ଗୀତାଞ୍ଜଳି ରାଉତଙ୍କୁ ‘କୁନ୍ତଳା କୁମାରୀ ପ୍ରେରଣା ସମ୍ମାନ-୨୦୨୬’ ପ୍ରଦାନ
ଖୋରଧା,(୯/୨): -ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଖୋରଧା ସାହିତ୍ୟ ସଂସଦର ମିଳିତ ଆନୁକୁଲ୍ୟରେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ୧୨୫ତମ ରାଜ୍ୟସ୍ତରୀୟ ଜୟନ୍ତୀ ଶ୍ୟାମମାଧବ ବାସନ୍ତୀ ଦେବୀ ପାଠାଗାର ସଭାଗୃହ ରେ ସଭାପତି ଡକ୍ଟର ନିରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ଓଡ଼ିଆ ସାହିତ୍ୟରେ ଜଣେ ଅନନ୍ୟ ସାଧକ ଭାବେ, ଅଞ୍ଜଳି, ଅର୍ଚ୍ଚନା, ଫୁଲିଙ୍ଗ,ଆହ୍ୱାନ,ପ୍ରେମ ଚିନ୍ତାମଣି,ଆଦି କବିତା, ଗ୍ରନ୍ଥ ଓ ପରଶମଣି, କାଳିବୋହୂ, ରଘୁ ଅରକ୍ଷିତ, ଭ୍ରାନ୍ତି, ନଅତୁଣ୍ଡି ,ଆଦି ଉପନ୍ୟାସ ରଚନା କରି ସେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି।
ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ସାହିତ୍ୟ ଏକାଡେମୀ ଓ ଖୋର୍ଦ୍ଧା ସାହିତ୍ୟ ସଂସଦ ର ମିଳିତ ଆନୁକୁଲ୍ୟରେ ତାଙ୍କର ଜୟନ୍ତୀ ପାଳିତ ହୋଇଥିଲା l ଏଥିସହିତ ଖୋର୍ଦ୍ଧା, ପୁରୀ,ନୟାଗଡ଼ ଓ କଟକ ଜିଲ୍ଲାର ବହୁକବି ଏହି ଉପଲକ୍ଷେ ହେଉଥିବା କବିତା ପାଠ ଉତ୍ସବରେ ଯୋଗ ଦେଇ ଥିଲେ, ଏହି କାର୍ଯ୍ୟକ୍ରମକୁ ଡାକ୍ତର ଯୋଗେଶ ଚନ୍ଦ୍ର ରଥ ଓ ସତ୍ୟବାଦୀ ବଳିୟାରସିଂ ସଂଚାଳନ କରିଥିବା ବେଳେ କବି ଜୟଶ୍ରୀ ପଟ୍ଟନାୟକ, କବିତା ପଟ୍ଟନାୟକ,ଡ଼. ଚପଳା ପଣ୍ଡା ଓ ବଂଶୀଧର ଦାସ ସଂଯୋଜନା କରିଥିଲେ l
ଆଲୋଚନା ପର୍ଯାୟରେ ମୁଖ୍ୟ ଅଟିଥି ଡ଼.ପଦ୍ମଜ ପାଲ, ଡ଼.ନିର୍ମଳା କୁମାରୀ ମହାପାତ୍ର କୁନ୍ତଳାକୁମାରୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିବା ବେଳେ ମୁଖ୍ୟ ବକ୍ତା ଡ଼.ନାରାୟଣ ପଣ୍ଡା କୁନ୍ତଳା କୁମାରୀଙ୍କ
ସଂଘର୍ଷମୟ ଜୀବନ ଦର୍ଶନ ଏବଂ ତାଙ୍କର ଓଡ଼ିଆ ଉପନ୍ୟାସ ଜଗତରେ ବିରଳ ପ୍ରତିପାଦନ ସହିତ ଓଜସ୍ବିନୀ ବକ୍ତବ୍ୟ ପ୍ରଦାନ କରି ଦର୍ଶକ ମାନଙ୍କୁ ସ୍ତମ୍ଭିଭୁତ କରିଥିଲେ l ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଡକ୍ଟର ଧୀରେନ୍ଦ୍ର ନନ୍ଦ ସ୍ବାଗତ ଭାଷଣ ଦେଇଥିଲେ ।
ପ୍ରତିଷ୍ଠିତ ସାହିତ୍ୟ ସାଧକ ମାନଙ୍କୁ ପ୍ରଚ୍ଛଦ ପଟରେ ପ୍ରେରଣା ପ୍ରଦାନ କରିଆସିଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରତି ବର୍ଷ ଏହି ଦିବସ ରେ କୁନ୍ତଳା କୁମାରୀ ପ୍ରେରଣା ସମ୍ମାନ ପ୍ରଦାନ କରାଯିବ ଯାହା ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ଅଭିନବ ପଦକ୍ଷେପ ।ସେହିପରି ବର୍ତ୍ତମାନ ସମୟରେ ଯେପରି ପ୍ରକୃତ ଲେଖକ ସଂଖ୍ୟା ନିରୁତ୍ସାହଜନକ ହୋଇପଡୁଛି ନୂଆକରି ସାହିତ୍ୟ ସାଧନାରେ
ପାଦ ଥାପିଥିବା ଜଣେ ଜଣେ ନାରୀ ଲେଖୁଙ୍କୁ କୁନ୍ତଳା କୁମାରୀ ନବ ସୃଜନ ସମ୍ମାନ ପ୍ରଦାନ କରାଯାଇ ଉତ୍ସାହିତ କରାଯିବ ବୋଲି ସଭାପତି ଘୋଷଣା କରିଥିଲେ l ଏହି ଅବସରରେ ଓଡ଼ିଶାର ବିଶିଷ୍ଟ ଗାଳ୍ପିକ ଓ “ମହଲ’ ପତ୍ରିକାର ପ୍ରାକ୍ତନ ସଂପାଦକ ଦିବଂଗତ ବଂଶୀଧର ରାଉତଙ୍କ ଧର୍ମପତ୍ନୀ ତଥା ସାହିତ୍ୟ ରଚନାର ପ୍ରେରଣାଦାତ୍ରୀ ଗୀତାଞ୍ଜଳି ରାଉତଙ୍କୁ ଚଳିତ ବର୍ଷର କୁନ୍ତଳା କୁମାରୀ ପ୍ରେରଣା ସମ୍ମାନ ପ୍ରଦାନ-୨୦୨୬ ସହିତ ପାଞ୍ଚ ହଜାର ଟଙ୍କା ଓ ଉପଢୌକନ ପ୍ରଦାନ କରାଯାଇଥିଲା । ଏଥିସହ ଜଣେ ଯୁବ ନାରୀ କବି
ନୀଳିମା ନିଳୋତ୍ପଳାଙ୍କୁ ମଧ୍ଯ କୁନ୍ତଳା କୁମାରୀ ନବ ସୃଜନ ସମ୍ମାନ-୨୦୨୬ ପ୍ରଦାନ କରାଯାଇଥିଲା । ଶେଷରେ ସଂଗଠନ ସମ୍ପାଦିକା ଇତିଶ୍ରୀ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
