ଅବସରକାଳୀନ ସହାୟତା ରାଶି ୯ ଲକ୍ଷ ଟଙ୍କାକୁ ବୃଦ୍ଧି: ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ବାଣପୁର ଓକିଲ ସଂଘର କୃତଜ୍ଞତା

ଦିଲ୍ଲୀପ କୁମାର ପଟ୍ଟନାୟକ

ଖୋର୍ଦ୍ଧା, ନଭେମ୍ୱର ୬ :-ରାଜ୍ୟର ଆଇନଜୀବୀମାନଙ୍କ ପାଇଁ ଆଇନଜୀବୀ କଲ୍ୟାଣ ପାଣ୍ଠିରୁ ପ୍ରଦାନ କରାଯାଉଥିବା ଅବସରକାଳୀନ ସହାୟତା ରାଶିକୁ ୯ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ରାଜ୍ୟ ଆଇନଜୀବୀ ପରିଷଦର ଦୀର୍ଘଦିନର ଦାବିକୁ ଗ୍ରହଣ କରି ସରକାର ଏହି ନିଷ୍ପତ୍ତି ନେଇଥିବାରୁ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଓକିଲ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଯାଇଛି।

Advertisement


ବାଣପୁର ଓକିଲ ସଂଘର ସଭାପତି ଜଗନ୍ନାଥ ଭୋଳଙ୍କ ନେତୃତ୍ୱରେ ସଂଘର ବହୁ ଆଇନଜୀବୀ ସ୍ଥାନୀୟ କୋର୍ଟ ଫାଟକ ନିକଟରେ ଏକତ୍ରିତ ହୋଇ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଖୁସି ଜାହିର କରିଥିଲେ। ଏହି ଅବସରରେ ଆଇନଜୀବୀମାନେ ପରସ୍ପରକୁ ମିଠା ଖୁଆଇ ଆନନ୍ଦ ଉତ୍ସବ ପାଳନ କରିଥିଲେ। ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।
ସଂଘର ସଭାପତି ଶ୍ରୀ ଭୋଳ କହିଥିଲେ ଯେ, ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟର ଆଇନଜୀବୀମାନଙ୍କ ସ୍ୱାର୍ଥ ଓ କଲ୍ୟାଣ ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ସରକାର ଅବସରକାଳୀନ ସହାୟତା ରାଶି ବୃଦ୍ଧି କରିବା ଆଇନଜୀବୀ ସମାଜ ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।


ଏଥିସହ ରାଜ୍ୟ ଆଇନଜୀବୀ ପରିଷଦର ଅନ୍ୟ ତିନୋଟି ପ୍ରମୁଖ ଦାବି ଯଥା ଆଇନଜୀବୀମାନଙ୍କ ପାଇଁ ମଧୁବାବୁ ସ୍ୱାସ୍ଥ୍ୟ ବୀମା ଯୋଜନା ଲାଗୁ, ଆଡଭୋକେଟ ଏକାଡେମୀ ପ୍ରତିଷ୍ଠା ଏବଂ ଆଡଭୋକେଟ ପ୍ରୋଟେକ୍ସନ ଆକ୍ଟ ପ୍ରଣୟନ ଦିଗରେ ମଧ୍ୟ ରାଜ୍ୟ ସରକାର ଖୁବ୍‌ଶୀଘ୍ର ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ବାଣପୁର ଓକିଲ ସଂଘ ଆଶା ପ୍ରକାଶ କରିଛି।
ଅନ୍ୟପକ୍ଷରେ, ଆଇନ ମନ୍ତ୍ରୀଙ୍କ ଉଦ୍ୟମରେ ବାଣପୁରରେ ନୂତନ ଅତିରିକ୍ତ ଜିଲ୍ଲା ଜଜ (ଏଡିଜେ) ଅଦାଲତ ପ୍ରତିଷ୍ଠା ନେଇ ବହୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଅଦାଲତକୁ ସ୍ଥାୟୀ ଭାବେ କାର୍ଯ୍ୟକ୍ଷମ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଆଇନ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ସୁଦର୍ଶନ ଜାଲି, ପୂର୍ବତନ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ବରିଷ୍ଠ ଆଇନଜୀବୀ ସନ୍ଦୀପ ମହାପାତ୍ର, ସଞ୍ଜୟ ରଣସିଂହ, ଜଳନ୍ଧର ପ୍ରଧାନ, ପ୍ରଭାତ ପଟ୍ଟଯୋଶୀ, ସୁନୀଲ ମହାପାତ୍ର, ଅଜିତ ସ୍ୱାଇଁ, ସୀତାରାମ ଅଗ୍ରୱାଲ, ବୈକୁଣ୍ଠ ନାଥ ପ୍ରଧାନ, ବିବେକାନନ୍ଦ ପଣ୍ଡା, ପଦ୍ମଜା ପଟ୍ଟନାୟକ, ପ୍ରଦୋଷ କୁମାର ପ୍ରଧାନ, ସନ୍ତୋଷ ମହାପାତ୍ର, ଭାଗିରଥି ବିଶ୍ୱାଳ, ଅନିଲ ବାରିକ, ରାମଚନ୍ଦ୍ର ପଲାଇ, ଅଜିତ ବାରିକଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *