ଦିଲ୍ଲୀପ କୁମାର ପଟ୍ଟନାୟକ
ଖୋର୍ଦ୍ଧା, ୫/୧୦: ଖୋର୍ଦ୍ଧା ଜିଲ୍ଲାର ୨୦୨୪ ବ୍ୟାଚ୍ର କନିଷ୍ଠ ଶିକ୍ଷକଙ୍କ ନିୟମିତକରଣ ପ୍ରକ୍ରିୟାକୁ ଶୀଘ୍ର ଆଗେଇ ନେବା ଦାବି ଜୋରଦାର ହୋଇଛି। ଏହି ଦାବି ନେଇ ସୋମବାର ଶତାଧିକ କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଜିଲ୍ଲା ସଭାପତି ଅଶୋକ କୁମାର ସେଠୀ ଓ ସମ୍ପାଦକ ଦୀନେଶ କୁମାର ମହାରଥୀଙ୍କ ନେତୃତ୍ୱରେ କନିଷ୍ଠ ଶିକ୍ଷକମାନେ ଏକତ୍ରିତ ହୋଇ ନିୟମିତକରଣ ପ୍ରକ୍ରିୟାରେ ଆଉ ବିଳମ୍ବ ନକରିବାକୁ ଜିଲ୍ଲା ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଅନ୍ୟ ଏକ ସରକାରୀ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରଶ୍ମିବାଳା ପରିଡ଼ା ଶିକ୍ଷକମାନଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ

ଶିକ୍ଷକମାନଙ୍କ କହିବାନୁଯାୟୀ, ନିୟମିତକରଣ ପାଇଁ ସେମାନେ ଦୀର୍ଘଦିନ ଧରି ଦାବି ଜଣାଇ ଆସୁଛନ୍ତି। ଏହି ଦାବିକୁ ନେଇ ବିଭିନ୍ନ ସମୟରେ ସଂଘ ପକ୍ଷରୁ ମଧ୍ୟ ସରକାରଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରାଯାଇଛି। ଏବେ ନିୟମିତକରଣ ସମ୍ପର୍କରେ ବିଭାଗୀୟ ନିର୍ଦ୍ଦେଶ ଜାରି ହୋଇଥିବାରୁ ଜିଲ୍ଲାସ୍ତରରେ ପ୍ରକ୍ରିୟାକୁ ଆଉ ବିଳମ୍ବ ନକରି ଆଗେଇ ନେବାକୁ ସେମାନେ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ଗତ ୧ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନାଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କ ନିୟମିତକରଣ ସମ୍ପର୍କରେ ବିଜ୍ଞପ୍ତି ଜାରି ହୋଇଛି। ବିଭାଗର ପତ୍ର ସଂଖ୍ୟା ୨୫୭୭୮/ଏସ୍ଏମ୍ଇ, ତାରିଖ ୧/୧୦/୨୦୨୬ ଏବଂ ଫାଇଲ୍ ନମ୍ବର ଏସ୍ଏମ୍ଇ-ଇଏଲ୍୨-ଇଏଲ୍୨-୦୧୫୯-୨୦୨୫ ମାଧ୍ୟମରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି।
ବିଭାଗୀୟ ନିର୍ଦ୍ଦେଶ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ତୁରନ୍ତ ଗ୍ରହଣ କରି ନିୟମିତକରଣ ପ୍ରକ୍ରିୟା ଆରମ୍ଭ ଓ ସମାପ୍ତ କରିବାକୁ ଦାବିପତ୍ରରେ ଅନୁରୋଧ କରାଯାଇଛି। ଦୀର୍ଘ ପ୍ରତୀକ୍ଷା ପରେ ନିୟମିତକରଣର ଆଶା ସୃଷ୍ଟି ହୋଇଥିବାରୁ ଶିକ୍ଷକମାନଙ୍କ ମଧ୍ୟରେ ଆଶା ଓ ଉତ୍ସାହ ପ୍ରକାଶ ପାଇଛି।
ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ଯୁଧିଷ୍ଠିର ସାହୁ ଏହି ଦାବିପତ୍ର ପ୍ରଦାନରେ ସାମିଲ ହୋଇଥିବା କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ସେମାନଙ୍କ ନ୍ୟାଯ୍ୟ ଦାବି ପୂରଣ ପାଇଁ ଆଗାମୀ ଦିନରେ ମଧ୍ୟ ସଂଘର ସହଯୋଗ ଜାରି ରହିବ ବୋଲି ସେ କହିଥିଲେ। ଖୋର୍ଦ୍ଧା ବ୍ଲକ୍ ସମ୍ପାଦକ ଅମୀୟ କୁମାର ପରିଡ଼ା ମଧ୍ୟ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ନୃସିଂହମଣି ବେହେରା, ଗଦାଧର ସାହୁ, ତପନ କୁମାର ବେହେରା, ସୌମ୍ୟରଞ୍ଜନ ରଥ, ତାରିଣୀ ଦେବଦୀପ ମହାନ୍ତି, ଲକ୍ଷ୍ମୀଧର ଭୋଳ, କୃତିବାସ ଦାସ, ଯଯାତି କେଶରୀ ବଡ଼ଜେନା, ଚନ୍ଦନ ପାଇକରାୟ, ରାମକୃଷ୍ଣ ପ୍ରଧାନ, ପ୍ରଭୁକଲ୍ୟାଣ ପରିଡ଼ା, ଚିତ୍ତରଞ୍ଜନ ରଣସିଂହ, ଜଗମୋହନ ପଟ୍ଟନାୟକ, ଅନନ୍ୟା ହରିଚନ୍ଦନଙ୍କ ସମେତ ବହୁ କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇଥିଲେ l
Subha Khabar is now on Whatsapp
Join and get latest news update delivered to you via whatsapp
Join Now
