ଖୋର୍ଦ୍ଧା, ୨୮ ଜୁଲାଇ – ତାମିଲନାଡୁର ଏକ ସାମୁଦ୍ରିକ ଖାଦ୍ୟ ରପ୍ତାନି କାରଖାନାରେ ଘଟିଥିବା ଆମୋନିଆ ଗ୍ୟାସ ଲିକ ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ କ୍ଲାପ ଲିଗାଲ୍ ସର୍ଭିସ ଇନଷ୍ଟିଚ୍ୟୁଟ୍ ଦାବି କରିଛି। ଏହି ଘଟଣା କେବଳ ଏକ ଔଦ୍ୟୋଗିକ ଦୁର୍ଘଟଣା ନୁହେଁ, ବରଂ ମାନବ ଚାଲାଣ, ଶିଶୁ ଶ୍ରମ ଓ ଆଦିବାସୀ ସମ୍ପ୍ରଦାୟର ଶୋଷଣ ସହ ଜଡ଼ିତ ଏକ ଗୁରୁତର ଘଟଣା ବୋଲି ସଂସ୍ଥା ଅଭିଯୋଗ କରିଛି।

ଘଟଣା ପରେ କ୍ଲାପ ପକ୍ଷରୁ ଗଠିତ ତଥ୍ୟ ଅନୁସନ୍ଧାନକାରୀ ଦଳର ରିପୋର୍ଟରେ ଶ୍ରମ ଆଇନ, ଶିଶୁ ସୁରକ୍ଷା ଆଇନ, ମାନବ ଚାଲାଣ ନିରୋଧ ଆଇନ ଏବଂ ଆଦିବାସୀ କଲ୍ୟାଣ ସମ୍ବନ୍ଧୀୟ ବିଭିନ୍ନ ଆଇନର ଗୁରୁତର ଉଲ୍ଲଂଘନ ହୋଇଥିବା ଅଭିଯୋଗ କରାଯାଇଛି। ଏହି ଦୁର୍ଘଟଣାରେ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ବିଶେଷ ଦୁର୍ବଳ ଜନଜାତି (ପିଭିଟିଜି) ଜୁଆଙ୍ଗ ସମ୍ପ୍ରଦାୟର ୧୫ ଜଣ ଯୁବତୀଙ୍କ ସହ ଆସାମ ଓ ଝାଡ଼ଖଣ୍ଡର ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୫ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇ ଶାରୀରିକ ଓ ମାନସିକ ସମସ୍ୟାରେ ପୀଡ଼ିତ ଥିବା ଜଣାପଡ଼ିଛି। ୨୦୨୫ ଅକ୍ଟୋବର ମାସରେ କେନ୍ଦୁଝର ଜିଲ୍ଲାର ପ୍ରାୟ ୩୦ ଜଣ ଯୁବକ-ଯୁବତୀଙ୍କୁ ସ୍ଥାନୀୟ ଏଜେଣ୍ଟ ଶ୍ରୀକାନ୍ତ ଜୁଆଙ୍ଗ ମାସିକ ୯,୫୦୦ ଟଙ୍କା ଦରମାରେ ତାମିଲନାଡୁର ସେଣ୍ଟ ପିଟର୍ସ ଆଣ୍ଡ ପଲ୍ସ ସି-ଫୁଡ୍ସ ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ କାରଖାନାକୁ ପଠାଇଥିଲେ। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୫ ଜଣ ନାବାଳକ-ନାବାଳିକା ଥିବା ଏବଂ ସମସ୍ତେ ଜୁଆଙ୍ଗ ଜନଜାତିର ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଅନୁସନ୍ଧାନକାରୀ ଦଳ ମତ ଦେଇଛି ଯେ, ଏହି ନିଯୁକ୍ତି ପ୍ରକ୍ରିୟାରେ ମାନବ ଚାଲାଣର ସମସ୍ତ ଲକ୍ଷଣ ରହିଥିଲା। ଆଦିବାସୀ ଶ୍ରମିକଙ୍କୁ ବେଆଇନ ଭାବେ ନିଯୁକ୍ତି, ନାବାଳକଙ୍କୁ କାମରେ ନିୟୋଜିତ କରିବା ଏବଂ ଆଇନଗତ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉପେକ୍ଷା କରାଯାଇଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁସାରେ ବର୍ତ୍ତମାନ ୩ ଜଣ ଆହତ ଶ୍ରମିକ ଚେନ୍ନାଇ ନିକଟସ୍ଥ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ଅନ୍ୟ ଜଣେ ନିଜ ଗାଁକୁ ଫେରିଛନ୍ତି। ତେବେ ଆହତମାନଙ୍କ ପରିବାର ଲୋକଙ୍କୁ ହସ୍ପିଟାଲକୁ ଯିବା ପାଇଁ କୌଣସି ସରକାରୀ ସହାୟତା ମିଳିନଥିବା ସହ ଗାଁକୁ ଫେରିଥିବା ଶ୍ରମିକଙ୍କୁ ଉପଯୁକ୍ତ ଚିକିତ୍ସା, ମାନସିକ ପରାମର୍ଶ ଓ ପୁନର୍ବାସ ସୁବିଧା ଯୋଗାଇ ଦିଆଯାଇନଥିବା ଦଳ ଅଭିଯୋଗ କରିଛି। କ୍ଲପ ସଭାପତି ଡ଼. ବିକାଶ ଦାସ କହିଛନ୍ତି, ଘଟଣାର ପ୍ରାୟ ଏକ ମାସ ବିତିଥିଲେ ମଧ୍ୟ ମୃତକଙ୍କ ପରିବାର କିମ୍ବା ଆହତମାନଙ୍କୁ କୌଣସି ଆର୍ଥିକ ସହାୟତା କିମ୍ବା କ୍ଷତିପୂରଣ ପ୍ରଦାନ କରାଯାଇନାହିଁ। ଏହା ମାନବ ଚାଲାଣ ରୋକିବା, ଶିଶୁ ଶ୍ରମ ନିୟନ୍ତ୍ରଣ କରିବା ଓ ଦୁର୍ବଳ ଜନଜାତିଙ୍କ ସୁରକ୍ଷା ପ୍ରଦାନ କରିବାରେ ପ୍ରଶାସନିକ ବ୍ୟବସ୍ଥାର ଚରମ ବିଫଳତା ବୋଲି ସେ କହିଛନ୍ତି।

ଅନୁସନ୍ଧାନକାରୀ ଦଳରେ କେନ୍ଦୁଝର ଶିଶୁ ଅଧିକାର ସୁରକ୍ଷା ପରିଷଦର ଆବାହକ ଭକ୍ତବତ୍ସଳ ମହାନ୍ତି, କେନ୍ଦୁଝର ଜୁଭେନାଇଲ୍ ଜଷ୍ଟିସ ବୋର୍ଡର ସଦସ୍ୟ ଡ଼. ମାନସ ରଞ୍ଜନ ପଣ୍ଡା, ଆଇନଜୀବୀ ଚନ୍ଦ୍ରଦେବ ପୁରୋହିତ, କ୍ଲାପ୍ର ‘ଆକ୍ସେସ୍ ଟୁ ଜଷ୍ଟିସ୍’ ପ୍ରକଳ୍ପର ନିର୍ଦ୍ଦେଶକ ସନ୍ତୋଷ କୁମାର ପ୍ରଧାନ ଏବଂ ଆଦିବାସୀ ନେତା ପଦ୍ମଚରଣ ନାୟକ ଓ ଗଙ୍ଗାରାମ ମୁଧା ସାମିଲ ଥିଲେ।
କ୍ଲାପ ପକ୍ଷରୁ ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଛି। ଏଥିରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ, ଆହତମାନଙ୍କ ଉନ୍ନତ ଚିକିତ୍ସା, ମାନସିକ ପରାମର୍ଶ, ଦୀର୍ଘମିଆଦୀ ପୁନର୍ବାସ, ବେଆଇନ ନିଯୁକ୍ତି ଓ ମାନବ ଚାଲାଣରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀଙ୍କ ଭୂମିକାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରାଯାଇଛି।
ଏହି ଘଟଣାକୁ କେବଳ ଏକ କାରଖାନା ଦୁର୍ଘଟଣା ଭାବେ ନଦେଖି ଆଦିବାସୀ ଶିଶୁ ଓ ଅସହାୟ ଶ୍ରମିକଙ୍କ ମାନବ ଚାଲାଣ ଏବଂ ଶୋଷଣର ଏକ ଗୁରୁତର ମାମଲା ଭାବେ ବିଚାର କରି ଉଭୟ ଓଡ଼ିଶା ଓ ତାମିଲନାଡୁ ସରକାର ତୁରନ୍ତ ପଦକ୍ଷେପ ନେବାକୁ କ୍ଲାପ୍ ଆହ୍ୱାନ କରିଛି।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
