ତାହା ଆଗାମୀ ସମୟରେ ଦେଖିବାକୁ ବାକି ରହିଲା।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
