ନୂଆପଡ଼ାରେ ନକଲି ଭୋଟରଙ୍କୁ ଆୟୁଧ କରିଛି ବିଜେପି: ବିଜେଡି

ପ୍ରଶାସନିକ ବିଫଳତା ପାଇଁ ବହୁ ଲୋକ ଗଣତାନ୍ତ୍ରିକ ଅଧୂକାରରୁ ବଞ୍ଚିତ ହେଲେ

ନିନ୍ଦା କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଭୁବନେଶ୍ବର,( ୧୧/୧୧): – ନୂଆପଡ଼ା ଉପନିର୍ବାଚନରେ ନକଲି ଭୋଟର । ନୂଆପଡ଼ାର ଅସଲି ଭୋଟରଙ୍କ ଜାଗାରେ ଭୋଟ ଦେଇଛନ୍ତି ଛତିଶଗଡ଼ରୁ ଆସିଥିବା ଲୋକ । ଆଜି ମତଦାନକୁ ନେଇ ଏପରି ସାଙ୍ଘାତିକ ଅଭିଯୋଗ ଆଣି ବିଜେପି ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି ବିଜୁ ଜନତା ଦଳ । ବିଜେଡି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ ଅଭିଯୋଗ ପତ୍ରରେ କୁହାଯାଇଛି ଯେ, ନୂଆପଡ଼ା ଉପନିର୍ବାଚନରେ ବ୍ୟାପକ ହେରଫେରରେ ବିଜେପି ସାମିଲ ଅଛି । ଏକ ବଡ଼ ଷଡ଼ଯନ୍ତ୍ରକ୍ରମେ ବିଜେପି ଛତିଶଗଡ଼ ଓ ଅନ୍ୟାନ୍ୟ ସ୍ଥାନରୁ ଲୋକଙ୍କୁ ଆଣି ସଂଗଠିତ ଭାବେ ବିଭିନ୍ନ ବୁଥ୍ ନିକଟରେ ରଖୁଥିଲା । ସେମାନେ ନକଲି ପରିଚୟପତ୍ର ବଳରେ ବିଭିନ୍ନ ବୁଥ୍ ରେ ପଶି ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସପକ୍ଷରେ ଭୋଟ ଦେଇଛନ୍ତି ବୋଲି ବିଜେଡି ପ୍ରତିନିଧୂ ଦଳ ଅଭିଯୋଗ କରିଛନ୍ତି।

Advertisement



ବିଜେଡ କହିଛି ଯେ, କ୍ଷମତା ହାତେଇବା ନିଶାରେ ବିଜେପି ନେତାମାନେ ଲୋକତନ୍ତ୍ରକୁ ଥଟ୍ଟା ମଜାରେ ପରିଣତ କରିଛନ୍ତି। ନୂଆପଡ଼ାବାସୀଙ୍କ ଆକ୍ରୋଶ ଭୋଟରେ ପ୍ରତିଫଳିତ ହେଉଥିବା ଦେଖ୍ ବିଜେପି ବିରାଟ ବଡ଼ ଷଡ଼ଯନ୍ତ୍ର କ୍ରମେ ନକଲି ଭୋଟରଙ୍କ ସହାୟତା ନେଇ ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ପଛାଇ ନାହିଁ। ସୁଚିନ୍ତିତ ଯୋଜନାକ୍ରମେ ଅପରାହ୍ନ ୩.୩୦ ପରେ ନକଲି ଭୋଟର ମାନଙ୍କୁ ବିଭିନ୍ନ ବୁଥରେ ପଶିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଦୂରଦୂରାନ୍ତରୁ ନିଜ ମତାଧୂକାର ସାବ୍ୟସ୍ତ କରିବା ପାଇଁ କାହିଁ କେତେ ସାଧାରଣ ଭୋଟର ଧାଇଁ ଆସିଥିଲେ । କିନ୍ତୁ ନକଲି ଭୋଟର ଓ ପ୍ରଶାସନିକ ବିଫଳତା ପାଇଁ ସେମାନେ ନିଜ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ ହେଲେ। ନୂଆପଡ଼ାର ସମସ୍ତ ଅତିସମ୍ବେଦନଶୀଳ ବୁଥ୍ ଗୁଡ଼ିକ ସମ୍ପର୍କରେ ବିଜେଡି ଆଗୁଆ ସୂଚନା ଦେଇ ବିହିତ ପଦକ୍ଷେପ ନେବା ଲାଗି ଅନୁରୋଧ କରିଥିଲା। କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ସବୁ ନୀତି, ନୈତିକତାକୁ ଜଳାଞ୍ଜଳି ଦେଇ ବିଜେପି ନୂଆପଡ଼ା ଉପନିର୍ବାଚନ ଜିତିବା ପାଇଁ ଉଦ୍ୟମ କରିଛି।


ଏହାକୁ ବିଜେଡି ଘୋର ନିନ୍ଦା କରିବା ସହିତ ନିର୍ବାଚନର ପବିତ୍ରତା ରକ୍ଷା କରିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ବିଜେଡିର ଏହି ପ୍ରତିନିଧ ଦଳରେ  ସୁଲତା ଦେଓ, ଡ଼ ଲେନିନ୍ ମହାନ୍ତି,  ମିହିର ରାୟ, ତୁମ୍ବନାଥ ପଣ୍ଡା,  ଇପସୀତା ସାହୁ,  ନାରାୟଣ ଜେନା, ସୋଫିଆ ଆଲାମ,  ରୀତାଞ୍ଜଳି ପ୍ରଧାନ,  ଇଲ୍ଲା ସ୍ଵାଇଁ,  ଜ୍ୟୋତ୍ସ୍ନାମୟୀ ପରିଡ଼ା ଓ  ଅଂଶୁ ତ୍ରିପାଠୀ ସାମିଲ ଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *