ଗାଇଙ୍କ ସୁରକ୍ଷା ପାଇଁ ଚିତ୍କାର କରୁଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କାହିଁକି ମୁହଁ ଖୋଲୁ ନାହାନ୍ତି?
ଗୋମାତା ଅପମୃତ୍ୟୁକୁ ବାବଦକୁ ପ୍ରତି ଗାଈ ପିଛା ୨୫ ହଜାର ଟଙ୍କା ସରକାର କ୍ଷତି ପୂରଣ ଦିଅନ୍ତୁ
ମୃତ ଗାଈଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାର୍ବଜନୀନ କରାଯାଉ ।
ଧର୍ତ୍ତବ୍ୟ ଅପରାଧ ପାଇଁ ମୁଖ୍ୟମନ୍ତ୍ରୀ ଅଫିସ ତଥା ବିଜେପି ନିସର୍ତ୍ତ କ୍ଷମା ମାଗନ୍ତୁ
ଜିଲ୍ଲା ଖାଦ୍ୟ ନିରୀକ୍ଷଣ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ଭୁବନେଶ୍ୱର,(୨୧/୧୦):- ନୂଆପଡା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସଭାର ବଳକା ଖାଦ୍ୟ ଖାଇ ୨୦ ଗୋଟି ଗାଈଙ୍କ ଦୁଃଖଦ ମୃତ୍ୟୁବରଣ କରିବା ନେଇ କଂଗ୍ରେସ ଭବନରେ କଂଗ୍ରେସର ବରିଷ୍ଠ ମୁଖପାତ୍ର ସୋନାଲି ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା ।
ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଶ୍ରୀମତୀ ସାହୁ କହିଛନ୍ତି, ଗତ ୧୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଏକ ସଭା ଅନୁଷ୍ଠିତ ହୋଇଥିଲା । ଯେଉଁ ସଭାରେ ୨୦ ରୁ ୨୫ ହଜାର ଲୋକଙ୍କ ପାଇଁ ଖାଦ୍ୟ ରନ୍ଧନ ହୋଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସଭାରେ ବିଜେପି ବଡ଼ କଷ୍ଟରେ କେବଳ ୫ ହଜାର ଲୋକଙ୍କୁ ଜୁଟାଇ ପାରିଥିଲା । ତେଣୁ ପ୍ରାୟ ଅବଶିଷ୍ଟ ୧୫ ରୁ ୨୦ ହଜାର ଲୋକଙ୍କ ପାଇଁ ଥିବା ଖାଦ୍ୟ ଦାୟିତ୍ୱହୀନ ଭାବରେ ଫୋପାଡ଼ି ଦେଇଥିଲେ ଏବଂ ଏହାକୁ ଗୋତମା ଗାଁର ଗାଈ ଭକ୍ଷଣ କରିବାରୁ ୨୦ ଗୋଟି ଗାଈ ମୃତ୍ୟୁବରଣ କରିବା ସହ ୪୦ ଗୋଟି ଗାଈ ଅସୁସ୍ଥ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଦୁଃଖର କଥା ଏପର୍ଯ୍ୟନ୍ତ ଗାଈ ମାନଙ୍କ ପୋଷ୍ଟମର୍ଟମ ରିପୋର୍ଟ ସରକାର ସାର୍ବଜନୀନ କରିନାହିଁ, ପଶୁପାଳନ ବିଭାଗ ଚୁପ, ନିର୍ବାଚନ କମିଶନଙ୍କ ଠାରୁ କାରଣ ଦର୍ଶାଅ ନୋଟିସ ନାହିଁ, ସ୍ଥାନୀୟ ନେତା ଚୁପ, ସାଂସଦ ଚୁପ, ଏପରିକି ବିଜେପି ଦଳର ଛାମୁଆ ସଂଗଠନ ଗୋପ୍ରେମୀ ବୋଲାଉଥିବା ବଜରଙ୍ଗ ଦଳ, ଭିଏଚପି ଆଦି ନୀରବଦ୍ରଷ୍ଟା । ଗୋମାତାକୁ ନେଇ ରାଜନୀତି କରୁଥିବା ବିଜେପି କାହିଁକି ଲୁଚିଛି ବୋଲି ପ୍ରଶ୍ନ ପଚାରିଛନ୍ତି ଶ୍ରୀମତୀ ସାହୁ ।

ସେ କହିଛନ୍ତି ବିଜେପିର ବିଜୟୀ ହେବା ଓ ଦଳ ମଧ୍ୟରେ କନ୍ଦଳ ନଥିବା ବାହାସ୍ଫୋଟର ପର୍ଦାଫାଶ ଖୋଦ ମୁଖ୍ୟମନ୍ତ୍ରୀଙ୍କ ସଭାରୁ ସାରା ଓଡିଶାବାସୀ ଜାଣିଲେ । ମୁଖ୍ୟମନ୍ତ୍ରୀ ସଭା ପାଇଁ ୨୦ ହଜାର ଲୋକ ଆସିବା ଯୋଜନା ଥିଲେ ସୁଦ୍ଧା ବିଜେପି ଦଳର ଅକ୍ଲାନ୍ତ ପରିଶ୍ରମ ଓ ଟଙ୍କା ବାଣ୍ଟିବା ସତ୍ୱେ ମଧ୍ୟ ମୋଟେ ୫ ହଜାର ଦର୍ଶକ ହୋଇଥିଲେ ଓ ୧୫ ହଜାର ଚୌକି ଖାଲି ପଡିଥିଲା । ପ୍ରକୃତରେ ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା, ବିଜେପି ନେତା ଯଦୁମଣି ପାଣିଗ୍ରାହୀ ଓ ପ୍ରସନ୍ନ ପାଢ଼ୀ ଗୋଷ୍ଠୀ ସହଯୋଗ କରିଲେ ନାହିଁ ଭିତିରି ବିରୋଧ କଲେ ଫଳରେ ମୁଖ୍ୟମନ୍ତ୍ରୀ ସଭା ଖାଲି ପଡିଲା । ଭିତରେ ଗୋଷ୍ଠୀ କନ୍ଦଳରେ କାନ୍ଦୁଥିବା ବିଜେପି ବାହାରେ ବାହାଦୁରି ଦେଖାଇବା ଅତ୍ୟନ୍ତ ହାସ୍ୟାସ୍ପଦ ବିଷୟ ।

ପ୍ରକୃତରେ ବଳକା ପଚା ଖାଦ୍ୟ ଖାଇ ଗାଈ ମୃତ୍ୟୁବରଣ କରି ନାହାନ୍ତି ସେମାନଙ୍କୁ ବିଜେପି ଜାଣିଶୁଣି ହତ୍ୟା କରିଛି । ଗାଇଙ୍କ ସୁରକ୍ଷା ପାଇଁ ଚିତ୍କାର କରୁଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କାହିଁକି ମୁହଁ ଖୋଲୁ ନାହାନ୍ତି? ମୁହଁ ଖୋଲିଲେ କଣ ବାଲେଶ୍ୱର ଗୋଶାଳାରୁ ୨୫ ହଜାର ଗାଈ ଚୋରୀ ହେବା ପ୍ରସଙ୍ଗ ଉଠିବ ତେଣୁ ମୁହଁ ବନ୍ଦ କି ? ବଳକା ୧୫ ହଜାର ଜଣଙ୍କ ଖାଦ୍ୟକୁ ଖାଦ୍ୟ ଯୋଗାଣ ବିଭାଗ କାହିଁକି ନଷ୍ଟ କଲାନାହିଁ ? ଏବେ ମଧ୍ୟ ୪୦ ଗାଈ ଅସୁସ୍ଥ ଅଛନ୍ତି ତେବେ ପଶୁପାଳନ ବିଭାଗ କଣ ପଦକ୍ଷେପ ନେଇଛନ୍ତି ? ଏସବୁରୁ ସରକାରଙ୍କ ପାରିବା ପଣିଆ କେତେ ଜଣା ପଡୁଛି । ମୁଖ୍ୟମନ୍ତ୍ରୀ କଣ ପଦକ୍ଷେପ ନେଇଛନ୍ତି? ପ୍ରତ୍ୟେକ ଜିଲ୍ଲାରେ ଗୋଶାଳା ଖୋଲାଯିବା କଣ ହେଲା ? ବୋଲି ପ୍ରଶ୍ନ ପଚାରିବା ସହ କହିଛନ୍ତି ଯେ, ନିର୍ବାଚନ ଭଳି ଏକ ସମ୍ବେଦନଶୀଳ ସମୟରେ ଏତେ ସଂଖ୍ୟକ ଗାଈଙ୍କ ଦୁଃଖଦ ଅପମୃତ୍ୟୁକୁ ନେଇ ନିର୍ବାଚନ କମିଶନ ବିଜେପିକୁ କାହିଁକି କାରଣ ଦର୍ଶାଅ ନୋଟିସ ଜାରୀ କରି ନାହାନ୍ତି ଆଶ୍ଚର୍ଯ୍ୟର ବିଷୟ ବୋଲି ସେ କହିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସାହୁଙ୍କ ସହ ମୁଖପାତ୍ର ନଳିନୀକାନ୍ତ ନାୟକ ଓ ଝୁନା ପଟ୍ଟନାୟକ ଉପସ୍ଥିତ ଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
