ବେଗୁନିଆ ରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ ତଥା ପ୍ରବାଦ ପୁରୁଷ ଦିବସ ପାଳିତ


ଖୋର୍ଦ୍ଧା,(17/04): – ମହାନ ଜନନାୟକ ପ୍ରବାଦ ପୁରୁଷ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୨୯ତମ ତିରୋଧାନ ଦିବସ ବେଗୁନିଆ ବ୍ଲକ ବିଜୁପଟ୍ଟନାୟକ ପାର୍କ ପରିସରରେ ପାଳିତ ହୋଇଯାଇଛି ।

Advertisement

ଏହି ଅବସରରେ ବିଜେଡି ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ ପରିସରରେ ଥିବା ବିଜୁ ବାବୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ବୋଲଗଡ ବ୍ଲକ ବିଜେଡି ସଭାପତି ବାନାମ୍ବର ମାଝିଙ୍କ ଅଧ୍ୟକ୍ଷତାରେ ଏକ ବିନମ୍ର ଶ୍ରଦ୍ଧାଞ୍ଜଳି ସାଧାରଣ ସଭା କରାଯାଇଥିଲା । ବିଧାୟକ ଶ୍ରୀ ସାହୁ କହିଥିଲେ ଓଡିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ । ସେ ଥିଲେ ଓଡିଆଙ୍କ ଗର୍ବ ଏବଂ ଗୌରବ । ନୂଆ ଓଡ଼ିଶା ଗଠନ କରିବାରେ ତାଙ୍କର ଥିଲା ପ୍ରମୁଖ ଭୂମିକା । ସାହସୀ ଓ ନିର୍ଭିକ ବ୍ୟକ୍ତିତ୍ୱ ଭାବେ ପ୍ରତିଟି ଓଡ଼ିଆଙ୍କ ମନରେ ସେ ରହିଛନ୍ତି । ବିଜୁ ବାବୁ କେହି ଚାହିଁଲେ ବି ଓଡିଶା ବାସୀଙ୍କ ମନରୁ ଲିଭାଇପାରିବ ନାହିଁ । ସେହିପରି ନବ ଉତ୍କଳର ଅନ୍ୟତମ ପୁରୋଧା ଥିଲେ ବିଜୁ ବାବୁ । ସେ ଥିଲେ ଓଡିଆ ଜାତିର ସ୍ୱାଭିମାନର ପ୍ରତୀକ । ଏକାଧାରରେ ସେ ଜଣେ ସ୍ୱାଧିନତା ସଂଗ୍ରାମୀ, ଦୁଃସାହସିକ ରାଜନିତିଜ୍ଞ, ଦୁର୍ଦ୍ଦଶ ପାଇଲଟ, ଯୁଗସ୍ରଷ୍ଟା ଓ ଦୂରଦ୍ରଷ୍ଟା ରାଜନେତା ଥିଲେ ବୋଲି ମତବ୍ୟକ୍ତ କରିଥିଲେ ।

ମାଟିର ବରପୁତ୍ର ତଥା ଝଡ଼ର ଇଗଲ ବିଜୁବାବୁଙ୍କର ଅଭିନବ ଉଦ୍ୟମ, ସାହସ ଏବଂ କ୍ରାନ୍ତିକାରୀ ପଦକ୍ଷେପ ଯୋଗୁଁ ସେ ସମସ୍ତଙ୍କ ମନର ମହାନାୟକ । ତାଙ୍କ ବ୍ୟକ୍ତିତ୍ୱ ଓଡିଶାବାସୀଙ୍କୁ ସବୁବେଳେ ଉଦବୁଦ୍ଧ କରିଆସିଛି, ପ୍ରେରଣା ଯୋଗାଇ ଆସିଛି । ଯାହାକୁ କେହି ବି ଆସିଲେ ଲିଭାଇପାରିବ ନାହିଁ ବୋଲି କହିଥିଲେ । ଏଥିସହିତ ତାଙ୍କ ଉଦ୍ୟମରେ ପାରାଦୀପ ବନ୍ଦର, ହାଲ, ରାଉଲକେଲା ଇସ୍ପାତ କାରାଖାନା, ରିଜିଓନାଲ କଲେଜ ଆଦି ପ୍ରତିଷ୍ଠା ହୋଇଥିଲା ବୋଲି ମତ ଦେବା ସହ ସେ ଇଣ୍ଡୋନେସିଆର ଭୂମିପୁତ୍ର ଉପାଧି ପାଇଥିଲେ ବୋଲି ମତବ୍ୟକ୍ତ କରିଥିଲେ । ବିଜୁ ବାବୁ ତ୍ରିସ୍ତରୀୟ ପଂଚାୟତି ରାଜ ବ୍ୟବସ୍ଥାକୁ ଆରମ୍ଭ କରିଥିଲେ ।

ଅପ୍ରେଲ ୧୭ତାରିଖରେ ବିଜୁ ବାବୁଙ୍କ ତିରୋଧାନ ଦିବସ ତଥା ପ୍ରବାଦ ପୁରୁଷ ଦିବସ  ଭାବେ ସାରା ରାଜ୍ୟରେ ପାଳନ ହେଉଛି ।  ଏପରିକି ସ୍ୱାଧୀନତା ପରେ ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସ୍ୱପ୍ନ ଦେଖିଥିବା ନେତା ଥିଲେ ବିଜୁ ପଟ୍ଟନାୟକ । ୧୯୬୧ରେ ମାତ୍ର ୪୫ ବର୍ଷ ବୟସରେ ବିଜୁ ପଟ୍ଟନାୟକ ହୋଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଆଉ ଆଧୁନିକ ଓଡ଼ିଶା ନିର୍ମାଣର ନିଅଁ ପଡ଼ିଥିଲା ତାଙ୍କରି ହାତରେ । ଓଡ଼ିଶାରେ ମୁଣ୍ଡ ଟେକିଥିଲା ବହୁ ଶିଳ୍ପ, କଳ କାରଖାନା । ଗାଁର ବିକାଶ ସହ ଘରେ ଘରେ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ମହିଳା ସଶକ୍ତୀକରଣ ପାଇଁ ତାଙ୍କର ସ୍ୱପ୍ନ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ସମ୍ଭବ ହୋଇଥିବା କହିଥିଲେ ।

ଏହି କାର୍ଯ୍ୟକ୍ରମରେ ବେଗୁନିଆ ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ ବେହେରା , ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି , ଜିଲ୍ଲାପରିଷଦ ସଦସ୍ୟ ସୁବାସ ଚନ୍ଦ୍ର ରାୟଗୁରୁ  ,ବେଗୁନିଆ ସରପଞ୍ଚ ସତ୍ୟନାରାୟଣ ପ୍ରଧାନ ଙ୍କ ସମେତ ବହୁ ପଂଚାୟତ ର ସରପଞ୍ଚ , ସମିତି ସଭ୍ୟ /ସଭ୍ୟା, ବିଜୁ ଜନତା ଦଳ ର ଶତାଧିକ ଛାମୁଆ କର୍ମୀ ଙ୍କୁ ନେଇ ବିଜୁ ପ୍ରବାଦ ପୁରୁଷ ଦିବସ ପାଳିତ ହୋଇଯାଇଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *