୪ ହାଇୱା ଓ ପୋକଲେନ୍ ମେସିନ୍ ଜବତ; ଖଣି କାରବାରର ଚେର ଖୋଜୁଛି ପୁଲିସ
ଦିଲ୍ଲୀପ କୁମାର ପଟ୍ଟନାୟକ
ଖୋର୍ଦ୍ଧା, ୧୪।୧୦: ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଖୁଆ ପାହାଡ଼ରେ ବେଆଇନ କଳାପଥର ଖନନ ଓ ପରିବହନ ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ବୁଧବାର ସକାଳେ ପୁଲିସ ଚଢ଼ଉ କରି କଳାପଥର ବୋଝେଇ ୪ଟି ହାଇୱା ଟ୍ରକ୍ ସହ ଖନନରେ ବ୍ୟବହୃତ ଗୋଟିଏ ପୋକଲେନ୍ ମେସିନ୍ ଜବତ କରିଛି। ଏହି ଘଟଣା ପରେ ଖୋର୍ଦ୍ଧା ଅଞ୍ଚଳରେ ବେଆଇନ ଖଣି କାରବାରକୁ ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି।

ଗିରଫ ବ୍ୟକ୍ତିମାନେ ହେଲେ ଗଞ୍ଜାମ ଜିଲ୍ଲା ଚାମୁଣ୍ଡା ଗ୍ରାମର ସିମାଞ୍ଚଳ କର (୩୬), ବୌଦ୍ଧ ଜିଲ୍ଲା ତିରଡ଼ା ଗ୍ରାମର ଅଜିତ ସ୍ୱାଇଁ (୨୯), ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡ଼ା ଗ୍ରାମର ସତ୍ୟନାରାୟଣ ମହାପାତ୍ର (୩୮) ଏବଂ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦୁର୍ଗାପୁର ଗ୍ରାମର ପ୍ରକାଶ କୁମାର ଛୋଟରାୟ (୩୬)।
ପୁଲିସ ସୂତ୍ରରୁ ପ୍ରକାଶ, ଖୁଆ ପାହାଡ଼ରେ ବେଆଇନ କଳାପଥର ଖନନ ଚାଲିଥିବା ଖବର ପାଇ ଖୋର୍ଦ୍ଧା ସଦର ଥାନାର ଏକ ଟିମ୍ ବୁଧବାର ସକାଳ ପ୍ରାୟ ୭ଟା ୨୦ ମିନିଟ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁଇଜଣ ସାକ୍ଷୀଙ୍କ ଉପସ୍ଥିତିରେ ଚଢ଼ଉ ସମୟରେ ପୋକଲେନ୍ ମେସିନ୍ରେ ପାହାଡ଼ରୁ ପଥର ଖନନ କରାଯାଇ ହାଇୱା ଟ୍ରକ୍ରେ ବୋଝେଇ ହେଉଥିବା ଦେଖିବାକୁ ମିଳିଥିଲା। ପୁଲିସକୁ ଦେଖି କେତେକ ବ୍ୟକ୍ତି ନିକଟସ୍ଥ ବୁଦାଳିଆ ଅଞ୍ଚଳକୁ ଦୌଡ଼ି ପଳାଇଥିଲେ।

ପୁଲିସ ୪ଟି ହାଇୱା ଟ୍ରକ୍କୁ ଅଟକାଇ ଯାଞ୍ଚ କରିବା ସହ ଜବତ କରିଥିଲା। ଜବତ ଗାଡ଼ିଗୁଡ଼ିକର ପଞ୍ଜୀକରଣ ନମ୍ବର ହେଉଛି ଓଡ଼ି-୦୨-ବିକେ-୦୮୦୭, ଓଡ଼ି-୦୨-କ୍ୟୁ-୭୨୭୨, ଓଡ଼ି-୦୨-ଡବ୍ଲ୍ୟୁ-୨୯୦୮ ଏବଂ ଓଡ଼ି-୦୨-ଏଭି-୭୫୧୭। ଏଥିରୁ ଗୋଟିଏ ଟ୍ରକ୍ରେ ପୂର୍ଣ୍ଣ ମାତ୍ରାରେ ଓ ଅନ୍ୟ ତିନୋଟିରେ ଆଂଶିକ ଭାବେ କଳାପଥର ବୋଝେଇ ହୋଇଥିଲା। ଖନନରେ ବ୍ୟବହୃତ ପୋକଲେନ୍ ମେସିନ୍ର ମଡେଲ୍ ନମ୍ବର ଏସ୍ୱାଇ୨୧ଓସି ଏବଂ ସିରିଏଲ୍ ନମ୍ବର ଏସ୍ୱାଇ୦୨୦ସିଏଫ୍୦୬୨୨ଡି୮ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ଖଣିଜ ପଦାର୍ଥ ପରିବହନ ପାଇଁ ଆବଶ୍ୟକ ଟ୍ରାନଜିଟ୍ ପରମିଟ୍, ରୟାଲ୍ଟି ରସିଦ, ଚାଲାଣ କିମ୍ବା ଅନ୍ୟ ବୈଧ କାଗଜପତ୍ର ଦେଖାଇବାରେ ଗୋଟିଏ ଟ୍ରକ୍ର ଚାଳକ ବିଫଳ ହୋଇଥିଲେ। ଅନ୍ୟପକ୍ଷରେ, ଘଟଣାସ୍ଥଳରେ କଳାପଥର ଖନନ ପାଇଁ ବୈଧ ଲିଜ୍, ଲାଇସେନ୍ସ କିମ୍ବା ଅନୁମତିପତ୍ର ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୁଲିସ କହିଛି।
ଜବତ ଗାଡ଼ି ଓ ପୋକଲେନ୍ ମେସିନ୍କୁ ସାକ୍ଷୀଙ୍କ ଉପସ୍ଥିତିରେ ଜବତ କରାଯାଇ ତାଲିକା ପ୍ରସ୍ତୁତ କରାଯାଇଛି। ଅଭିଯୋଗକାରୀ ଓ ଅନ୍ୟ ସାକ୍ଷୀଙ୍କ ବୟାନ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୮୦ ଅନୁଯାୟୀ ରେକର୍ଡ କରାଯାଇଛି। ଅଧିକ ଆର୍ଥିକ ଲାଭ ଉଦ୍ଦେଶ୍ୟରେ ସଂଗଠିତ ଭାବେ ଖନନ ଓ ପରିବହନ କରାଯାଉଥିବା ପୁଲିସ ସନ୍ଦେହ କରୁଛି। ଖନନ ହୋଇଥିବା ପଥର ସ୍ଥାନୀୟ ଅଞ୍ଚଳରେ ବିକ୍ରି ହେଉଥିବା ନେଇ ମଧ୍ୟ ତଦନ୍ତ ଚାଲିଛି।
ଏହି ଘଟଣାରେ ଖୋର୍ଦ୍ଧା ସଦର ଥାନାରେ କେସ୍ ନମ୍ବର ୫୦୨, ତାରିଖ ୧୪.୧୦.୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୨୯(୩), ୧୧୨(୨), ୬୧(୨), ୩୦୫(ଇ) ଓ ୩(୫) ସହିତ ଓଡ଼ିଶା କ୍ଷୁଦ୍ର ଖଣିଜ ରିହାତି ନିୟମାବଳୀର ଧାରା ୫୧(୧)(ଆଇ) ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ୪ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି। ସେମାନଙ୍କୁ ୧୫ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଇବା ନିମନ୍ତେ ପୁଲିସ ପକ୍ଷରୁ ଆବେଦନ କରାଯାଇଥିବା ଜଣାପଡ଼ିଛି।
ଏହି କାରବାରରେ ଜବତ ଗାଡ଼ି ଓ ପୋକଲେନ୍ ମେସିନ୍ର ମାଲିକ, ଅନ୍ୟ ଟ୍ରକ୍ଗୁଡ଼ିକର ଚାଳକ ଏବଂ ଅନ୍ୟ ସନ୍ଦିଗ୍ଧଙ୍କ ସମ୍ପୃକ୍ତି ନେଇ ପୁଲିସ ତଦନ୍ତ ଜାରି ରଖିଛି। ଖନନ ଓ ପଥର ପରିବହନରେ କାହାର କେତେ ଭୂମିକା ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
