ଟି.ଏଲ.ସି .ରାସ୍ତା ନିର୍ମାଣ ବେଳେ ପାନୀୟ ଜଳ ପାଇପ ନଷ୍ଟ; ରାସ୍ତାରେ ବୋହୁଛି ପାଣି ;

ଜିଲ୍ଲା ପ୍ରେସ୍ କ୍ଲବ୍‌ରେ ଦୁଇ ଦିନ ଧରି ଜଳ ସଙ୍କଟ; ପାଇପ୍ ମରାମତି ଓ ଜଳ ଅପଚୟ ରୋକିବାକୁ ଦାବି

ଦିଲ୍ଲୀପ କୁମାର ପଟ୍ଟନାୟକ

Advertisement

ଖୋର୍ଦ୍ଧା, ୧୦ ଅକ୍ଟୋବର: ଖୋର୍ଦ୍ଧା ସହରର ଟି.ଏଲ୍.ସି. ରାସ୍ତାରେ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଜେସିବି ମେସିନ ଦ୍ୱାରା ଖୋଳାଖୋଳି ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ପ୍ରେସ କ୍ଲବ୍‌କୁ ୱାଟ୍‌କୋ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାନୀୟ ଜଳ ପାଇପ୍ ନଷ୍ଟ ହୋଇଯାଇଛି। ଫଳରେ ପାଇପ୍‌ରୁ ଅବିରତ ପାଣି ବାହାରି ରାସ୍ତା ଉପରେ ଜମା ହେଉଥିବାବେଳେ ଅନ୍ୟପଟେ ଜିଲ୍ଲା ପ୍ରେସ୍ କ୍ଲବ୍‌ରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି।

ପାଣି ପାଇପି ଫାଟି ଜଳ ନିର୍ଗତ ହେଉଥିବାର ଦୃଶ୍ୟ

ଏହି ସମସ୍ୟା ଗତ ଦୁଇ ଦିନ ଧରି ଲାଗି ରହିଥିଲେ ମଧ୍ୟ ପାଇପ ମରାମତି ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।


ସ୍ଥାନୀୟ ଅଞ୍ଚଳରେ ରାସ୍ତା ନିର୍ମାଣ ପାଇଁ ମାଟି ଖୋଳାଯାଉଥିବା ସମୟରେ ଭୂତଳ ଜଳ ଯୋଗାଣ ପାଇପ୍‌ଟି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ପାଇପ ଫାଟିଯିବାରୁ ଜଳ ନିରନ୍ତର ଭାବେ ବାହାରି ରାସ୍ତା ଉପରେ ବୋହୁଛି। ରାସ୍ତାର ଗୋଟିଏ ପାର୍ଶ୍ୱରେ ମାଟି ଓ ନିର୍ମାଣ ସାମଗ୍ରୀ ଜମା ହୋଇ ରହିଥିବାବେଳେ ଅନ୍ୟପଟେ ପାଣି ଜମି ରହିବା ଯୋଗୁଁ ରାସ୍ତାର ସ୍ଥିତି ଅଧିକ ଶୋଚନୀୟ ହୋଇପଡ଼ିଛି। ରାତି ସମୟରେ ଏଭଳି ପରିସ୍ଥିତିରେ ଯାନବାହନ ଚଳାଚଳ ଓ ପଥଚାରୀଙ୍କ ଯାତାୟାତରେ ଅସୁବିଧା ସୃଷ୍ଟି ହେବାର ଆଶଙ୍କା ରହିଛି।


ଅନ୍ୟପକ୍ଷରେ, ପାଇପ ନଷ୍ଟ ହେବା ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ପ୍ରେସ୍ କ୍ଲବ୍‌କୁ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଗତ ଦୁଇ ଦିନ ଧରି ଜଳ ଯୋଗାଣ ସ୍ୱାଭାବିକ ନହେବାରୁ କ୍ଲବ୍‌ର ସଦସ୍ୟମାନେ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପଟେ ଜଳର ଆବଶ୍ୟକତା ଥିବାବେଳେ ଅନ୍ୟପଟେ ପାଇପ୍ ଫାଟି ରାସ୍ତା ଉପରେ ପାଣି ବୋହିବା ଘଟଣା ଜଳ ଅପଚୟ ରୋକିବା ନେଇ ପ୍ରଶ୍ନ ସୃଷ୍ଟି କରିଛି।
ଏ ସମ୍ପର୍କରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଠିକାଦାର ସଂସ୍ଥାର କର୍ମଚାରୀମାନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ପାଇପ ମରାମତିରେ ବିଳମ୍ବ ଯୋଗୁଁ ଜଳ ଅପଚୟ ଜାରି ରହିବା ସହ ପ୍ରଭାବିତ ଅଞ୍ଚଳରେ ଜଳ ଯୋଗାଣ ସ୍ୱାଭାବିକ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି।
ଏଭଳି ସ୍ଥିତିରେ ଠିକାଦାର ସଂସ୍ଥା ତୁରନ୍ତ କ୍ଷତିଗ୍ରସ୍ତ ପାଇପ୍‌ର ମରାମତି କରି ଜଳ ଯୋଗାଣ ପୁନଃ ସ୍ୱାଭାବିକ କରିବା ସହ ରାସ୍ତା ଉପରେ ଜମି ରହୁଥିବା ପାଣିର ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଏଥିସହ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ଜଳ ଯୋଗାଣ ବିଭାଗ ଏହି ଘଟଣାରେ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରେସ୍ କ୍ଲବ୍ ପକ୍ଷରୁ ଅନୁରୋଧ କରାଯାଇଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *