ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ଯୁବୋତ୍ସବ ଅନୁଷ୍ଠିତ


ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୬ରେ ୫୫୭ ଯୁବ ପ୍ରତିଭାଙ୍କ ଯୋଗଦାନ


ଖୋର୍ଦ୍ଧା, ୧୧/୧୧: ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ସୃଜନଶୀଳତା ଓ ପ୍ରତିଭାର ବିକାଶ ଲକ୍ଷ୍ୟରେ ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ଯୁବୋତ୍ସବ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ବୁଧବାର ପୂର୍ବାହ୍ନରେ ଖୋର୍ଦ୍ଧାସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ପରିସରରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରାୟୋଜନରେ ଏବଂ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଏହି ଉତ୍ସବ ଆୟୋଜିତ ହୋଇଥିଲା।

Advertisement


ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ସହରାଞ୍ଚଳରୁ ମୋଟ ୫୫୭ ଜଣ ଯୁବ ପ୍ରତିଭା ଅଂଶଗ୍ରହଣ କରିଥିଲେ। ପଞ୍ଜୀକରଣ ପରେ ପାରମ୍ପରିକ ସଙ୍ଗୀତ, ପାରମ୍ପରିକ ନୃତ୍ୟ, ନୁକ୍କଡ଼ ନାଟକ, ଚିତ୍ରକଳା ଓ କବିତା ଲିଖନ ଭଳି ବିଭିନ୍ନ ବିଭାଗରେ ପ୍ରତିଯୋଗିତା ହୋଇଥିଲା।


ପ୍ରତିଯୋଗିତାଗୁଡ଼ିକର ମୂଲ୍ୟାୟନ ପାଇଁ ନୃତ୍ୟ ବିଭାଗରେ କବିରାଜ ପ୍ରଧାନ, ହେମନ୍ତ କୁମାର ବେହେରା ଓ ରାଜେଶ କୁମାର ସାହୁ, ସଙ୍ଗୀତ ବିଭାଗରେ ରାମହରି କର, ଚକ୍ରଧର ଦେବତା ଓ ଦୁର୍ଗାଚରଣ ମାର୍ଥା ଏବଂ ନୁକ୍କଡ଼ ନାଟକ ବିଭାଗରେ ମୃତ୍ୟୁଞ୍ଜୟ ପଣ୍ଡା, ଜିତେନ୍ଦ୍ର ପଟ୍ଟନାୟକ ଓ ସନ୍ତୋଷ ବେହେରା ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ।


ଅପରାହ୍ନରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡାଙ୍କ ସଂଯୋଜନାରେ ଉଦଯାପନୀ ସମାରୋହ ଆୟୋଜିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କୈଳାସ ଚନ୍ଦ୍ର ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଖୋର୍ଦ୍ଧା ଉପଜିଲ୍ଲାପାଳ ସଂକଳ୍ପ ସ୍ୱସ୍ତିକ ସାହୁ ଓ ଖୋର୍ଦ୍ଧା ବିଡିଓ ସିଦ୍ଧାର୍ଥ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।


କବିତା ଲିଖନ ବିଭାଗରେ ବୋଲଗଡ଼ର ଅମର ସେଠୀ ପ୍ରଥମ, ଭୁବନେଶ୍ୱରର ସାଇନା ମେଲି ଦ୍ୱିତୀୟ ଏବଂ ଜଟଣୀର ଅଭିଜିତ ଆନନ୍ଦ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ। ନୁକ୍କଡ଼ ନାଟକ ବିଭାଗରେ ଓଏଭି ଗାଇନଡ଼ା, ଓଏଭି ବେଣ୍ଟପୁର ଓ ବେଗୁନିଆ ମହାବିଦ୍ୟାଳୟ ପୁରସ୍କୃତ ହୋଇଥିଲେ। ପାରମ୍ପରିକ ସଙ୍ଗୀତ ବିଭାଗରେ ଜଟଣୀର ପାଏଲ୍ ପ୍ରିୟଦର୍ଶିନୀ ବିଶ୍ୱାଳ ଓ ଦଳ, ଖୋର୍ଦ୍ଧାର କବି ପ୍ରସନ୍ନ ପାଟ୍ଟଶାଣୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ବୋଲଗଡ଼ର ଅଙ୍କିତା ଜେନା ଓ ଦଳ ପୁରସ୍କୃତ ହୋଇଥିଲେ।
ସେହିପରି ନୃତ୍ୟ ବିଭାଗରେ ବୋଲଗଡ଼, ଖୋର୍ଦ୍ଧା ଓ ବାଲିପାଟଣାର ପ୍ରତିଯୋଗୀମାନେ ସଫଳତା ହାସଲ କରିଥିବା ବେଳେ ଚିତ୍ରକଳା ବିଭାଗରେ ସନ୍ଦୀପ କୁମାର ପାତ୍ର, ପି. କଲ୍ୟାଣ ଓ ସୁନୀତା ମହାପାତ୍ର ପୁରସ୍କୃତ ହୋଇଥିଲେ।


ସମଗ୍ର କାର୍ଯ୍ୟକ୍ରମ ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା। ସିଆରସିସି ଗୀତାଞ୍ଜଳି ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏଥିରେ ଜିଲ୍ଲା କ୍ରୀଡ଼ା ସଂସଦର କର୍ମକର୍ତ୍ତା, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ପଞ୍ଚାୟତିରାଜ ପ୍ରତିନିଧିମାନେ ଯୋଗଦେଇଥିଲେ।


ଯୁବପିଢ଼ିଙ୍କ ପ୍ରତିଭା ପ୍ରଦର୍ଶନ ସହ ନେତୃତ୍ୱ ଓ ସୃଜନଶୀଳତାର ବିକାଶ ପାଇଁ ଏହି ଯୁବୋତ୍ସବ ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିଥିଲା।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *