ଖୋର୍ଦ୍ଧା,(୧୮/୧୨):- ହଟ୍ଟକେଶ୍ୱର ମକର ମହୋତ୍ସବ,ଅଟ୍ରି, ବାଘମାରି, ବେଗୁନିଆ ପଞ୍ଚ ଦିବସୀୟ ଜାନୁୟାରୀ ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ମକର ମହୋତ୍ସବ ମହା ସମାରୋହରେ ଉଷ୍ଣ ପ୍ରସବଣ ପରିସରରେ ପାଳନ କରିବା ନିମନ୍ତେ ସ୍ଥାନୀୟ ବିଧାୟକ ଏବଂ ମକର ମହୋତ୍ସବ କମିଟି ସଭାପତି ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିରୀକୃତ ପାଇଁ ଏକ ପ୍ରସ୍ତୁତି ବୈଠକ ବେଗୁନିଆ ପଂଚାୟତ ସମିତି ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି ।

ଉକ୍ତ ବୈଠକରେ ତହସିଲଦାର ଏବଂ ମକର ମହୋତ୍ସବ କମିଟି ଆବାହକ ତାପସ କୁମାର ବିଶି,ବି ଡି ଓ, ବେଗୁନିଆ ତଥା ସଂଯୋଜକ ମକର ମହୋତ୍ସବ କମିଟି ସନ୍ତୋଷ କୁମାର ଜେନା, ବେଗୁନିଆ ପଂଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ଜିଲ୍ଲାପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ, ଉପ ନିବନ୍ଧକ, ବେଗୁନିଆ ,ଅମିତ୍ କୁମାର ସେଠୀ , ଭାରପ୍ରାପ୍ତ ଥାନା ଅଧିକାରୀ, ବାଘମାରି, ସୁଚିତ୍ରା ଜେନା ପ୍ରମୁଖ ମଞ୍ଚାଷୀନ ଥିଲେ ।
ପ୍ରାରମ୍ଭରେ ମହୋତ୍ସବ କମିଟି କାର୍ଯ୍ୟକାରୀ ସଭାପତି ଭଗବାନ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ମହାପାତ୍ର ପଞ୍ଚ ଦିବସୀୟ ଐତିହ୍ୟ ଓ ପରମ୍ପରା ହଟ୍ଟକେଶ୍ୱର, ଅଟ୍ରି, ବାଘମାରି ମକର ମହୋତ୍ସବ ପାଳନ -୨୦୨୬ ସମ୍ଵନ୍ଧରେ ସୂଚନା ପ୍ରଦାନ କରିଥିଲେ ।

ବିଧାୟକ ଶ୍ରୀ ସାହୁ କମିଟି ସ୍ଥଳରେ ପାନୀୟଜଳ, ସ୍ୱାସ୍ଥ୍ୟସେବା, ଅଗ୍ନିଶମ ସେବା, ପରିମଳ ବ୍ୟବସ୍ଥା, ଆଲୋକିକରଣ ବ୍ୟବସ୍ଥା, ମହୋତ୍ସବ ସ୍ଥଳକୁ ସଂଯୋଗିକରଣ ରାସ୍ତା ମରାମତି ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ରାସ୍ତା ଓ ଗୁହ ନିର୍ମାଣ ବିଭାଗ ଦ୍ଵାରା, ପର୍ଯ୍ୟଟନ ବିଭାଗ ଦ୍ଵାରା ଉଷ୍ଣ ପ୍ରସବଣ ପରିସର ସଫା, ପାନ୍ଥନିବାସ ର ପୁନଃଉଦ୍ଧାର, ସ୍ନାନ ଘାଟ ମରାମତି,ପାଚେରି ନିର୍ମାଣ ଓ ପରିସର ନବୀକରଣ କରିବା, ଜଳ ପରିମଳ ବିଭାଗ ଦ୍ଵାରା ଶୌଚାଳୟ ର ମରାମତି ,ବାଇପାସ୍ ରାସ୍ତା ରେ ଧୂଳି ପ୍ରସବନ ଓ ପରିମଳ ବ୍ୟବସ୍ଥା ପାଇଁ ,ପାଣି ବ୍ୟବସ୍ଥା, କୃଷି, ଉଦ୍ୟାନ କୃଷି, ଶିକ୍ଷା , ପାଟ ବସ୍ତ୍ର , ଓର୍ମାସ ଦ୍ଵାରା ଷ୍ଟଲ ସ୍ଥାପନ, ପୁଲିସ ପ୍ରଶାସନ ତରଫରୁ ଆଇନଶୃଙ୍ଖଳା ସେବା ଯୋଗାଇ ଦେବା ଉପରେ ସମୀକ୍ଷା କରି ବିଭାଗୀୟ ଅଧିକାରୀ ମାନେ ସୁଚାରୁରୂପେ ଦାୟିତ୍ବ ସମ୍ପାଦନ ନିମନ୍ତେ ନିର୍ଦେଶ ଦେଇଥିଲେ ।

ସର୍ବୋପରି ଚଳିତ ହଟ୍ଟକେଶ୍ୱେର ମହୋତ୍ସବ-୨୦୨୬ କୁ ଶାନ୍ତି ଶୃଙ୍ଖଳା, ଭାଇ ଚାରା, ରାଷ୍ଟ୍ରୀୟ ସଂହତି ସମ୍ପ୍ରୀତି ସହ ସମାପନ କରିବାକୁ ବିଧାୟକ ଶ୍ରୀ ସାହୁ ଅଞ୍ଚଳବାସି ସମେତ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମୀରା ବେହେରା, ବିଭିନ୍ନ ଲାଇନ୍ ଡିପାର୍ଟ ମେଣ୍ଟ ଅଧିକାରୀ, ବିଭିନ୍ନ ବ୍ଳକ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଅଧିକାରୀ,ମହୋତ୍ସବ କମିଟି କର୍ମକର୍ତ୍ତା, ସ୍ଥାନୀୟ ଜନପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ l
Subha Khabar is now on Whatsapp
Join and get latest news update delivered to you via whatsapp
Join Now
