ଜଗନ୍ନାଥ ସଂସ୍କୃତିରେ ଚିତାଲାଗି ଅମାବାସ୍ୟା

ପୁରୀ :- ବାରମାସରେ ତେରପର୍ବ ଓଡ଼ିଆ ସଂସ୍କୃତିର ନୀତି ଆଦର୍ଶ। ଶ୍ରାବଣ ମାସର ଅମାବାସ୍ୟା ଯାହା ଚିତାଲାଗି ଅମାବାସ୍ୟା ଭାବରେ ନାମିତ। ପ୍ରତି ଓଡ଼ିଆଙ୍କ ଘରେଗ ଚିତଉ ପିଠାର ବାସ୍ନା ମହକି ଯିବ। ଠାକୁରଙ୍କୁ ଚିତଉ ପିଠା ଭୋଗ କରି ବିଲ ପାଖରେ କିମ୍ବା ଜଳାଶୟରେ ଦେବା ସହ ସମସ୍ତେ ଆନନ୍ଦରେ ଖାଇଥାଆନ୍ତି।ଆଉ ମଧ୍ୟ ଏକ ପରମ୍ପରା ଅଛି ଏହିଦିନ ଜଳାଶୟରେ ଚିତାଉ ପକାଇଲେ ଗେଣ୍ଡେଇଶୁଣି ଗୋଡ଼ କାଟେନି ବୋଲି ବିଶ୍ୱାସ ରହିଛି।




ଏହି ଦିନ ଶ୍ରୀମନ୍ଦିର ମଧ୍ୟ ଚଳଚଞ୍ଚଳ ହେବ। ସ୍ନାନ ପୂର୍ଣ୍ଣିମା ଦିନ ରାତିରେ ଲାଗି ହୋଇଥିବା ସ୍ଵର୍ଣ୍ଣ ଚିତାକୁ ସେହିଦିନ ପୁନର୍ବାର ମହାପ୍ରଭୁ ଙ୍କୁ ଲାଗି ହେବ। ସ୍ନାନ ପୂର୍ଣ୍ଣିମା ଦିନ ପହଣ୍ଡି ହୋଇ ଅଣସର ଘରକୁ ବିଜେ କରିବା ପରେ ଠାକୁର ମାନଙ୍କ ମଥାରୁ ସୁବର୍ଣ୍ଣର ଚିତା ଗୁଡିକ ଓହ୍ଲାଇ ଦିଆଯାଇଥାଏ । ଆମେମାନେ ଯେପରି ଯାତ୍ରା ସମୟରେ ମୂଲ୍ୟବାନ ଅଳଙ୍କାର ପରିଧାନ କରିବାରୁ ବିରତ ରହୁ, ସେହିପରି ଠାକୁର ମାନେ ମଧ୍ୟ ନବଯୌବନ ଦର୍ଶନ ପରଦିନ ରଥଯାତ୍ରା ଥିବାରୁ ଆଉ ଏହି ସୁବର୍ଣ୍ଣ ଚିତା ପରିଧାନ କରନ୍ତି ନାହିଁ। ବରଂ ରଥଯାତ୍ରା ଦିନ ରଥ ଉପରେ ସୋଲ ଓ ବିଭିନ୍ନ ଜରି ଜମ୍ଵୁରା ରେ ତିଆରି ଚିତାଲାଗି ହୁଅନ୍ତି।

ଏହି ଚିତାଲାଗି ନୀତି  ଦଇତା ଓ ପତି ମହାପାତ୍ରଙ୍କ ଦ୍ଵାରା ସମ୍ପାଦିତ ହୋଇଥାଏ।ଅମାବାସ୍ୟାରେ ନାରାୟଣଙ୍କର ସାଗର ବିଜେ ନୀତି ସମାପନ ହେବା ପରେ ଚିତାଲାଗି ପାଇଁ ପତି ମହାପାତ୍ର ଓ ଦଇତା ମାନେ ଗର୍ଭଗୃହକୁ ପ୍ରବେଶ କରି ଚିତାଲାଗି କାର୍ଯ୍ୟ କରିଥାନ୍ତି ।
ତିନୋଟି ସ୍ବର୍ଣ୍ଣ ଚିତାକୁ ଠାକୁରମାନଙ୍କ କପାଳର ଶୀର୍ଷ ଭାଗରେ ଏକ ପାଟ ଡୋର ଦ୍ଵାରା ଜୋରରେ ବନ୍ଧା ହେବାକୁ ଚିତାଲାଗି ନୀତି କୁହାଯାଇଥାଏ।

Advertisement




ମହାପ୍ରଭୁଙ୍କୁ ଏହି ଦୁର୍ମୂଲ୍ୟ ଚିତା ଲାଗି ହେବା ପୂର୍ବରୁ ଭଣ୍ଡାର ଘରୁ  ଦେଉଳକରଣ ,ତଢ଼ାଉ କରଣଙ୍କ  ଉପସ୍ଥିତିରେ କାଢି ବଣିଆ ସେବକଙ୍କ ଦ୍ୱାରା ସଫା କରାଯାଇଥାଏ । ଦରକାର ଥିଲେ ମରାମତି କାର୍ଯ୍ୟ ମଧ୍ୟ ସମ୍ପାଦିତ ହୁଏ। କାରଣ ଏହା ଠାକୁର ମାନଙ୍କୁ ଲାଗି ହେବା ପରେ ପୁଣି ଯାଇ ଆରବର୍ଷ ସ୍ନାନ ପୂର୍ଣ୍ଣିମା ଦିନ ରାତିରେ ଲାଗି ହେବ।
ବଡ଼ ଠାକୁରଙ୍କ ସ୍ୱର୍ଣ୍ଣ ଚିତାର ମଝିରେ ଗୋଟିଏ ବଡ଼ ମର୍କତ ପଥର ଓ ଏହାର ଚାରି ପାଖରେ ପାଞ୍ଚୋଟି  ଛୋଟ ଛୋଟ ହୀରା,ପାନ୍ନା, ମାଣିକ, ମର୍କତ ଓ ନୀଳ ପଥର ଖଚିତ ହୋଇଛି। ଏହାକୁ ନୀଳା ଚିତା କୁହାଯାଏ।
ମାସୁଭଦ୍ରା ଙ୍କ ସ୍ଵର୍ଣ୍ଣ ଚିତା ମଝିରେ ଏକ ବଡ଼ ମାଣିକ୍ୟ ପଥର ସହ ତା ଚାରିପାଖେ ଚିତାର ପାନ୍ନା , ମର୍କତ , ହୀରା ଓ ମାଣିକ୍ୟ ରହିଛି। ଏହାକୁ ନାଲି ଚିତା କୁହାଯାଏ।
ସେହିପରି ଶ୍ରୀ ଜଗନ୍ନାଥ ଙ୍କ ସ୍ଵର୍ଣ୍ଣଚିତା ମଝିରେ ହୀରା ଓ ତା ଚାରିପାଖେ  ମାଣିକ୍ୟ , ହୀରା , ପାନ୍ନା ଏବଂ ଓପଲ ଶୋଭା ପାଉଛି। ଏହାକୁ ହୀରା ଚିତା କୁହାଯାଏ।


ଚିତ ଲାଗି ନୀତି ମଧ୍ୟ ଏକ ଗୋପନୀୟ ନୀତି। ସେଥିପାଇଁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବା ସହ ଜୟ ବିଜୟ ଦ୍ଵାର ମଧ୍ୟ ବନ୍ଦ ରୁହେ। ନୀତି ସମ୍ପନ୍ନ ହେଲା ପରେ ମହାସ୍ନାନ ନୀତି ହୋଇଥାଏ।
ଚିତାଲାଗି ପରେ ଶ୍ରୀମନ୍ଦିରର କେତେକ ନିଯୋଗ ପକ୍ଷରୁ ଆଳତି ଭୋଗ ହୁଏ। ଏଥିରେ ମୁଖ୍ୟତଃ ଛେନା ତାଡ଼ିଆ , ଫାଳ ସୋଲା  ଭୋଗ ହୋଇଥାଏ।
ପରଦିନ ସକାଳୁ ଆମେ ମହାପ୍ରଭୁଙ୍କ ଦର୍ଶନ କଲେ ତାଙ୍କ ମସ୍ତକରେ ସୁବର୍ଣ୍ଣ ଚିତାର ମଧ୍ୟ ଦର୍ଶନ କରି ପାରିବା।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *