ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଧ୍ୟାତ୍ମିକ ଭ୍ରମଣ
ଖୋର୍ଦ୍ଧା, (୨୭/୧୦): -ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ଖୋର୍ଦ୍ଧା ଜିଲ୍ଲାର ୧୬୯ ଜଣ ତୀର୍ଥଯାତ୍ରୀ ବାରଣାସୀ ଓ ଅଯୋଧ୍ୟା ତୀର୍ଥଭ୍ରମଣରେ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଅବସରରେ ମଙ୍ଗଳବାର ଅପରାହ୍ନରେ ଖୋର୍ଦ୍ଧା ସଦର ମହକୁମାସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଏକ ବର୍ଣ୍ଣାଢ଼୍ୟ ସମାରୋହ ଆୟୋଜିତ ହୋଇଥିଲା।
ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ।

ଏହି ଅବସରରେ ଶ୍ରୀ ମହାରଣା କହିଥିଲେ ଯେ, ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଏକ ଅଭିନବ ଜନକଲ୍ୟାଣକାରୀ ପଦକ୍ଷେପ। ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକମାନେ ରାଜ୍ୟ ବାହାରର ପ୍ରମୁଖ ତୀର୍ଥସ୍ଥଳୀ ଦର୍ଶନ କରିବା ସହ ଆଧ୍ୟାତ୍ମିକ ଅନୁଭୂତି ଲାଭ କରିପାରୁଛନ୍ତି। ସେମାନେ ନିଜ ପରିବାର, ସମାଜ, ଜିଲ୍ଲା, ରାଜ୍ୟ ତଥା ଦେଶର ସୁଖ, ସମୃଦ୍ଧି ଓ ଶାନ୍ତି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବାକୁ ସେ ଆହ୍ୱାନ ଦେବା ସହ ସମସ୍ତ ଯାତ୍ରୀଙ୍କ ଶୁଭଯାତ୍ରା କାମନା କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ମଧ୍ୟ ସମସ୍ତ ତୀର୍ଥଯାତ୍ରୀଙ୍କ ଯାତ୍ରା ସୁଖଦ ଓ ମଙ୍ଗଳମୟ ହେଉ ଏବଂ ସେମାନେ ସୁସ୍ଥ ଓ ସୁରକ୍ଷିତ ଭାବେ ଫେରନ୍ତୁ ବୋଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବ୍ଲକ୍ ଉନ୍ନୟନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଯୋଗଦେଇ ତୀର୍ଥଯାତ୍ରୀଙ୍କ ମଙ୍ଗଳ କାମନା କରିଥିଲେ। ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସିଆରସିସି ଶ୍ରୀକାନ୍ତ ନାୟକ ମଞ୍ଚ ସଂଯୋଜନା କରିଥିବାବେଳେ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସୁସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ଯାତ୍ରା ପୂର୍ବରୁ ସମସ୍ତ ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ଚାରୋଟି ବସ୍ରେ ସେମାନେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ। ଖୋର୍ଦ୍ଧା ଉପଖଣ୍ଡର ୧୨୭ ଜଣ ତୀର୍ଥଯାତ୍ରୀଙ୍କ ସହ ଭୁବନେଶ୍ୱର ଉପଖଣ୍ଡର ୪୨ ଜଣ ଯାତ୍ରୀ ଏହି ଯାତ୍ରାରେ ସାମିଲ ହୋଇଛନ୍ତି।

ଯାତ୍ରୀମାନେ ଭୁବନେଶ୍ୱରରେ ରାତ୍ରିଯାପନ କରିବା ପରେ ଅକ୍ଟୋବର ୨୮ ତାରିଖରେ ଷଷ୍ଠ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ସ୍ୱତନ୍ତ୍ର ଟ୍ରେନ୍ରେ ବାରଣାସୀ ଓ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ। ଏହି ଟ୍ରେନ୍ରେ ଖୋର୍ଦ୍ଧା ସମେତ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲାର ତୀର୍ଥଯାତ୍ରୀମାନେ ମଧ୍ୟ ଯାତ୍ରା କରିବେ।
ଯାତ୍ରୀମାନଙ୍କ ସୁଖଦ ଓ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱଦେଶ ବିଶ୍ୱାଳଙ୍କ ନେତୃତ୍ୱରେ ନିବାସ ନାୟକ, ଅରବିନ୍ଦ ନାୟକ, ସଂଗ୍ରାମ କେଶରୀ ଦାସ, ପଦ୍ମନାଭ ପ୍ରଧାନ ଓ ପଦ୍ମନାଭ ମହାପାତ୍ରଙ୍କୁ ମିଶାଇ ମୋଟ ଛଅ ଜଣ ଏସ୍କର୍ଟ ଅଫିସରଙ୍କୁ ନିଯୁକ୍ତ କରାଯାଇଛି।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା, ବିଡିଓ ସିଦ୍ଧାର୍ଥ ପଟ୍ଟନାୟକ, ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସୁସ୍ମିତା ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଏବଂ ଆସିଷ୍ଟାଣ୍ଟ କଲେକ୍ଟର ରିଷଭ ତ୍ରିପାଠୀ ନଡ଼ିଆ ବାଡ଼େଇ ଓ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
