ବିଜେପି ସରକାରର ଅପାରଗତା ପାଇଁ ବଢୁଛି ଭିଡ ହିଂସା : ବିଜେଡି

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ

ପରିସ୍ଥିତି ନିୟନ୍ତ୍ରଣ କରିବାରେ ପୋଲିସ ପ୍ରଶାସନ ବିଫଳ

ଆଇନମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଭିଡହିଂସା

ଭୁବନେଶ୍ୱର, (୩୦/୦୬): – ବିଜେପି ସରକାରରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ପ୍ରତିଦିନ କେଉଁଠି ନା କେଉଁଠି ଅପରାଧିକ କାର୍ଯ୍ୟକଳାପ ଘଟୁଥିବା ବେଳେ ତାହାକୁ ନିୟନ୍ତ୍ରଣ କରିବାରେ ପୋଲିସ ପ୍ରଶାସନ ସମ୍ପୂର୍ଣ ବିଫଳ ହୋଇଛି । ବାଣପୁରରେ ପୋଲିସ ସମ୍ମୁଖରେ ଜଣକୁ ପିଟି ପିଟି ମାରିଦେବା ଘଟଣାକୁ ନେଇ ବିଜେପି ସରକାର ଉପରେ ବର୍ଷିଛି ବିଜୁ ଜନତା ଦଳ ।



ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ବିଜେପି ସରକାରକୁ ତୀବ୍ର ନିନ୍ଦା କରି କହିଛନ୍ତି, ଡବଲ ଇଞ୍ଜିନ ସରକାରରେ ସମସ୍ତ ବର୍ଗର ଜନସାଧାରଣ ପ୍ରତାରଣାର ଶିକାର ହେଉଛନ୍ତି। ସେହିପରି ବାଣପୁର ଘଟଣାରେ ରାଜ୍ୟ ସରକାରଙ୍କ ପୋଲିସ ପ୍ରଶାସନର ବିଫଳତାକୁ ଦାୟୀ କରିଛନ୍ତି।

Advertisement



ରାଜ୍ୟ ସାରା ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ବେଳେ ସବୁଠି ବର୍ବରତା ଜାରି ରହିଛି। ଏହାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ପୁଣି ବାଣପୁର ଘଟଣା ପାଇଁ ଓଡିଶା ସର୍ବସମ୍ମୁଖରେ ନିନ୍ଦିତ ହୋଇଛି। ବାଲିଅନ୍ତା, କଣାସ ପରେ ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ଭିଡ ହିଂସା ଘଟିଛି। ଥାନା ଅଞ୍ଚଳରେ ଉକ୍ତ ନିନ୍ଦନୀୟ ଘଟଣା ଘଟିଯାଇଛି। କେଉଁଠି ବି ମାନବିକତା ନାହିଁ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ତୋଫାନ ନାୟକ ନାମକ ବ୍ୟକ୍ତିଙ୍କୁ ପୋଲିସ ଆଗରେ ସର୍ବସମ୍ମୁଖରେ ଥାନା ପରିସରରେ
ଲୋକେ ବାଡେଇ ବାଡେଇ ମାରୁଛନ୍ତି । କିନ୍ତୁ ପୋଲିସ ଦେଖଣାହାରି ସାଜିଛି। ପୋଲିସ ନାକ ତଳେ ଅପରାଧିକ କାର୍ଯ୍ୟକଳାପ ହେଇଥିବା ବେଳେ ଥାନା ଅଧିକାରୀ କରୁଥିଲେ କ’ଣ ?

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ପୋଲିସ ବିଜେପିର ହାତ ବାରିସି ସାଜିଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ସାଧାରଣ ଲୋକଙ୍କୁ ନ୍ୟାୟ ଦେବାରେ ବିଫଳ ହେବାରୁ ପୋଲିସ ପ୍ରତି ଲୋକଙ୍କ ଭରସା ତୁଟି ଗଲାଣି। ଏବେ ରାଜ୍ୟରେ ଜୋର ଯାର ମୂଲକ ତାର ପରି କଙ୍ଗାରୁ କୋର୍ଟରେ ଫୈସଲା କରାଯାଉଛି। ସେହିପରି ଆଜି ଭିଡ ହିଂସା ମଧ୍ୟ ଦେଖିବାକୁ ମିଳିଛି। ଯାହାକି ଅତି ନିନ୍ଦନୀୟ ଘଟଣା। ମୃତକଙ୍କ ପତ୍ନୀ ନ୍ୟାୟ ପାଇବା ପାଇଁ ଆକୁଳ ନିବେଦନ କରୁଥିବା ବେଳେ ନ୍ୟାୟ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି। ଆଗାମୀ ଦିନରେ ସେ ନ୍ୟାୟ ନପାଇଲେ ବିଜେଡ଼ି ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି। ପୋଲିସ ଡିଜି ଲୋକଙ୍କୁ ନ୍ୟାୟ ଦେବାରେ ବାରମ୍ବାର ବିଫଳ ହେଉଥିବା ବେଳେ ଲୋକେ ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *