ଗଣତନ୍ତ୍ରର ସୁରକ୍ଷା ନେଇ ନିର୍ବାଚନ ଆୟୋଗକୁ କଂଗ୍ରେସର ନିଶାଣ ;

ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଇସ୍ତଫା ଦାବି; ଏସ୍‌ଆଇଆର୍‌ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ଉଠାଇଲା ପ୍ରଶ୍ନ

ଦିଲ୍ଲୀପ କୁମାର ପଟ୍ଟନାୟକ

Advertisement

ଖୋର୍ଦ୍ଧା, ୨୮ା୧୦: ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ବିପଦରେ ରହିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଙ୍ଗିତରେ କାର୍ଯ୍ୟ କରୁଥିବା ଅଭିଯୋଗ କରିଛି କଂଗ୍ରେସ। ନିର୍ବାଚନ ଆୟୋଗର କାର୍ଯ୍ୟଧାରା ଓ ଭୋଟର ତାଲିକାର ସ୍ୱତନ୍ତ୍ର ତୀବ୍ର ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇବା ସହ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଇସ୍ତଫା ଦାବି କରିଛି ଦଳ।


ବୁଧବାର ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ପର୍ଯ୍ୟବେକ୍ଷକ ନିଳାଂଶୁ ଚତୁର୍ବେଦୀ ଏହି ଅଭିଯୋଗ ଆଣିଥିଲେ। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା, ନିରପେକ୍ଷତା ଓ ଭୋଟରଙ୍କ ଅଧିକାରର ସୁରକ୍ଷା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଶ୍ରୀ ଚତୁର୍ବେଦୀ କହିଥିଲେ ଯେ ଦେଶରେ ଚାଲିଥିବା ଏସ୍‌ଆଇଆର୍‌ ପ୍ରକ୍ରିୟାକୁ ବାତିଲ କରାଯିବା ଆବଶ୍ୟକ। ଏହି ପ୍ରକ୍ରିୟାରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ତୁରନ୍ତ ପୁନଃ ସାମିଲ କରିବାକୁ ସେ ଦାବି କରିଥିଲେ। ନିୟମିତ ବ୍ୟବଧାନରେ ପୂର୍ବଭଳି ଭୋଟର ତାଲିକା ସଂଶୋଧନ କରିବା ସହ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତି ସମ୍ପର୍କିତ ଆଇନକୁ ବାତିଲ କରିବା ପାଇଁ ମଧ୍ୟ ସେ ମତ ରଖିଥିଲେ।
ନିର୍ବାଚନ ଆୟୋଗର ସ୍ୱାଧୀନତା ଓ ସ୍ୱାୟତ୍ତତା ବଜାୟ ରଖିବା, ନିର୍ବାଚନ ବ୍ୟବସ୍ଥାରେ ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀ ପ୍ରଚଳନ କରିବା ଏବଂ ନିର୍ବାଚନରେ ଅର୍ଥବଳ ଓ ବାହୁବଳର ପ୍ରଭାବ ରୋକିବା ଉପରେ କଂଗ୍ରେସ ନେତା ଗୁରୁତ୍ୱ ଦେଇଥିଲେ।
ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ କାର୍ଯ୍ୟଧାରା ଦେଶର ଗଣତାନ୍ତ୍ରିକ ପରମ୍ପରା ପ୍ରତି ବିପଦ ସୃଷ୍ଟି କରୁଥିବା ଶ୍ରୀ ଚତୁର୍ବେଦୀ ଅଭିଯୋଗ କରିଥିଲେ। ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ଭାରତରେ ଭୋଟରମାନେ ନିଜ ମତଦାନ ଅଧିକାରକୁ ନେଇ ଆଶଙ୍କାରେ ରହିଥିବା ସେ କହିଥିଲେ। ଅନେକ ଭୋଟରଙ୍କ ନାମ ତାଲିକାରେ ରହିଛି କି ନାହିଁ, ସେନେଇ ଅନିଶ୍ଚିତତା ଦେଖାଦେଇଥିବା ତାଙ୍କର ଅଭିଯୋଗ। ତେଣୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିମୁକ୍ତ କରିବା ଜରୁରୀ ବୋଲି ସେ ମତ ଦେଇଥିଲେ।
ସାମ୍ବାଦିକ ସମ୍ମିଳନୀ ପରେ ଏକ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ପିସିସି ସାଧାରଣ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ପ୍ରିୟବ୍ରତ ସାମନ୍ତରାୟ, ବେଗୁନିଆ ବିଧାନସଭା ଆସନର ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ, ଖୋର୍ଦ୍ଧା ବିଧାନସଭା ଆସନର ପ୍ରାର୍ଥୀ ସୋନାଲି ସାହୁ, ଜଟଣୀ ବିଧାନସଭା ଆସନର ପ୍ରାର୍ଥୀ ସନ୍ତୋଷ ଜେନା ଓ ଚିଲିକା ବିଧାନସଭା ଆସନର ପ୍ରାର୍ଥୀ ପ୍ରଦୀପ ସ୍ୱାଇଁ ଯୋଗ ଦେଇଥିଲେ।
ଏହାସହ ସ୍ୱାଗତିକା ପଟ୍ଟନାୟକ, ସତ୍ୟଜିତ୍ ପଟ୍ଟନାୟକ, ସଦାଶିବ ମହାପାତ୍ର, ଶିଶିର ପରିଡ଼ା, ଅଶୋକ ମଙ୍ଗରାଜ, ଜୟଶ୍ରୀ ପଟ୍ଟନାୟକ, ଅଫ୍‌ସନା ବେଗମ୍‌, ରଞ୍ଜିତ ମହାପାତ୍ର, ଶୈଳେନ୍ଦୁ ଦାସ, ଶୁଭ୍ରାଂଶୁ ପଟ୍ଟନାୟକ, ମୌମୁଦିନ ମହମ୍ମଦ, ଅକ୍ଷୟ ମହାପାତ୍ର, ପ୍ରଦୋଷ ହରିଚନ୍ଦନ, ଜୟନ୍ତ ଦାସ, ଫକୀର ସାହୁ, ପ୍ରମୋଦ ସ୍ୱାଇଁ, ତାପସ ମିଶ୍ର, ଶେଖ୍‌ ସାଜିଦ୍‌, ପ୍ରତାପ ବେହେରା, ଜନ୍ମଜୟ ସ୍ୱାଇଁ, ସୌମ୍ୟ ପଟ୍ଟନାୟକ, ରମାକାନ୍ତ ପଟ୍ଟନାୟକ, ଉଗ୍ରସେନ ବିଶ୍ୱାଳ ଓ ଶ୍ରୀୟା ସେଠୀଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *