ଜାଳେଣି କାଠ ସଂଗ୍ରହକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ : ଅଭିଯୁକ୍ତ ଅଟକ


ଖୋର୍ଦ୍ଧା, ୨୫/୯ – ଜାଳେଣି କାଠ ସଂଗ୍ରହକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ଜଙ୍କିଆ ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଆକ୍ରମଣରେ ଗୁରୁତର ଆହତ ହୋଇଥିବା ହଜ ଗ୍ରାମର ଗୋପାଳ ମହାରଣାଙ୍କୁ ପ୍ରଥମେ ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଖୋର୍ଦ୍ଧାସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏ ସଂକ୍ରାନ୍ତରେ ଗୋପାଳଙ୍କ ପତ୍ନୀ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।



ଅଭିଯୋଗ ଅନୁଯାୟୀ, ଜଙ୍କିଆ ଥାନା ଅନ୍ତର୍ଗତ ହଜ ଗ୍ରାମର ଗୋପାଳ ମହାରଣା ଜାଳେଣି କାଠ ସଂଗ୍ରହ କରିବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଟାଙ୍କୋଳ ଛକଠାରୁ ନିଧିପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଜେସିବି ମେସିନ୍‌ ସାହାଯ୍ୟରେ ଉପୁଡ଼ାଯାଇଥିବା ଗଛରୁ ସେ କାଠ ସଂଗ୍ରହ କରୁଥିବା ସମୟରେ କଲରାଝର ଗ୍ରାମର ପ୍ରଦେଶ ଜୟସିଂହ ସେଠାରେ ପହଞ୍ଚିଥିଲେ। ସେ କୌଣସି କାରଣକୁ କେନ୍ଦ୍ର କରି ଗୋପାଳଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Advertisement



ଅଭିଯୋଗ ମୁତାବକ, ଅଭିଯୁକ୍ତ ଏକ ଲୁହା ରଡ୍‌ରେ ଗୋପାଳଙ୍କ ଗୋଡ଼କୁ ଆଘାତ କରିବା ସହ ଟାଙ୍ଗିଆରେ ତାଙ୍କ ହାତକୁ ହାଣି ଦେଇଥିଲେ। ଫଳରେ ଗୋପାଳ ଗୁରୁତର ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ଘଟଣାସ୍ଥଳରେ ପଡ଼ି ରହିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଘରେ ପହଞ୍ଚାଇଥିଲେ। ପରେ ପରିବାର ଲୋକେ ତାଙ୍କୁ ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଖୋର୍ଦ୍ଧାସ୍ଥିତ ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

ଏହି ଘଟଣାକୁ ନେଇ ଗୋପାଳଙ୍କ ପତ୍ନୀ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଅଭିଯୁକ୍ତ ପକ୍ଷରୁ ପୁଲିସ ଉପରେ ରାଜନୈତିକ ଚାପ ପ୍ରୟୋଗ କରାଯାଇ ମାମଲାର ଆପୋସ ସମାଧାନ କରିବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି। ଏହାପରେ ଉପରିସ୍ଥ ପୁଲିସ ଅଧିକାରୀଙ୍କ ହସ୍ତକ୍ଷେପ ପରେ ପୁଲିସ ଅଭିଯୁକ୍ତ ପ୍ରଦେଶ ଜୟସିଂହଙ୍କୁ ଗିରଫ କରି ଅଟକ ରଖିଥିବା ଜଣାପଡ଼ିଛି।

ତେବେ ଏହି ଘଟଣାରେ ପୁଲିସର ପରବର୍ତ୍ତୀ ତଦନ୍ତ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥାନୀୟ ଲୋକଙ୍କ ନଜର ରହିଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *