ଗେଡ଼ିଆପଲ୍ଲୀ ଉଚ୍ଚ ବିଦ୍ୟାଳୟ କମିଟି ଗଠନରେ ଅନିୟମିତତା ଅଭିଯୋଗ: ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅଭିଭାବକ

ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ସ୍ୱଚ୍ଛ ଭାବେ ପୁନର୍ବାର ଶିକ୍ଷା କମିଟି ଗଠନ ପାଇଁ ଅନୁରୋଧ


ଖୋର୍ଦ୍ଧା -(୧୭/୭): -ଖୋର୍ଦ୍ଧା ଜିଲ୍ଲା ଗେଡ଼ିଆପଲ୍ଲୀ ସ୍ଥିତ ବିଦ୍ୟାଳୟର ସ୍କୁଲ ପରିଚାଳନା କମିଟି  ଗଠନରେ ବ୍ୟାପକ ଅନିୟମିତତା ଓ ବେନିୟମ କାର୍ଯ୍ୟକଳାପ ହୋଇଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏହି ସମ୍ପର୍କରେ ଗେଡ଼ିଆପଲ୍ଲୀ ବିଦ୍ୟାଳୟର ବହୁ ସଂଖ୍ୟକ ଅଭିଭାବକ ଏକତ୍ରିତ ହୋଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।

Advertisement

ଅଭିଯୋଗ ଅନୁଯାୟୀ, ଗତ ୧୦-୦୭-୨୦୨୬ ରିଖରେ ବିଦ୍ୟାଳୟର ଜିଲ୍ଲା କମିଟି ଗଠନ ପାଇଁ ବୈଠକ ଆହୂତ ହୋଇଥିଲା, ମାତ୍ର କୋରମ ଅଭାବରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ୧୪-୦୭-୨୦୨୬ (ମଙ୍ଗଳବାର) ଅପରାହ୍ନ ୨ ଟାରେ ପୁନର୍ବାର ବୈଠକ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନିର୍ଦ୍ଧାରିତ  ଦିନ ବିଭାଗୀୟ ଅଧିକାରୀ ବିଳମ୍ବରେ ପହଞ୍ଚି ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ନିଜ ମନମୁଖୀ ଶୈଳୀରେ କମିଟି ଗଠନ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହାକୁ ନେଇ ଉପସ୍ଥିତ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରୁ ଏବଂ ହଟ୍ଟଗୋଳ ପରିସ୍ଥିତି ସୃଷ୍ଟି ହେବାରୁ ବିଭାଗୀୟ ଅଧିକାରୀ ବୈଠକକୁ ସାମୟିକ ଭାବେ ବନ୍ଦ କରିଥିଲେ। ଏହା ଦେଖି ବହୁ ସଂଖ୍ୟକ ଅଭିଭାବକ ସେଠାରୁ ଚାଲିଯାଇଥିଲେ। ମାତ୍ର ଅଭିଭାବକମାନଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଅଧିକାରୀ ଜଣକ ଅଳ୍ପ କେତେକ ବ୍ୟକ୍ତିଙ୍କୁ ନେଇ ପୂର୍ବ ପ୍ରସ୍ତୁତ ଯୋଜନା ମୁତାବକ ବେନିୟମ ଭାବେ କମିଟି ଗଠନ କରିଥିବା ଅଭିଯୋଗ ହୋଇଛି।
ଜଣେ ଛାତ୍ର/ଛାତ୍ରୀଙ୍କ ଏକାଧିକ ଅଭିଭାବକଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରାଯାଇଛି। ପୂର୍ବରୁ କମିଟି ସଦସ୍ୟ ଥିବା ବ୍ୟକ୍ତିଙ୍କୁ ପୁନର୍ବାର ବେନିୟମ ଭାବେ ଚୟନ କରାଯାଇଛି। ବିଦ୍ୟାଳୟରେ ପଢୁନଥିବା ପିଲାଙ୍କ ଅଭିଭାବକମାନଙ୍କୁ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ କରାଯାଇଥିବା ଦର୍ଶାଯାଇଛି ।


ଏହି ମନମୁଖୀ ଚୟନ ପ୍ରକ୍ରିୟାକୁ ରଦ୍ଦ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି। ଏହା ସହିତ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ସ୍ୱଚ୍ଛ ଭାବେ ପୁନର୍ବାର ଶିକ୍ଷା କମିଟି ଗଠନ ପାଇଁ ଅନୁରୋଧ କରାଯାଇଛି। ଏହି ଦାବିପତ୍ରର ଏକ ନକଲ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ସଚିବ, ଜିଲ୍ଲା ଶିକ୍ଷା ଅଧିକାରୀ  ଏବଂ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ମଧ୍ୟ ଅବଗତି ଓ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *