ଭୁବନେଶ୍ବର:- ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆଜି ୭୯ତମ ଜନ୍ମଦିନ। ଏଥର ନବୀନଙ୍କ ଜନ୍ମଦିନକୁ ବିଜେଡି ସାରା ରାଜ୍ୟରେ ନିରାଡ଼ମ୍ବର ଭାବେ ପାଳନ କରିବ। ଭୁବନେଶ୍ବର ଗଙ୍ଗନଗରରେ ଦଳ ପକ୍ଷରୁ ହେବାକୁ ଥିବା ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମରେ ନବୀନ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ସେଠାରେ କିଛି ସମୟ ରହି ପିଲାଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବେ। ଏହାପରେ ସେ ଏସଓଏସ ଭିଲେଜ୍ ଯାଇ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବେ।
୧୯୪୬ ଅକ୍ଟୋବର ୧୬ରେ କଟକରେ ଜନ୍ମିତ ନବୀନ ଜୀବନର ୫୦ ବର୍ଷରୁ ଊର୍ଦ୍ଧ୍ବ କାଳ ରାଜନୀତିରୁ ଦୂରରେ ଥିଲେ। ପିତା ବିଜୁ ପଟ୍ଟନାୟକ ଙ୍କ ମୃତ୍ୟୁ ପରେ ଆକସ୍ମିକ ଭାବେ ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୭ରେ ବିଜେଡି ଗଠନ ହୋଇଥିଲା। ସାଂସଦ ଓ କେନ୍ଦ୍ରମନ୍ତ୍ରୀ ରହିବା ପରେ ନବୀନ ଲଗାତାର ୫ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିଥିଲେ। ୨୪ ବର୍ଷ ଶାସନ କ୍ଷମତାରେ ରହିବା ପରେ ୨୦୨୪ ନିର୍ବାଚନରେ ବିଜେଡି କ୍ଷମତାଚ୍ୟୁତ ହୋଇଥିଲା। ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଥିବା ନବୀନ ନିଜର ପାରମ୍ପରିକ ହିଞ୍ଜିଳି ଆସନରୁ ଜିତିଥିଲେ ବି କଣ୍ଟାବାଞ୍ଜି ଆସନରୁ ପରାଜିତ ହୋଇଥିଲେ। ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ରାଜ୍ୟରେ ଅପରାଜେୟ ନେତା । ଏବେ ବିଜେଡି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଓ ନବୀନ ବିରୋଧୀ ଦଳ ନେତା। ଗୁରୁତ୍ବପୂର୍ଣ୍ଣ କଥା ହେଲା, ନବୀନ ଏବେ ବି ବିଜେଡିର ନେତୃତ୍ବ ନେଉଛନ୍ତି।ଦଳ ର ସଂଗଠନ କୁ ସୁଦୃଢ କରିବା ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
