ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ସୁଗିତ ଘଟଣାଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ମୁଖରେ ବିଜେଡିର ବିକ୍ଷୋଭ

ତ୍ରୁଟିଶୂନ୍ୟ ପରୀକ୍ଷା କରିବାରେ ରାଜ୍ୟ ସରକାର ବିଫଳ

ସରକାର ଉତ୍ସବ ମୁଖର, ଚାକିରି ଆଶାୟୀ ହତାଶ

Advertisement

ପରୀକ୍ଷା ବିଭ୍ରାଟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଶୂନ

ଭୁବନେଶ୍ୱର, ୨୧/୦୭/୨୦୨୫: ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ସ୍ଵତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଶେଷ ମୁହୂର୍ତ୍ତରେ ବାତିଲ ହେବା ପରେ, ବିଜୁ ଛାତ୍ର ଓ ଯୁବ ଜନତା ଦଳ ତରଫରୁ କଟକ ସ୍ଥିତ ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।


ଦଳର ବିଧାୟକ ବ୍ୟୋମକେଶ ରାୟ ଓ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ, ରାଜ୍ୟ ବିଜେପି ସରକାର ବିଭିନ୍ନ ନିଯୁକ୍ତି ଓ ଅନ୍ୟାନ୍ୟ ପରୀକ୍ଷାକୁ ତ୍ରୁଟିଶୂନ୍ୟ ଭାବେ ଆୟୋଜିତ କରିବାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି ବୋଲି କହିଥିଲେ। ଜୁଲାଇ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଟିଇଟି ପରୀକ୍ଷାର ପ୍ରଥମ ଓ ଦ୍ଵିତୀୟ ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ଘୁଞ୍ଚାଇ ଦିଆଯାଇଥିଲା। ପ୍ରଶ୍ନପତ୍ର ପ୍ରଘଟ ନୁହେଁ ବରଂ ପ୍ରଶ୍ନପତ୍ରକୁ ବିକ୍ରି କରାଯାଇଛି ବୋଲି ବିକ୍ଷୋଭକାରୀମାନେ ଅଭିଯୋଗ କରିଥିଲେ। ଏହି ପ୍ରଶ୍ନପତ୍ର ପ୍ରଘଟ ବା ପ୍ରଶ୍ନପତ୍ର ବିକ୍ରି ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଏଥିରେ ପରୀକ୍ଷା ଦେବାକୁ ଥିବା ପ୍ରାୟ ୭୫ ହଜାର ଶିକ୍ଷକ ହତାଶ ହୋଇଛନ୍ତି ବୋଲି ନେତାମାନେ କହିଥିଲେ।



ଗତ ଏକ ବର୍ଷର ବିଜେପି ଶାସନରେ ଏଭଳି ଅନେକ ପରୀକ୍ଷା ବାତିଲ ହୋଇଛି ଓ ଏକ ବର୍ଷ ଶାସନରେ ଅନେକ ସଫଳତା ଦାବି କରି ଉତ୍ସବ ମୁଖର ହୋଇଥିବା ରାଜ୍ୟ ବିଜେପି ସରକାର ବାସ୍ତବରେ, ପରୀକ୍ଷାଟିଏ ତ୍ରୁଟିଶୂନ୍ୟ ଭାବେ ଆୟୋଜନ କରିବାରେ ସକ୍ଷମ ହୋଇନାହାନ୍ତି । ଗତ ଏକ ବର୍ଷ ଭିତରେ, ରାଜ୍ୟରେ ୧୨ଟି ପରୀକ୍ଷା ବିଭିନ୍ନ କାରଣରୁ ଘୁଞ୍ଚାଯାଇଛି। କେଉଁଠି ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ବେଳେ, କେଉଁଠି ଭୁଲ୍ ପ୍ରଶ୍ନପତ୍ର ବଣ୍ଟନ ଯୋଗୁଁ ପରୀକ୍ଷା ଘୁଞ୍ଚାଯାଉଛି । ଓପିଏସସି, ଓଏସଏସଏସସି, ଏସଏସବି ମାଧ୍ୟମରେ ହେଉଥିବା ପରୀକ୍ଷା ଗୁଡିକରେ ବିଭିନ୍ନ କାରଣରୁ ବାତିଲ କରାଯାଇଛି। ଏହାଛଡା, ଆରଆଇ ଓ ଅମିନ ପରୀକ୍ଷାରେ ମଧ୍ୟ ସମାନ ତ୍ରୁଟି ଥିବାରୁ ବାତିଲ କରାଯାଇଥିଲା। ଏଭଳି ପ୍ରଶ୍ନପତ୍ର ପ୍ରଘଟ କାର୍ଯ୍ୟରେ ସମ୍ପୃକ୍ତ ଥିବା ଲୋକଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦେବାର ବ୍ୟବସ୍ଥା ଓଡିଶା ପବ୍ଲିକ ସର୍ଭିସ ପରୀକ୍ଷା ବିଲ୍ ୨୦୨୪ରେ କରାଯାଇଛି । ଏହି ବିଲ୍ ଅନୁଯାୟୀ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜେଲଦଣ୍ଡ ସହ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି । କିନ୍ତୁ, ପ୍ରଶ୍ନପତ୍ର ପ୍ରଘଟ ଘଟଣା ଏକ ନିୟମିତ ବ୍ୟାପାର ହୋଇଥିଲେ ମଧ୍ୟ ଏହି ଆଇନ ଅନୁଯାୟୀ କୌଣସି ବ୍ୟକ୍ତି ଦଣ୍ଡିତ ହୋଇନାହାନ୍ତି। ଏହି ଆଇନକୁ କାର୍ଯ୍ୟକାରୀ ନକରିବା ସରକାର ଦୋଷୀଙ୍କୁ ଘଣ୍ଟ ଘୋଡାଉଛନ୍ତି ବୋଲି ଅଭିଯୋଗ କରିଥିଲେ । ଶେଷ ମୁହୂର୍ତ୍ତରେ ବାତିଲ ହେଉଥିବା ପରୀକ୍ଷା ଯୋଗୁଁ ରାଜ୍ୟର ଲକ୍ଷାଧକ ଚାକିରି ଆଶାୟୀ ହତାଶ ହୋଇଛନ୍ତି। ଏଥିରେ ବିଧାୟକ  ସୌଭିକ ବିଶ୍ଵାଳ ଏବଂ ଅନ୍ୟ ଯୁବ ଓ ଛାତ୍ର ନେତୃବୃନ୍ଦ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *