୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ ରଗବୀ ଓ ସାଇକ୍ଲିଂ ଚାମ୍ପିୟନସିପ୍ ଉଦ୍‌ଘାଟିତ

ଦିଲ୍ଲୀପ କୁମାର ପଟ୍ଟନାୟକ

Advertisement

ଭୁବନେଶ୍ୱର, ୫/୧୦: ଭୁବନେଶ୍ୱର ଆଇ.ଆର୍.ସି. ଭିଲେଜ୍‌ସ୍ଥିତ ପି.ଏମ୍. ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ ରଗବୀ ଓ ସାଇକ୍ଲିଂ ଚାମ୍ପିୟନସିପ୍‌–୨୦୨୬ର ଶୁଭାରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ୧୪ ଓ ୧୭ ବର୍ଷରୁ କମ୍ ବୟସ ବର୍ଗର ବାଳକ ଓ ବାଳିକା କ୍ରୀଡ଼ାବିତ୍‌ମାନେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଉତ୍ସାହର ସହ ଅଂଶଗ୍ରହଣ କରୁଛନ୍ତି।


ଉଦ୍‌ଘାଟନୀ ସମାରୋହରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ତଥା ବିଦ୍ୟାଳୟ କ୍ରୀଡ଼ା ସଂଘର ସଭାପତି ଶ୍ରୀମତୀ ସୋନାମିକା ରାୟ ସଭାପତିତ୍ୱ କରିବା ସହ ଉପସ୍ଥିତ ସମସ୍ତ ଅତିଥି, କ୍ରୀଡ଼ାବିତ୍‌ ଓ ପ୍ରତିଯୋଗୀମାନଙ୍କୁ ସ୍ୱାଗତ ଜଣାଇଥିଲେ। ପରେ ଶାରୀରିକ ଶିକ୍ଷାର ସହକାରୀ ନିର୍ଦ୍ଦେଶକ ଜ୍ୟୋତି ପ୍ରସାଦ ପରିଡ଼ା ପ୍ରତିଯୋଗିତା ସମ୍ପର୍କିତ ବିବରଣୀ ଉପସ୍ଥାପନ କରିଥିଲେ।
ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ଶ୍ରୀମତୀ ଯୁଗଳେଶ୍ୱରୀ ଦାସ ଯୋଗଦେଇ କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିବା ସହ ପ୍ରେରଣାଦାୟୀ ଅଭିଭାଷଣ ପ୍ରଦାନ କରିଥିଲେ। ସେ କହିଥିଲେ, ଶିକ୍ଷା ସହିତ କ୍ରୀଡ଼ାର ସମନ୍ୱୟ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ। ନିୟମିତ କ୍ରୀଡ଼ା ଅଭ୍ୟାସ ଶୃଙ୍ଖଳା, ଆତ୍ମବିଶ୍ୱାସ, ନେତୃତ୍ୱ ଓ ପ୍ରତିଯୋଗିତାମୂଳକ ମନୋଭାବ ଗଢ଼ି ତୋଳିଥାଏ।
ବିଶେଷ ଅତିଥି ଭାବେ ଓଡ଼ିଶା ରଗବୀ ମହାସଂଘର ସଭାପତି ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ କ୍ରୀଡ଼ାବିତ୍‌ମାନଙ୍କୁ ନିଷ୍ଠା ଓ ଶୃଙ୍ଖଳାର ସହ ଖେଳିବାକୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଚନ୍ଦ୍ରମଣି ନାୟକ, କ୍ରୀଡ଼ା ଉପନିର୍ଦ୍ଦେଶକ ଜ୍ୟୋତି ପ୍ରସାଦ ପରିଡ଼ା ଏବଂ ଭାରପ୍ରାପ୍ତ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ଅଧିକାରୀ ଶ୍ରୀ ଶଙ୍କର୍ଷଣ ପ୍ରଧାନ ଯୋଗଦେଇଥିଲେ। ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ବେହେରା ମଧ୍ୟ ଉପସ୍ଥିତ ଥିଲେ।


ଏହି ଅବସରରେ ଚାମ୍ପିୟନସିପ୍‌ର ପତାକା ଉତ୍ତୋଳନ କରାଯାଇଥିଲା। ମୁଖ୍ୟ ଅତିଥି ଆନୁଷ୍ଠାନିକ ଭାବେ ୭୦ତମ ରାଜ୍ୟ ବିଦ୍ୟାଳୟସମୂହ ରଗବୀ ଓ ସାଇକ୍ଲିଂ ଚାମ୍ପିୟନସିପ୍‌–୨୦୨୬ର ଉଦ୍‌ଘାଟନ ଘୋଷଣା କରିଥିଲେ। ପରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିଯୋଗୀ ଦଳମାନେ ଶୃଙ୍ଖଳିତ ଭାବେ ପରେଡ୍‌ରେ ଅଂଶଗ୍ରହଣ କରିଥିଲେ।
ଉଦ୍‌ଘାଟନୀ ସମାରୋହର ଶେଷ ପର୍ଯ୍ୟାୟରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହା ପରେ ଅଂଶଗ୍ରହଣକାରୀ ଦଳଗୁଡ଼ିକ ମାର୍ଚ୍ଚ ଆଉଟ୍‌ କରିଥିଲେ।
ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବ କ୍ରୀଡ଼ାବିତ୍‌ମାନଙ୍କୁ ଏକ ବୃହତ୍‌ ପ୍ରତିଯୋଗିତାମୂଳକ ମଞ୍ଚ ପ୍ରଦାନ କରୁଥିବା ଏହି ଚାମ୍ପିୟନସିପ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଶୃଙ୍ଖଳା, ନେତୃତ୍ୱ ଗୁଣ ଓ ପ୍ରତିଭାର ବିକାଶ ହେବ ବୋଲି ଆଶା ପ୍ରକାଶ ପାଇଛି। ରଗବୀ ଓ ସାଇକ୍ଲିଂ ଭଳି ଦୁଇଟି ଶାରୀରିକ ଦକ୍ଷତା ଓ ମାନସିକ ଦୃଢ଼ତା ଆବଶ୍ୟକ କରୁଥିବା କ୍ରୀଡ଼ାରେ ରାଜ୍ୟର ଉଦୀୟମାନ କ୍ରୀଡ଼ା ପ୍ରତିଭାମାନେ ନିଜର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇବେ।


ଏହି ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ସଫଳ ଆୟୋଜନରେ ରିମାବାଳା ନାୟକ, ରୁପାଲି ସେନାପତି, ନିହାରିକା ପଣ୍ଡା, ଅନିତା କୁମାରୀ ନାୟକ, ତୋଫାନ କୁମାର ରାଉତରାୟ, ଦେବ ପ୍ରସାଦ ସାହୁ, ଶିବରାମ ସେନାପତି, ସତ୍ୟନାରାୟଣ ଛାଟୋଇ, କିଶୋର ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ। ନିରଞ୍ଜନ ଶତପଥୀ ମଞ୍ଚ ପରିଚାଳନା କରିଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *