୪ ଅଗଷ୍ଟ ପର୍ଯ୍ୟନ୍ତ ନୂଆ ନାମ ସଂଯୋଜନ, ସଂଶୋଧନ ଓ ବାଦ ପାଇଁ ଆବେଦନ ସୁଯୋଗ l
ଖୋର୍ଦ୍ଧା, ୫ ଜୁଲାଇ:- ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ -୨୦୨୬ କାର୍ଯ୍ୟକ୍ରମ ଅଧୀନରେ ଖୋର୍ଦ୍ଧା ଜିଲ୍ଲାର ପାଞ୍ଚଟି ବିଧାନସଭା ନିର୍ବାଚନମଣ୍ଡଳୀର ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଚିଠା ଭୋଟର ତାଲିକା ପ୍ରକାଶନ କର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ବେଉରା ଅଧ୍ୟକ୍ଷତା କରିଥିବା ବେଳେ ୧୧୮- ଚିଲିକା ଭୋଟର ପଞ୍ଜିକରଣ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ସାଫଲ୍ୟ ମଣ୍ଡିତ ପ୍ରଧାନ,୧୧୭- ଭୋଟର ପଞ୍ଜିକରଣ ଅଧିକାରୀ ଉପ ଜିଲ୍ଲାପାଳ ଖୋର୍ଦ୍ଧା ସଙ୍କଳ୍ପ ସ୍ଵସ୍ତିକ ସାହୁ, ୧୧୬- ବେଗୁନିଆ ଭୋଟର ପଞ୍ଜିକରଣ ଅଧିକାରୀ ଜିଲ୍ଲା ପରିଷଦ ମୁଖ୍ୟଉନ୍ନୟନ ଓ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ୧୧୫- ଜଟଣୀ ଭୋଟର ପଞ୍ଜକରଣ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଭୁବନେଶ୍ୱର ରମେଶ ଚନ୍ଦ୍ର ଜେନା, ୧୧୧- ଜୟଦେବ ଭୋଟର ପଞ୍ଜିକରଣ ଅଧିକାରୀ ଉପ ଜିଲ୍ଲାପାଳ ଭୁବନେଶ୍ୱର ଡ. ମନୋରଂଜନ ସାହୁ, ଡେପୁଟି କଲେକ୍ଟର ସଂଗ୍ରାମ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ରାଜନୈତିକ ଦଳ ମଧ୍ୟରୁ ବିଜେଡି ଖୋର୍ଦ୍ଧା ଜିଲ୍ଲା ସଭାପତି ରାଜେନ୍ଦ୍ର କୁମାର ସାହୁ, ରଘୁନାଥ ସାହୁ, ଶୁଭକାନ୍ତ ମହାପାତ୍ର, କଂଗ୍ରେସ ଦଳ ପକ୍ଷରୁ ସୌମ୍ୟ ପଟ୍ଟନାୟକ, ସି.ପି.ଆଇ.ଏମ. ଅନନ୍ତ ମଙ୍ଗରାଜ, ଭାରତୀୟ ଜନତା ପାର୍ଟି ର ଦିଲ୍ଲୀପ କୁମାର ହୋତା, ବଦ୍ରୀ ନାରାୟଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ l ଏହା ସହିତ ଜିଲ୍ଲାରେ ଦାବି ଓ ଅଭିଯୋଗ ଗ୍ରହଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଆସନ୍ତା ୪ ଅଗଷ୍ଟ ପର୍ଯ୍ୟନ୍ତ ଯୋଗ୍ୟ ନୂଆ ଭୋଟରଙ୍କ ନାମ ସଂଯୋଜନ, ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବାଦ ପାଇଁ ସାଧାରଣ ଲୋକେ ଆବେଦନ କରିପାରିବେ।

ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ, ଏହି ସ୍ୱତନ୍ତ୍ର ସଘନ ସଂଶୋଧନର ପ୍ରମୁଖ ଉଦ୍ଦେଶ୍ୟ ହେଉଛି “ଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବାଦ ଦେବା।” ଏହା ଫଳରେ ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ, ନିର୍ଭୁଲ ଓ ବିଶ୍ୱସନୀୟ କରାଯିବ।
ଖୋର୍ଦ୍ଧା ଜିଲ୍ଲାର ପାଞ୍ଚଟି ବିଧାନସଭା କ୍ଷେତ୍ର—ଜୟଦେବ, ଜଟଣୀ, ବେଗୁନିଆ, ଖୋର୍ଦ୍ଧା ଓ ଚିଲିକାରେ ୨୦୦୨ ଓ ୨୦୨୫ ମସିହାର ଭୋଟର ତାଲିକା ମଧ୍ୟରେ ୯୪.୨ ପ୍ରତିଶତ ତଥ୍ୟର ସଫଳ ମେଳକ (ମ୍ୟାପିଂ) କରାଯାଇଛି। ଜିଲ୍ଲାର ମୋଟ ୧୧ ଲକ୍ଷ ୧୮ ହଜାର ୨୬୦ ଜଣ ଭୋଟରଙ୍କ ମଧ୍ୟରୁ ୧୦ ଲକ୍ଷ ୫୩ ହଜାର ୩୯୦ ଜଣଙ୍କ ତଥ୍ୟ ପୂର୍ବ ଭୋଟର ତାଲିକା ସହ ମେଳ ଖାଇଥିବାବେଳେ ପ୍ରାୟ ୬୪ ହଜାର ୮୭୦ ଜଣଙ୍କ ତଥ୍ୟରେ ମେଳ ହୋଇନାହିଁ। ନିର୍ବାଚନମଣ୍ଡଳୀ ଭିତ୍ତିକ ତଥ୍ୟ ଅନୁଯାୟୀ ଚିଲିକାରେ ସର୍ବାଧିକ ୯୭.୨୭ ପ୍ରତିଶତ ଏବଂ ଜଟଣୀରେ ସର୍ବନିମ୍ନ ୮୯.୧୮ ପ୍ରତିଶତ ମେଳକ ହୋଇଛି।

ଏହି ସଘନ ସଂଶୋଧନ କାର୍ଯ୍ୟକ୍ରମ ଓଡ଼ିଶାରେ ଶେଷଥର ପାଇଁ ୨୦୦୨ ମସିହାରେ ହୋଇଥିଲା। ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ ପୁଣିଥରେ ଏଭଳି ବ୍ୟାପକ ଯାଞ୍ଚ ପ୍ରକ୍ରିୟା ଚାଲିଛି। ୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଥିବାବେଳେ ମେ’ ମାସରୁ ପ୍ରସ୍ତୁତି ଓ ପ୍ରଶିକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ବୁଥ ସ୍ତରୀୟ ଅଧିକାରୀ (ବିଏଲଓ)ମାନେ ଘରକୁ ଘର ବୁଲି ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିଥିଲେ। ଜିଲ୍ଲା
ପ୍ରଶାସନର ସୂଚନା ଅନୁଯାୟୀ, ପରିଗଣନା ଫର୍ମ ସଂଗ୍ରହ କାର୍ଯ୍ୟରେ ମଧ୍ୟ ଉଲ୍ଲେଖନୀୟ ସଫଳତା ମିଳିଛି। ଜିଲ୍ଲାର ମୋଟ ଭୋଟରଙ୍କ ମଧ୍ୟରୁ ୧୦ ଲକ୍ଷ ୫୧ ହଜାର ୫୯୧ ଜଣଙ୍କ ଫର୍ମ, ଅର୍ଥାତ୍ ୯୪.୦୪ ପ୍ରତିଶତ, ସଂଗ୍ରହ କରାଯାଇଛି। ଅବଶିଷ୍ଟ ପ୍ରାୟ ୬୬ ହଜାର ୬୬୯ ଜଣଙ୍କ ଫର୍ମ ବିଭିନ୍ନ କାରଣରୁ ସଂଗ୍ରହ ହୋଇପାରିନାହିଁ। ଜୟଦେବରେ ୯୫.୦୬ ପ୍ରତିଶତ, ଜଟଣୀରେ ୯୪.୦୬ ପ୍ରତିଶତ, ବେଗୁନିଆରେ ୯୩.୧୫ ପ୍ରତିଶତ, ଖୋର୍ଦ୍ଧାରେ ୯୩.୪୦ ପ୍ରତିଶତ ଏବଂ ଚିଲିକାରେ ୯୪.୭୨ ପ୍ରତିଶତ ଫର୍ମ ସଂଗ୍ରହ କରାଯାଇଛି। ଚିଠା ଭୋଟର ତାଲିକା ପ୍ରକାଶ ପରେ ସାଧାରଣ ଲୋକଙ୍କ ପାଇଁ ଏବେ ଦାବି ଓ ଅଭିଯୋଗ ଦାଖଲ କରିବାର ସୁଯୋଗ ରହିଛି।

ନୂଆ ଯୋଗ୍ୟ ଭୋଟରମାନେ ଫର୍ମ-୬ ମାଧ୍ୟମରେ ନିଜ ନାମ ପଞ୍ଜୀକରଣ କରିପାରିବେ। ଭୋଟର ତାଲିକାରେ ଥିବା ନାମ, ଠିକଣା, ବୟସ କିମ୍ବା ଅନ୍ୟାନ୍ୟ ତଥ୍ୟରେ ସଂଶୋଧନ ପାଇଁ ଫର୍ମ-୮ ଏବଂ ମୃତ, ସ୍ଥାନାନ୍ତରିତ କିମ୍ବା ଅନ୍ୟ କୌଣସି କାରଣରୁ ଅଯୋଗ୍ୟ ଭୋଟରଙ୍କ ନାମ ବାଦ ଦେବା ପାଇଁ ଫର୍ମ-୭ରେ ଆବେଦନ କରାଯାଇପାରିବ। ଏହି ସମସ୍ତ ଆବେଦନର ଶୁଣାଣି ସହାୟକ ଓ ଅତିରିକ୍ତ ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନେ ୫ ଜୁଲାଇରୁ ୪ ଅଗଷ୍ଟ ପର୍ଯ୍ୟନ୍ତ କରିବେ। ଅଭିଯୋଗଗୁଡ଼ିକର ନିଷ୍ପତ୍ତି ୨ ସେପ୍ଟେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବା ପରେ ୬ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହି ସଂଶୋଧନ ପ୍ରକ୍ରିୟା ସହିତ ଜିଲ୍ଲାରେ ବୁଥଗୁଡ଼ିକର ପୁନଃଗଠନ ମଧ୍ୟ କରାଯାଇଛି। ୨୦୨୫ ମସିହାରେ ଜିଲ୍ଲାରେ ୧୨୪୨ଟି ଭୋଟଗ୍ରହଣ କେନ୍ଦ୍ର ଥିବାବେଳେ ପୁନଃଗଠନ ପରେ ୩୩୭ଟି ନୂଆ ବୁଥ ଚିହ୍ନଟ କରାଯାଇଛି। ଏହା ଫଳରେ ଜିଲ୍ଲାର ମୋଟ ବୁଥ ସଂଖ୍ୟା ବଢ଼ି ୧୫୭୯ରେ ପହଞ୍ଚିବ। ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ସର୍ବାଧିକ ୯୧ଟି ନୂଆ ବୁଥ ସୃଷ୍ଟି ହୋଇଥିବାବେଳେ ଚିଲିକାରେ ୮୪, ବେଗୁନିଆରେ ୬୭, ଜଟଣୀ ୮୦ ଏବଂ ଜୟଦେବରେ ୧୫ଟି ନୂଆ ବୁଥ ଗଠନ କରାଯାଇଛି। ବୁଥ ସଂଖ୍ୟା ବୃଦ୍ଧି ପାଇବା ଫଳରେ ଭୋଟରମାନେ ନିକଟସ୍ଥ କେନ୍ଦ୍ରରେ ମତଦାନ କରିବାର ସୁବିଧା ପାଇବେ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି।

ଭୋଟର ତାଲିକା ସଂଶୋଧନ କାର୍ଯ୍ୟକୁ ଅଧିକ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ବୁଥ ସ୍ତରୀୟ ପ୍ରତିନିଧିଙ୍କୁ ନିଯୁକ୍ତ କରିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ବିଏଲଓମାନଙ୍କ ସହ ସମନ୍ୱୟ ରକ୍ଷା କରି ଘରକୁ ଘର ଯାଇ ଭୋଟରଙ୍କୁ ସଚେତନ କରିବା ଏବଂ ସଠିକ ତଥ୍ୟ ସଂଗ୍ରହରେ ସେମାନେ ସହଯୋଗ କରୁଛନ୍ତି। ଜିଲ୍ଲା ପ୍ରଶାସନ ସାଧାରଣ ଜନତାଙ୍କୁ ଅନୁରୋଧ କରିଛି ଯେ, ପ୍ରତ୍ୟେକ ଭୋଟର ନିଜ ନାମ ଚିଠା ଭୋଟର ତାଲିକାରେ ଯାଞ୍ଚ କରିବା ସହ ଯଦି କୌଣସି ତ୍ରୁଟି ଥାଏ, ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୃକ୍ତ ବିଏଲଓ କିମ୍ବା ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ଆବେଦନ କରନ୍ତୁ। ଏହାଛଡ଼ା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ, ଇ.ସି.ଆଇ ନେଟ ଆପରେ ‘ ବୁକ ଏ କଲ ‘ ଅଥବା ଟୋଲ୍-ଫ୍ରି ୧୯୫୦ ଭୋଟର ସହାୟତା ନମ୍ବର ମାଧ୍ୟମରେ ମଧ୍ୟ ସମସ୍ତ ତଥ୍ୟ ଓ ସହାୟତା ମିଳିପାରିବ। ପ୍ରଶାସନର ମତରେ, ଏକ ଶୁଦ୍ଧ, ସଠିକ ଓ ନିର୍ଭୁଲ ଭୋଟର ତାଲିକା ହିଁ ଗଣତନ୍ତ୍ରର ମୂଳଦୁଆକୁ ଆହୁରି ସୁଦୃଢ଼ କରିଥାଏ। ସେଥିପାଇଁ ଚଳିତ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ନାଗରିକ ସକ୍ରିୟ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ଆହ୍ୱାନ ଜଣାଇଛି।

Subha Khabar is now on Whatsapp
Join and get latest news update delivered to you via whatsapp
Join Now
