ଗୁରୁଜଙ୍ଗ-ନୂଆଗାଁ ରାସ୍ତା ପାଲଟିଛି ମରଣଯନ୍ତା, ଖାଲଖମାରେ ଭର୍ତ୍ତି ପଥ ;


ବର୍ଷାଜଳ ଜମି ଯାତାୟାତ ବାଧାପ୍ରାପ୍ତ, ଦୁଇ ମାସରେ ୪୦ରୁ ୫୦ ଜଣ ଆହତ ହୋଇଥିବା ଅଭିଯୋଗ; ୧୫ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଦୁର୍ଦ୍ଦଶାରେ

ଦିଲୀପ କୁମାର ପଟ୍ଟନାୟକ

Advertisement

ଖୋର୍ଦ୍ଧା, ୨୫ା୯ (ସମିସ): ରାସ୍ତାସାରା ଖାଲଖମା, ଗର୍ତ୍ତରେ ଭର୍ତ୍ତି ବର୍ଷାଜଳ। କେଉଁଠି ପିଚୁ ଉଠି ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି ତ ଆଉ କେଉଁଠି ବଡ଼ ବଡ଼ ଗର୍ତ୍ତ ମଧ୍ୟରେ ଜମି ରହିଛି ପାଣି। ରାସ୍ତା ଉପରେ ପାଣି ଜମି ରହୁଥିବାରୁ ଖାଲର ଗଭୀରତା ଜାଣିବା ମଧ୍ୟ କଷ୍ଟକର। ଫଳରେ ପ୍ରତିଦିନ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକେ ଦୁର୍ଘଟଣାର ଭୟ ନେଇ ଯାତାୟାତ କରୁଛନ୍ତି। ଦୀର୍ଘଦିନ ଧରି ରାସ୍ତାର ଏଭଳି ଦୁରବସ୍ଥା ଲାଗି ରହିଥିଲେ ମଧ୍ୟ ମରାମତି ଦିଗରେ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଏଭଳି ସ୍ଥିତିରେ ଖୋର୍ଦ୍ଧା ପୌରପରିଷଦର ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ଗୁରୁଜଙ୍ଗ ଟାଙ୍ଗୀ ସାହି-ନୂଆଗାଁ ମୁଖ୍ୟ ରାସ୍ତା ଏବେ ଅଞ୍ଚଳବାସୀଙ୍କ ପାଇଁ ଦୁର୍ଦ୍ଦଶାର କାରଣ ପାଲଟିଛି।

ଏହି ରାସ୍ତା ଉପରେ ନିର୍ଭର କରୁଥିବା ୧୫ରୁ ଊର୍ଦ୍ଧ୍ୱ ଗ୍ରାମର ଲୋକେ ଦୀର୍ଘଦିନ ଧରି ଯାତାୟାତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଛୋଟବଡ଼ ଦୁର୍ଘଟଣା ଘଟୁଥିବାବେଳେ ଗତ ଦୁଇ ମାସ ମଧ୍ୟରେ ପ୍ରାୟ ୪୦ରୁ ୫୦ ଜଣ ଆହତ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ଏହି ସଂଖ୍ୟା ସମ୍ପର୍କରେ କୌଣସି ସରକାରୀ ତଥ୍ୟ ଉପଲବ୍ଧ ହୋଇନାହିଁ। ଅନ୍ୟପକ୍ଷରେ ରାସ୍ତାର ନିର୍ମାଣ ଓ ମରାମତି ଦାୟିତ୍ୱ କେଉଁ ବିଭାଗ ଅଧୀନରେ ରହିଛି, ତାହା ସ୍ପଷ୍ଟ ହୋଇପାରୁନଥିବାରୁ ସମସ୍ୟାର ସମାଧାନ ବିଳମ୍ବିତ ହେଉଥିବା ଅଞ୍ଚଳବାସୀ କହିଛନ୍ତି।

୧୫ରୁ ଊର୍ଦ୍ଧ୍ୱ ଗ୍ରାମ ପାଇଁ ଗୁରୁତ୍ୱପୂର୍ଣ୍ଣ ରାସ୍ତା

ଗୁରୁଜଙ୍ଗ-ନୂଆଗାଁ ରାସ୍ତା ଆଖପାଖର ଅନେକ ଗ୍ରାମକୁ ଖୋର୍ଦ୍ଧା ସହର ସହ ସଂଯୋଗ କରୁଥିବା ଏକ ପ୍ରମୁଖ ଯୋଗାଯୋଗ ମାଧ୍ୟମ। ନୂଆଗାଁ, ଅରାଙ୍ଗ, ମହୁଲ, ମଧୁପୁର, ମାଜଣା, ଅଙ୍ଗାରପଡ଼ା, ପଳାସପୁର, ବିନ୍ଧଗିରି, ଛତାବର, ମିନଚୀନ ପାଟଣା, ମେଣ୍ଢାଶାଳ ଓ ଅରିଶଲ ସମେତ ଅନେକ ଗ୍ରାମର ଲୋକେ ଏହି ରାସ୍ତା ଦେଇ ନିୟମିତ ଯାତାୟାତ କରୁଛନ୍ତି।

ଖୋର୍ଦ୍ଧା ସହର ସମେତ ଭୁବନେଶ୍ୱର ଓ କଟକକୁ ଯାତାୟାତ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଏହି ରାସ୍ତାର ବିଶେଷ ଗୁରୁତ୍ୱ ରହିଛି। ପ୍ରତିଦିନ ଏହି ରାସ୍ତାରେ ଅନେକ ଛୋଟବଡ଼ ଯାନବାହନ ଚଳାଚଳ କରୁଥିବାବେଳେ ରାସ୍ତାର ଦୁରବସ୍ଥା ଯୋଗୁଁ ଯାତ୍ରୀଙ୍କୁ ଅଯଥା ସମୟ ନଷ୍ଟ କରିବାକୁ ପଡ଼ୁଛି। ଗାଡ଼ିମୋଟର ଚଳାଚଳରେ ଅସୁବିଧା ସୃଷ୍ଟି ହେବା ସହ ଯାନବାହନର କ୍ଷତି ମଧ୍ୟ ହେଉଛି। ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ପଥର ଏଭଳି ଅବସ୍ଥାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଛାତ୍ରଛାତ୍ରୀଙ୍କଠାରୁ ରୋଗୀ, ସଭିଏଁ ହନ୍ତସନ୍ତ

ଏହି ରାସ୍ତା ଦେଇ ପ୍ରତିଦିନ ବହୁ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜକୁ ଯାତାୟାତ କରୁଛନ୍ତି। ସେହିପରି ଖୋର୍ଦ୍ଧା ସହରକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକଙ୍କ ସମେତ ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି ଓ ରୋଗୀମାନେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭରଶୀଳ। ମାତ୍ର ରାସ୍ତାର ଦୟନୀୟ ସ୍ଥିତି ଯୋଗୁଁ ସେମାନଙ୍କ ଯାତାୟାତ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି।

ବିଶେଷକରି ଦୁଇଚକିଆ ଯାନ ଚାଳକଙ୍କ ପାଇଁ ରାସ୍ତାଟି ବିପଜ୍ଜନକ ପାଲଟିଛି। ଖାଲଖମାକୁ ଏଡ଼ାଇବା ପାଇଁ ଚାଳକମାନେ ହଠାତ୍‌ ଗାଡ଼ିର ଦିଗ ପରିବର୍ତ୍ତନ କରୁଥିବାରୁ ଅନ୍ୟ ଯାନବାହନ ସହ ଧକ୍କା ହେବାର ଆଶଙ୍କା ରହୁଛି। ଅନେକ ସମୟରେ ଗାଡ଼ିର ଚକ ଖାଲରେ ପଡ଼ିଯିବାରୁ ଚାଳକ ଓ ପଛରେ ବସିଥିବା ଯାତ୍ରୀ ଭାରସାମ୍ୟ ହରାଇ ପଡ଼ିଯାଉଥିବା ଅଭିଯୋଗ ହୋଇଛି।

ବର୍ଷାଦିନେ ସମସ୍ୟା ଆହୁରି ଜଟିଳ ହୋଇପଡ଼ୁଛି। ରାସ୍ତାର ବିଭିନ୍ନ ସ୍ଥାନରେ ପାଣି ଜମି ରହୁଥିବାରୁ ଗର୍ତ୍ତର ଗଭୀରତା ଜଣାପଡ଼ୁନାହିଁ। ଫଳରେ ଚାଳକମାନେ ଅଜାଣତରେ ଖାଲରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ଗତ ଦୁଇ ମାସ ମଧ୍ୟରେ ଏହି ରାସ୍ତାରେ ଦୁର୍ଘଟଣା ଯୋଗୁଁ ୪୦ରୁ ୫୦ ଜଣ ଆହତ ହୋଇ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସିତ ହୋଇଥିବା ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏହି ଅଭିଯୋଗର ସତ୍ୟତା ଯାଞ୍ଚ କରିବା ସହ ଦୁର୍ଘଟଣାର ପ୍ରକୃତ ସଂଖ୍ୟା ଜାଣିବା ପାଇଁ ପ୍ରଶାସନ ପକ୍ଷରୁ ତଥ୍ୟ ସଂଗ୍ରହ କରାଯିବା ଆବଶ୍ୟକ।

ଭାରୀଯାନ ଚଳାଚଳରେ ବଢ଼ୁଛି ଦୁର୍ଦ୍ଦଶା

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୂର୍ବରୁ ରାସ୍ତାରେ ଖାଲଖମା ରହିଥିଲେ ମଧ୍ୟ ଯାତାୟାତ ଏତେଟା ପ୍ରଭାବିତ ହେଉନଥିଲା। କିନ୍ତୁ ନୂତନ ୫୭ ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ଧରି ଚାଲିବା ଏବଂ ଗୁରୁଜଙ୍ଗ-ନୂଆଗାଁ ଓଭରବ୍ରିଜ୍‌ ତଳେ ରାସ୍ତା ଖରାପ ହୋଇ ବର୍ଷାଜଳ ଜମି ରହିବା ଫଳରେ ସମସ୍ୟା ବଢ଼ିଥିଲା।
ଏହା ସହିତ ଗତ ଦୁଇ ମାସ ହେଲା ଅରାଙ୍ଗ ମୌଜାରେ ଏକ ଶିଳ୍ପାନୁଷ୍ଠାନର କାର୍ଯ୍ୟ ଆରମ୍ଭ ହେବା ପରଠାରୁ ଏହି ରାସ୍ତାରେ ଭାରୀଯାନ ଚଳାଚଳ ବୃଦ୍ଧି ପାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତା ଅଧିକ କ୍ଷତିଗ୍ରସ୍ତ ହେଉଥିବା ଏବଂ ଖାଲଖମା ବଢ଼ିଚାଲିଥିବା ସେମାନଙ୍କ ମତ।
ଅଞ୍ଚଳରେ ଶିଳ୍ପାନୁଷ୍ଠାନର କାର୍ଯ୍ୟକଳାପ ବଢ଼ିବା ସହ ପରିବହନ ଚାପ ମଧ୍ୟ ବୃଦ୍ଧି ପାଉଛି। ଏଭଳି ସ୍ଥିତିରେ ରାସ୍ତାର ରକ୍ଷଣାବେକ୍ଷଣ ଓ ଦୀର୍ଘସ୍ଥାୟୀ ନିର୍ମାଣ ଉପରେ ଗୁରୁତ୍ୱ ଦେବା ଜରୁରୀ। ଭାରୀଯାନ ଚଳାଚଳ ରାସ୍ତାର କ୍ଷତିର ଏକ କାରଣ କି ନୁହେଁ, ତାହା ଜାଣିବା ପାଇଁ ବୈଷୟିକ ଯାଞ୍ଚ କରାଯିବା ସହ ରାସ୍ତାର ଦାୟିତ୍ୱରେ ଥିବା ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବା ଆବଶ୍ୟକ।

ଅଭିଯୋଗ ସତ୍ତ୍ୱେ ମରାମତି ହେଉନି

ଏହି ରାସ୍ତା ଦେଇ ଜିଲ୍ଲାସ୍ତରୀୟ ଅଧିକାରୀ, ଶିଳ୍ପାନୁଷ୍ଠାନର କର୍ତ୍ତୃପକ୍ଷ, ଇଡ୍‌କୋ ଅଧିକାରୀ ଓ ତହସିଲଦାରଙ୍କ ସମେତ ବହୁ ଅଧିକାରୀ ନିୟମିତ ଯାତାୟାତ କରୁଛନ୍ତି। ତଥାପି ରାସ୍ତାର ମରାମତି ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଅଧିକାରୀମାନେ ଏହି ରାସ୍ତାର ଅବସ୍ଥା ସମ୍ପର୍କରେ ଅବଗତ ଥିବା ସତ୍ତ୍ୱେ କାହିଁକି ମରାମତି କରାଯାଉନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି।
ସ୍ଥାନୀୟ ଲୋକେ ଏହି ସମସ୍ୟା ସମ୍ପର୍କରେ ପୂର୍ବତନ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ମାତ୍ର ଅଭିଯୋଗ ପରେ ମଧ୍ୟ ରାସ୍ତାର ଅବସ୍ଥାରେ ସୁଧାର ଆସିନଥିବା ସେମାନେ କହିଛନ୍ତି। ରାସ୍ତାର ମାଲିକାନା ଓ ମରାମତି ଦାୟିତ୍ୱ କେଉଁ ବିଭାଗ ଅଧୀନରେ ରହିଛି, ତାହା ସ୍ପଷ୍ଟ କରିବା ସହ ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଦାବି ହୋଇଛି।

ସ୍ଥାୟୀ ମରାମତି ସହ ଜଳ ନିଷ୍କାସନ ବ୍ୟବସ୍ଥା ଦାବି

ଗୁରୁଜଙ୍ଗ-ନୂଆଗାଁ ରାସ୍ତାର ଏଭଳି ଦୁରବସ୍ଥା ଜାରି ରହିଲେ ଆଗକୁ ଦୁର୍ଘଟଣା ବଢ଼ିବା ସହ ସାଧାରଣ ଜନଜୀବନ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଜିଲ୍ଲା ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ରାସ୍ତାର ସ୍ଥିତି ଅନୁଧ୍ୟାନ କରିବା ସହ ସମ୍ପୃକ୍ତ ବିଭାଗକୁ ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
କେବଳ ଖାଲଖମାରେ ମାଟି କିମ୍ବା ଗୋଡ଼ି ପକାଇ ଅସ୍ଥାୟୀ ମରାମତି କଲେ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ନାହିଁ। ରାସ୍ତାର ଗୁଣବତ୍ତା ଯାଞ୍ଚ କରିବା ସହ ଯାନବାହନ ଚଳାଚଳର ଚାପକୁ ଦୃଷ୍ଟିରେ ରଖି ଦୀର୍ଘସ୍ଥାୟୀ ମରାମତି କରାଯିବା ଆବଶ୍ୟକ। ଏଥିସହ ରାସ୍ତାରେ ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତିକରଣ କରାଗଲେ ବର୍ଷାଜଳ ଜମିବା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିପାରିବ।

ଦୀର୍ଘଦିନ ଧରି ଏହି ରାସ୍ତା ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକଙ୍କ ଯାତାୟାତ ଯନ୍ତ୍ରଣାର ଅନ୍ତ ଘଟାଇବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଜରୁରୀ। ଅନ୍ୟଥା ରାସ୍ତାର ଦୁରବସ୍ଥାକୁ ନେଇ ଆଗାମୀ ଦିନରେ ଜନଅସନ୍ତୋଷ ତୀବ୍ର ହେବା ସହ ଆନ୍ଦୋଳନର ରୂପ ନେଇପାରେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *