ଖୋରଧା,(୨୯/୬):-ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ଅବସରରେ ଖୋରଧା ସ୍ଥିତ ବିଜେବି ଉଚ୍ଚ ବିଦ୍ୟାଳୟରେ ବିଦ୍ୟୁତ୍ର ସୁରକ୍ଷିତ, ସଠିକ୍ ଓ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ସମ୍ପର୍କରେ ଛାତ୍ରଛାତ୍ରୀ, ଅଭିଭାବକ ଓ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ସଭା ର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମର ଆରମ୍ଭ ବିଦ୍ୟାଳୟର ପ୍ରାର୍ଥନା ସଭାରେ ବିଦ୍ୟୁତ୍ର ସୁରକ୍ଷିତ ବ୍ୟବହାର ଓ ଶକ୍ତି ସଂରକ୍ଷଣ ସମ୍ପର୍କିତ ଶପଥ ପାଠ ମାଧ୍ୟମରେ ହୋଇଥିଲା। ପରେ ବିଦ୍ୟାଳୟ ପରିସର ଏବଂ ଏହାର ଆଖପାଖ ଅଞ୍ଚଳରେ ବିଦ୍ୟୁତ ସୁରକ୍ଷା ବାର୍ତ୍ତା ପ୍ରଚାର ପାଇଁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ ଓ ସଚେତନତାମୂଳକ ବାର୍ତ୍ତା ପ୍ରଦର୍ଶନ କରି ବିଦ୍ୟୁତ ସୁରକ୍ଷାର ଗୁରୁତ୍ୱ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିଥିଲେ। ଏହି ଅବସରରେ ବିଦ୍ୟୁତ ସୁରକ୍ଷା ଓ ଶକ୍ତି ସଂରକ୍ଷଣକୁ ବିଷୟବସ୍ତୁ କରି ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ୮୩ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରି ନିଜର ସୃଜନଶୀଳତା ଓ ବିଦ୍ୟୁତ୍ ସୁରକ୍ଷା ପ୍ରତି ସଚେତନତାର ପରିଚୟ ଦେଇଥିଲେ। ଅପରାହ୍ନ ରେ ୧୪୩ ଜଣ ଅଭିଭାବକଙ୍କ ଉପସ୍ଥିତିରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୂ ପ୍ରସାଦ ସେନାପତି ସଭାରେ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରିୟଙ୍କା ସାହୁ ଯୋଗଦେଇ ବିଦ୍ୟୁଜନିତ ଦୁର୍ଘଟଣାର କାରଣ, ଏହାର ପ୍ରତିକାର ଏବଂ ଦୈନନ୍ଦିନ ଜୀବନରେ ବିଦ୍ୟୁତ ଦୁର୍ଘଟଣାକୁ କିପରି ଏଡ଼ାଇ ହେବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ ବିଦ୍ୟୁତ ଉପକରଣ ବ୍ୟବହାର ସମୟରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ସହ ଶକ୍ତିର ଅପଚୟ ରୋକିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ।ପରେ ଅନୁଷ୍ଠିତ ପ୍ରଶ୍ନୋତ୍ତର ପର୍ବରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ, ଯାହାର ସନ୍ତୋଷଜନକ ଉତ୍ତର ମୁଖ୍ୟ ଅତିଥି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଶ୍ରେଷ୍ଠ ୧୦ ଜଣ ପ୍ରତିଯୋଗୀଙ୍କୁ ସ୍ମାରକ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ସମସ୍ତ ଅଭିଭାବକ ବିଦ୍ୟୁତ ସଂରକ୍ଷଣ, ସୁରକ୍ଷିତ ବ୍ୟବହାର ଏବଂ ବିଦ୍ୟୁଜନିତ ଦୁର୍ଘଟଣା ରୋକିବା ପାଇଁ ସଚେତନ ରହିବାର ଶପଥ ଗ୍ରହଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
