ବିଜ୍ଞପ୍ତି ବାତିଲ କରି ନୂଆ ବିଜ୍ଞପ୍ତି ପ୍ରକାଶ ଦାବି; ଦାବି ପୂରଣ ନ ହେଲେ ହାଇକୋର୍ଟ ଯିବ କଂଗ୍ରେସ
ଦିଲୀପ କୁମାର ପଟ୍ଟନାୟକ
ଖୋର୍ଦ୍ଧା, ୨୭/୧୦: ଓଡ଼ିଶା ପୁଲିସ ନିଯୁକ୍ତି ପ୍ରକ୍ରିୟାରେ ଖୋର୍ଦ୍ଧା ଜିଲ୍ଲାର ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଏବଂ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ ବର୍ଗ (ଏସ୍ଇବିସି)ର ଯୁବକଯୁବତୀଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ ଆଣିଛି କଂଗ୍ରେସ। ଏହି ବର୍ଗଙ୍କ ପାଇଁ ଖୋର୍ଦ୍ଧା ଜିଲ୍ଲାରେ କୌଣସି ପଦବି ନ ରହିବାକୁ ନେଇ ରାଜ୍ୟ ସରକାରଙ୍କ ନିଯୁକ୍ତି ନୀତି ଉପରେ ପ୍ରଶ୍ନ ଉଠାଇଛି ଦଳ। ବର୍ତ୍ତମାନର ନିଯୁକ୍ତି ବିଜ୍ଞପ୍ତିକୁ ବାତିଲ କରି ସମସ୍ତ ବର୍ଗଙ୍କୁ ଉପଯୁକ୍ତ ସୁଯୋଗ ଦେଇ ନୂଆ ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବି କରାଯାଇଛି। ଦାବି ପୂରଣ ନ ହେଲେ କଂଗ୍ରେସ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦିକା ତଥା ମୁଖପାତ୍ର ସୋନାଲି ସାହୁ ଚେତାବନୀ ଦେଇଛନ୍ତି।

ମଙ୍ଗଳବାର ଜାରି ଏକ ପ୍ରେସ୍ ବିବୃତିରେ ସୋନାଲି କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ପୁଲିସରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବା ସ୍ୱାଗତଯୋଗ୍ୟ ପଦକ୍ଷେପ। ତେବେ ନିଯୁକ୍ତି ପ୍ରକ୍ରିୟାରେ ପଛୁଆ ବର୍ଗଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ନ ମିଳିବା ଚିନ୍ତାଜନକ ବୋଲି ସେ ଅଭିଯୋଗ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଓବିସି ଓ ଏସ୍ଇବିସି ବର୍ଗର ଜନସଂଖ୍ୟା ଉଲ୍ଲେଖନୀୟ ଥିବା ସତ୍ତ୍ୱେ ନିଯୁକ୍ତି ବିଜ୍ଞପ୍ତିରେ ସେମାନଙ୍କ ପାଇଁ ପଦବି ନ ରହିବା ଦୁର୍ଭାଗ୍ୟଜନକ ବୋଲି ସେ ମତ ଦେଇଛନ୍ତି।
ସୋନାଲିଙ୍କ ଦାବି ଅନୁଯାୟୀ, ଓଡ଼ିଶାରେ ଓବିସି ଓ ଏସ୍ଇବିସି ବର୍ଗର ଜନସଂଖ୍ୟା ପ୍ରାୟ ୫୪ ପ୍ରତିଶତ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ଏହି ବର୍ଗର ଜନସଂଖ୍ୟା ପ୍ରାୟ ୪୫ରୁ ୫୦ ପ୍ରତିଶତ। ଏତେ ବଡ଼ ଜନସଂଖ୍ୟା ଥିବା ସତ୍ତ୍ୱେ ପୁଲିସ ନିଯୁକ୍ତିରେ ଏହି ବର୍ଗର ଯୁବକଯୁବତୀଙ୍କୁ ସୁଯୋଗ ନ ମିଳିବା ସାମାଜିକ ନ୍ୟାୟର ପରିପନ୍ଥୀ ବୋଲି ସେ ଅଭିଯୋଗ କରିଛନ୍ତି। ଏହି ବର୍ଗର ଲୋକମାନେ ଜିଲ୍ଲାର ରାଜସ୍ୱ ଆଦାୟରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଥିବାବେଳେ ନିଯୁକ୍ତି କ୍ଷେତ୍ରରେ ସେମାନଙ୍କୁ ଉପଯୁକ୍ତ ସୁଯୋଗ ନ ଦେବା ଅନ୍ୟାୟ ବୋଲି ସେ କହିଛନ୍ତି।
ଏହି ପ୍ରସଙ୍ଗରେ ଖୋର୍ଦ୍ଧା, ଚିଲିକା, ଜଟଣୀ ଓ ବୋଲଗଡ଼ ଅଞ୍ଚଳର ବିଧାୟକମାନଙ୍କ ନିରବତାକୁ ନେଇ ମଧ୍ୟ ସୋନାଲି ପ୍ରଶ୍ନ ଉଠାଇଛନ୍ତି। ପଛୁଆ ବର୍ଗର ଭୋଟରଙ୍କ ସମର୍ଥନରେ ନିର୍ବାଚିତ ହୋଇଥିବା ଜନପ୍ରତିନିଧିମାନେ ଏହି ବର୍ଗର ଯୁବକଯୁବତୀଙ୍କ ନିଯୁକ୍ତି ସୁଯୋଗ ସମ୍ପର୍କରେ ନିଜର ମତ ରଖିବା ଉଚିତ ବୋଲି ସେ କହିଛନ୍ତି। ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ଦିଗରେ ସେମାନେ ସ୍ୱର ଉତ୍ତୋଳନ ନ କରିବା ଦାୟିତ୍ୱହୀନତାର ପରିଚୟ ବୋଲି ସେ ଅଭିଯୋଗ କରିଛନ୍ତି।
ସେହିପରି ଭୁବନେଶ୍ୱରର ସାଂସଦଙ୍କ ଭୂମିକାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଜିଲ୍ଲାର ପଛୁଆ ବର୍ଗର ଯୁବକଯୁବତୀଙ୍କ ନିଯୁକ୍ତି ସୁଯୋଗ ଓ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ଜନପ୍ରତିନିଧିମାନେ ଆଗେଇ ଆସିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
ସାମାଜିକ ନ୍ୟାୟ ପ୍ରସଙ୍ଗ ଉଠାଇ ସୋନାଲି କହିଛନ୍ତି ଯେ ଜନସଂଖ୍ୟା ଅନୁପାତରେ ବିଭିନ୍ନ ବର୍ଗଙ୍କୁ ଶିକ୍ଷା, ନିଯୁକ୍ତି ଓ ଅନ୍ୟାନ୍ୟ କ୍ଷେତ୍ରରେ ସୁଯୋଗ ମିଳିବା ଉଚିତ। ଏହି ଦାବିକୁ ନେଇ ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀ ରାସ୍ତାରୁ ସଂସଦ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିବା ସେ ଉଲ୍ଲେଖ କରିଛନ୍ତି।
ତେଣୁ ଓଡ଼ିଶା ପୁଲିସ ନିଯୁକ୍ତିରେ ଖୋର୍ଦ୍ଧା ଜିଲ୍ଲାର ଓବିସି ଓ ଏସ୍ଇବିସି ବର୍ଗର ଯୁବକଯୁବତୀଙ୍କୁ ଉପଯୁକ୍ତ ସୁଯୋଗ ଦେବା ସହ ବର୍ତ୍ତମାନର ବିଜ୍ଞପ୍ତିକୁ ବାତିଲ କରି ନୂତନ ବିଜ୍ଞପ୍ତି ଜାରି କରିବାକୁ କଂଗ୍ରେସ ଦାବି କରିଛି। ରାଜ୍ୟ ସରକାର ଏହି ଦାବି ଉପରେ ପଦକ୍ଷେପ ନ ନେଲେ ଦଳ ଆଇନଗତ ଲଢ଼େଇକୁ ଓହ୍ଲାଇବ ଏବଂ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବ ବୋଲି ସୋନାଲି ସାହୁ ସ୍ପଷ୍ଟ କରିଛନ୍ତି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
