କର୍ମକ୍ଷେତ୍ରରେ ଗୁରୁମାଙ୍କ ଦ୍ୱାଦଶାହ  ପାଳିତ


ସ୍ମୃତିରେ ଭାବବିହ୍ୱଳ ହେଲେ ଗୁରୁମା, ଛାତ୍ରଛାତ୍ରୀ ଓ କର୍ମକର୍ତ୍ତା ;

ନିଆରା ପରମ୍ପରା ସୃଷ୍ଟି କଲା ଭାରତୀୟ ବିଦ୍ୟା ନିକେତନ ;

Advertisement

ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ପ୍ରଶଂସା

ଖୋର୍ଦ୍ଧା:୨୨/୯- ଯେଉଁ ଶିକ୍ଷାନୁଷ୍ଠାନକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ କରି ଦୀର୍ଘବର୍ଷ ଧରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିଥିଲେ, ଶେଷରେ ସେହି କର୍ମକ୍ଷେତ୍ରରେ ହିଁ ତାଙ୍କୁ ଦିଆଗଲା ଶେଷ ଶ୍ରଦ୍ଧାଞ୍ଜଳି। ଯେଉଁ ବିଦ୍ୟାଳୟ ପରିସରରେ ଦିନେ ଦିନେ ତାଙ୍କ କଣ୍ଠସ୍ୱରରେ ଶୁଭୁଥିଲା ଶିକ୍ଷା ଓ ସଂସ୍କାରର ବାର୍ତ୍ତା, ସେହି ପରିସରରେ ତାଙ୍କ ସ୍ମୃତିରେ ଆଖିରେ ଲୁହ ଓ ହୃଦୟରେ ଅସରନ୍ତି ଭାବନା ନେଇ ଏକାଠି ହୋଇଥିଲେ ଗୁରୁମା, ଛାତ୍ରଛାତ୍ରୀ ଓ କର୍ମକର୍ତ୍ତା।


ବେଗୁନିଆ ବ୍ଲକ ପୋଡ଼ାଡିହସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାରତୀୟ ବିଦ୍ୟା ନିକେତନର ପ୍ରଧାନ ଆଚାର୍ଯ୍ୟା ସ୍ୱର୍ଗତା ସୁଷମା ମହାପାତ୍ରଙ୍କ ଦ୍ୱାଦଶାହ ବିଦ୍ୟାଳୟ ପରିସରରେ ଏକ ନିଆରା ଢଙ୍ଗରେ ପାଳିତ ହୋଇଛି। ନିଜ କର୍ମକ୍ଷେତ୍ରରେ ଜଣେ ଶିକ୍ଷୟିତ୍ରୀଙ୍କ ଦ୍ୱାଦଶାହ ପାଳନ କରି ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇବାର ଏହି ପଦକ୍ଷେପ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ଭିନ୍ନ ବାର୍ତ୍ତା ସୃଷ୍ଟି କରିଛି।


ସ୍ୱର୍ଗତା ସୁଷମା ମହାପାତ୍ର କେବଳ ଜଣେ ପ୍ରଧାନ ଆଚାର୍ଯ୍ୟା ନଥିଲେ; ବିଦ୍ୟାଳୟର ପ୍ରତିଟି ଇଟା , ପ୍ରତିଟି ଶ୍ରେଣୀଗୃହ ଓ ପ୍ରତିଟି ଛାତ୍ରଛାତ୍ରୀଙ୍କ ସହ ତାଙ୍କର ଗଢ଼ି ଉଠିଥିଲା ଏକ ଆତ୍ମୀୟ ସମ୍ପର୍କ। ୨୦୦୭ ମସିହାରେ ବିଦ୍ୟାଳୟ ପ୍ରତିଷ୍ଠା ହେବାଠାରୁ ସେ ନିଷ୍ଠା, ତ୍ୟାଗ ଓ ଅଧ୍ୟବସାୟର ସହିତ ଅନୁଷ୍ଠାନକୁ ଆଗେଇ ନେଇଥିଲେ। ଶିକ୍ଷା ସହିତ ଶୃଙ୍ଖଳା, ନୈତିକତା, ମାନବିକତା ଓ ସଂସ୍କାରକୁ ଛାତ୍ରଛାତ୍ରୀଙ୍କ ଜୀବନର ଅଂଶ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା।
ବିଦ୍ୟାଳୟର ପ୍ରତିଷ୍ଠାଠାରୁ ସେ ନିଜକୁ ଅନୁଷ୍ଠାନର ବିକାଶ ସହ ସମ୍ପୂର୍ଣ୍ଣ ଭାବେ ଯୋଡ଼ି ଦେଇଥିଲେ। ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ନିଷ୍ଠା ଓ ଛାତ୍ରଛାତ୍ରୀଙ୍କ ପ୍ରତି ମାତୃସ୍ନେହ ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ଦେଇଥିଲା। ଅନେକ ଛାତ୍ରଛାତ୍ରୀଙ୍କ ଜୀବନରେ ସେ ଜଣେ ଶିକ୍ଷୟିତ୍ରୀ ଠାରୁ ଅଧିକ ହୋଇ ‘ଗୁରୁମା’ର ସ୍ଥାନ ଅଧିକାର କରିଥିଲେ।


ତେବେ ଦୀର୍ଘ ଦୁଇ ବର୍ଷ ଧରି ଫୁସ୍‌ଫୁସ୍‌ ସଂକ୍ରମଣ ଓ ଶ୍ୱାସକ୍ରିୟାଜନିତ ସମସ୍ୟାରେ ପୀଡ଼ିତ ରହିବା ପରେ ଗତ ୧୦ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ। ତାଙ୍କ ବିୟୋଗରେ ବିଦ୍ୟାଳୟ ପରିବାର ଏକ ଅଭିଭାବକ ସଦୃଶ ମାର୍ଗଦର୍ଶକଙ୍କୁ ହରାଇଥିବା ଅନୁଭବ କରିଥିଲା। ତାଙ୍କ ଅନୁପସ୍ଥିତି ବିଦ୍ୟାଳୟର ପ୍ରତିଟି କୋଣରେ ଅନୁଭୂତ ହେଉଥିବା ବେଳେ ତାଙ୍କ ସ୍ମୃତି ଆଜି ବି ସମସ୍ତଙ୍କ ମନରେ ଜୀବନ୍ତ ରହିଛି।


ଏହି ପରିପ୍ରେକ୍ଷୀରେ ତାଙ୍କ ଅମର ଆତ୍ମାର ସଦ୍‌ଗତି ଓ ପବିତ୍ର ସ୍ମୃତିଚାରଣ ଉଦ୍ଦେଶ୍ୟରେ ତାଙ୍କର କର୍ମକ୍ଷେତ୍ର ଭାରତୀୟ ବିଦ୍ୟା ନିକେତନ ପରିସରରେ ଦ୍ୱାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା।
ବିଦ୍ୟାଳୟର ସମ୍ପାଦକ ଶୁଭକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏବଂ ପ୍ରଧାନ ଆଚାର୍ଯ୍ୟା ସୁକାନ୍ତି ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ବିଦ୍ୟାଳୟର ସମସ୍ତ ଗୁରୁମା, କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ବିଦ୍ୟାଳୟ ପରିସରରେ ସ୍ୱର୍ଗତା ସୁଷମା ମହାପାତ୍ରଙ୍କ ଫଟୋଚିତ୍ର ସ୍ଥାପନ କରାଯାଇ ତାହାରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।


ଏହି ସମୟରେ ଅନେକଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ଯେଉଁ ଗୁରୁମାଙ୍କ ଠାରୁ ଦିନେ ଛାତ୍ରଛାତ୍ରୀମାନେ ଜୀବନର ପାଠ ଶିଖିଥିଲେ, ଆଜି ସେହି ଗୁରୁମାଙ୍କ ଫଟୋଚିତ୍ର ସମ୍ମୁଖରେ ଠିଆ ହୋଇ ତାଙ୍କୁ ଶେଷ ଶ୍ରଦ୍ଧା ଜଣାଇବାର ଦୃଶ୍ୟ ଥିଲା ଅତ୍ୟନ୍ତ ଭାବବିହ୍ୱଳ। ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ପ୍ରିୟ ଗୁରୁମାଙ୍କ ସ୍ମୃତିଚାରଣ କରିଥିଲେ।


ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସାମୂହିକ ପ୍ରାର୍ଥନା କରାଯାଇଥିଲା। ସମ୍ପାଦକ ଶୁଭକାନ୍ତ ମହାପାତ୍ରଙ୍କ ସମେତ ବିଦ୍ୟାଳୟର ଗୁରୁମା ଓ ଛାତ୍ରଛାତ୍ରୀମାନେ ସୁଷମା ମହାପାତ୍ରଙ୍କ ଜୀବନ, ଶିକ୍ଷା ପ୍ରତି ତାଙ୍କର ସମର୍ପଣ ଓ ବିଦ୍ୟାଳୟ ପାଇଁ ତାଙ୍କ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ।


ବକ୍ତାମାନେ କହିଥିଲେ ଯେ, ଜଣେ ଶିକ୍ଷକଙ୍କ ପ୍ରକୃତ ଜୀବନ ତାଙ୍କ ଅବସର କିମ୍ବା ମୃତ୍ୟୁ ସହ ଶେଷ ହୋଇଯାଏ ନାହିଁ। ତାଙ୍କ ଦ୍ୱାରା ଗଢ଼ା ଛାତ୍ରଛାତ୍ରୀ, ଦିଆଯାଇଥିବା ଶିକ୍ଷା ଓ ଦେଖାଇଥିବା ମାର୍ଗ ମାଧ୍ୟମରେ ଜଣେ ଗୁରୁ ସବୁବେଳେ ଜୀବନ୍ତ ରହନ୍ତି। ସୁଷମା ମହାପାତ୍ରଙ୍କ କ୍ଷେତ୍ରରେ ମଧ୍ୟ ଏହା ଚିରସତ୍ୟ ବୋଲି ଉପସ୍ଥିତମାନେ ମତ ପ୍ରକାଶ କରିଥିଲେ।
ଦ୍ୱାଦଶାହ ଅବସରରେ ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଜଳପାନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଏହା ମାଧ୍ୟମରେ ସ୍ୱର୍ଗତା ସୁଷମା ମହାପାତ୍ରଙ୍କ ଛାତ୍ରଛାତ୍ରୀଙ୍କ ପ୍ରତି ଥିବା ସ୍ନେହ ଓ ମମତାକୁ ସ୍ମରଣ କରାଯାଇଥିଲା।
ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ନିଆରା ପଦକ୍ଷେପ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଦ୍ୱାଦଶାହ ଭଳି ଏକ ପାରମ୍ପରିକ ଅବସରକୁ କେବଳ ପାରିବାରିକ ସୀମା ମଧ୍ୟରେ ସୀମିତ ନରଖି, ଜଣେ ଶିକ୍ଷୟିତ୍ରୀଙ୍କ କର୍ମକ୍ଷେତ୍ରରେ ତାଙ୍କ ସ୍ମୃତିକୁ ସମ୍ମାନ ଦେବା ନିଶ୍ଚିତ ଭାବେ ଏକ ଭିନ୍ନ ପରମ୍ପରାର ଉଦାହରଣ ସୃଷ୍ଟି କରିଛି।


ଖବରଟି ଅଞ୍ଚଳରେ ପ୍ରଚାର ପାଇବା ପରେ ଅଭିଭାବକ, ବୁଦ୍ଧିଜୀବୀ ଓ ଶିକ୍ଷାପ୍ରେମୀ ମହଲରୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା ମିଳିଛି। ଅନେକଙ୍କ ମତରେ, ଏଭଳି କାର୍ଯ୍ୟକ୍ରମ କେବଳ ଜଣେ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ନୁହେଁ; ବରଂ ଗୁରୁ-ଶିଷ୍ୟ ସମ୍ପର୍କର ଗଭୀରତା, ମାନବିକତା ଓ ନିଜ କର୍ମକ୍ଷେତ୍ର ପ୍ରତି ଥିବା ଆତ୍ମୀୟତାର ଏକ ଉଦାହରଣ।


ସୁଷମା ମହାପାତ୍ରଙ୍କ ଦେହାବସାନ ହୋଇଥିଲେ ମଧ୍ୟ ତାଙ୍କ ଗଢ଼ିଥିବା ଅନୁଷ୍ଠାନ, ତାଙ୍କ ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ମନରେ ରହିଯାଇଥିବା ତାଙ୍କ ସ୍ନେହ ତାଙ୍କୁ ଆଜି ବି ସମସ୍ତଙ୍କ ନିକଟରେ ଜୀବନ୍ତ ରଖିଛି। ତାଙ୍କ ସ୍ମୃତିରେ ବିଦ୍ୟାଳୟ ପରିସରରେ ପାଳିତ ଏହି ଦ୍ୱାଦଶାହ ଏକ ଗୁରୁଙ୍କ ପ୍ରତି ଛାତ୍ରଛାତ୍ରୀ ଓ ସହକର୍ମୀଙ୍କ ଅକୃତ୍ରିମ ଭଲପାଇବାର ନିରବ ପ୍ରକାଶ ହୋଇ ରହିଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *