ଜାନୁଆରୀ ୧୫ ସୁଦ୍ଧା ତାରିଖ ଘୋଷଣା ସମ୍ଭାବନା, ପ୍ରସ୍ତୁତି ଜୋରଦାର କଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ, ୧୦/୧୧: ଆସନ୍ତା ୨୦୨୭ରେ ଦେଶର ୫ଟି ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏଥିପାଇଁ ନିର୍ବାଚନୀ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ସମ୍ଭାବନା ରହିଛି, ଆସନ୍ତାବର୍ଷ ଜାନୁଆରୀ ୧୫ ତାରିଖ ସୁଦ୍ଧା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହୋଇପାରେ।
ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟ ହେଉଛି ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆ। ଏହି ରାଜ୍ୟଗୁଡ଼ିକରେ ନିର୍ବାଚନକୁ ଶୃଙ୍ଖଳିତ ଓ ଅବାଧ କରିବା ପାଇଁ କମିଶନଙ୍କ ପକ୍ଷରୁ ପର୍ଯ୍ୟାୟକ୍ରମେ ସମୀକ୍ଷା ଓ ପ୍ରସ୍ତୁତି ଚାଲିଛି।

ସୂଚନା ଅନୁଯାୟୀ, ନଭେମ୍ବର ଶେଷ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ସମେତ ଦୁଇ ନିର୍ବାଚନ କମିଶନରଙ୍କୁ ନେଇ ଗଠିତ ପୂର୍ଣ୍ଣାଙ୍ଗ କମିଶନ ଏହି ୫ଟି ରାଜ୍ୟ ଗସ୍ତ କରିବେ। ଗସ୍ତ ସମୟରେ ନିର୍ବାଚନୀ ପ୍ରସ୍ତୁତି, ଆଇନଶୃଙ୍ଖଳା ଓ ପ୍ରଶାସନିକ ବ୍ୟବସ୍ଥାର ସମୀକ୍ଷା କରାଯିବ। ଏହାପରେ ନିର୍ବାଚନ ତାରିଖ ଘୋଷଣା ନେଇ ଚୂଡ଼ାନ୍ତ ପ୍ରକ୍ରିୟା ଆଗକୁ ବଢ଼ିବ।
ଅନ୍ୟପକ୍ଷରେ, ଡିଇସି ସ୍ତରୀୟ ଟିମ୍ର ପରିଦର୍ଶନ ମଧ୍ୟ ଜାରି ରହିଛି। ପଞ୍ଜାବ, ଉତ୍ତରାଖଣ୍ଡ ଓ ମଣିପୁରରେ ଏହି ପରିଦର୍ଶନ ଶେଷ ହୋଇଥିବାବେଳେ ଉତ୍ତରପ୍ରଦେଶରେ ଗୋଟିଏ ପର୍ଯ୍ୟାୟ ସମୀକ୍ଷା ସରିଛି। ଆଉ ଗୋଟିଏ ପର୍ଯ୍ୟାୟ ପରିଦର୍ଶନ ବାକି ରହିଛି। ଗୋଆରେ ଏପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଆରମ୍ଭ ହୋଇନାହିଁ।
ଏହି ଟିମ୍ ବିଭିନ୍ନ ଜିଲ୍ଲା ଗସ୍ତ କରି ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଏସ୍ପିମାନଙ୍କ ସହ ଆଲୋଚନା କରିବା ସହ ନିର୍ବାଚନ ପରିଚାଳନାର ପ୍ରସ୍ତୁତି ଯାଞ୍ଚ କରୁଛନ୍ତି। ପରିଦର୍ଶନ ଶେଷ ହେବା ପରେ ସମ୍ପୃକ୍ତ ଟିମ୍ ନିଜ ରିପୋର୍ଟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରିବେ।
ସମ୍ଭାବ୍ୟ ନିର୍ବାଚନ ପର୍ଯ୍ୟାୟକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ପଞ୍ଜାବ, ଗୋଆ ଓ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇପାରେ। ଅନ୍ୟପକ୍ଷରେ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ ଏକାଧିକ ପର୍ଯ୍ୟାୟରେ ମତଦାନ ହେବାର ସମ୍ଭାବନା ରହିଛି।
ତେବେ ନିର୍ବାଚନର ପ୍ରକୃତ ତାରିଖ ଓ ପର୍ଯ୍ୟାୟ ସମ୍ପର୍କରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ଆଗାମୀ ଦିନରେ କମିଶନଙ୍କ ଗସ୍ତ ଓ ସମୀକ୍ଷା ପରେ ନିର୍ବାଚନୀ ଚିତ୍ର ଅଧିକ ସ୍ପଷ୍ଟ ହେବ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
