ଓଡିଶା ରକ୍ତ କେନ୍ଦ୍ର ରେ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ
ନିଜ କର୍ତ୍ତବ୍ୟ କୁ ଭୁଲି ଯାଉଛନ୍ତି ସୁରକ୍ଷା କର୍ମୀ : ଆଚରଣ ରେ ସୁଧାର ଆଣନ୍ତୁ
ମୁଖ୍ୟ ଜ଼ିଲ୍ଲା ଚିକିତ୍ସା ଅଧିକାରୀ ଙ୍କୁ ଏ ସମ୍ପର୍କ ରେ ସ୍ମାରକ ପତ୍ର ପ୍ରଦାନ କରିବେ ସାମାଜିକ କର୍ମୀ
ଖୋର୍ଦ୍ଧା, ୧୧ ଜୁଲାଇ: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରରେ ଜଣେ ନିୟମିତ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ସହ ନିୟୋଜିତ ସୁରକ୍ଷାକର୍ମୀ ଦୁର୍ବ୍ୟବହାର କରିଥିବା ଅଭିଯୋଗକୁ ନେଇ ଶନିବାର ଚର୍ଚ୍ଚା ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ସ୍ୱେଚ୍ଛାକୃତ ରକ୍ତଦାତା ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ, ଅଭିଯୁକ୍ତ ସୁରକ୍ଷାକର୍ମୀଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି ଉଠିଛି।
ଅଭିଯୋଗ ଅନୁଯାୟୀ, ଖୋର୍ଦ୍ଧାର ନିୟମିତ ସ୍ୱେଚ୍ଛାକୃତ ରକ୍ତଦାତା ତଥା ସାମ୍ବାଦିକ ଦିଲ୍ଲୀପ କୁମାର ପଟ୍ଟନାୟକ ଜଣେ ପ୍ରସୂତୀଙ୍କ ପାଇଁ ଜରୁରୀ ରକ୍ତର ଆବଶ୍ୟକତା ଥିବା ଖବର ପାଇ ଶନିବାର ସ୍ୱଇଚ୍ଛାରେ ରକ୍ତଦାନ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ରକ୍ତକେନ୍ଦ୍ର କୁ ଯାଇଥିଲେ। ସେହି ସମୟରେ ତରବରିଆ ଭାବେ ଭିତରକୁ ପ୍ରବେଶ କରୁଥିବାବେଳେ ଅନ୍ୟମନସ୍କତା କାରଣରୁ ସେ ଜୋତା ଖୋଲିବାକୁ ଭୁଲିଯାଇଥିଲେ। ଏହାକୁ ନେଇ ସେଠାରେ ନିୟୋଜିତ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇବା ସହ କଥିତ ଭାବେ ଅସଦାଚରଣ କରିଥିଲେ ଏବଂ ତାଙ୍କ ସହ ଅପମାନଜନକ ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗକାରୀଙ୍କ କହିବା ଅନୁସାରେ, ସୁରକ୍ଷାକର୍ମୀଙ୍କ ବ୍ୟବହାର ଏପରି ଥିଲା ଯେପରି ସେ ଜଣେ ଅସାମାଜିକ ବ୍ୟକ୍ତି। ରକ୍ତଦାନ ଭଳି ଏକ ମାନବିକ ଓ ମହତ୍ କାର୍ଯ୍ୟରେ ସ୍ୱଇଚ୍ଛାରେ ସହଯୋଗ କରିବାକୁ ଯାଇଥିବା ଜଣେ ରକ୍ତଦାତାଙ୍କ ସହ ଏଭଳି ବ୍ୟବହାର ଅତ୍ୟନ୍ତ ଦୁଃଖଦ ଏବଂ ନିନ୍ଦନୀୟ ବୋଲି ସେ କହିଛନ୍ତି।

ଏହା ଗୋଟିଏ ମାତ୍ର ଅଭିଯୋଗ ନୁହେଁ ପ୍ରତ୍ୟେକ ଦିନ ଚାଲିଛି ସେମାନଙ୍କର ମନମୁଖୀ ଶାସନ, ଏପରିକି ନିଜ କର୍ତ୍ତବ୍ୟ କୁ ଭୁଲି ଯାଉଛନ୍ତି ସୁରକ୍ଷା କର୍ମୀ। ବିଗତ ଦିନରେ ମେଡିକାଲ କର୍ତ୍ତ୍ତୃପକ୍ଷ ଙ୍କୁ ଦୁଃବ୍ୟବହାର ନେଇ ଥାନା ରେ ଅଭିଯୋଗ ହୋଇଥିଲା। ଦୂର ଦୁରାନ୍ତ ରୁ ଆସୁଥିବା ବହୁ ଲୋକ ଏମାନଙ୍କର ଦୁର୍ବ୍ୟବହାର ଓ ଅପମାନଜନକ ଆଚରଣ ର ଶିକାର ହେଉଛନ୍ତି।ସେମାନେ ନିଜ ଆଚରଣ ରେ ସୁଧାର ଆଣନ୍ତୁ, ଆସୁଥିବା ରୋଗୀ ଓ ତାଙ୍କର ସହଯୋଗୀ ଙ୍କୁ ଉତ୍ତମ ବ୍ୟବହାର ପ୍ରଦାନ କରନ୍ତୁ ବୋଲି କହିଛନ୍ତି ବହୁ ସାମାଜିକ କର୍ମୀ।

ଘଟଣା ପରେ ଶ୍ରୀ ପଟ୍ଟନାୟକ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଏହା ସହିତ ଖୋର୍ଦ୍ଧା ଆଦର୍ଶ ଥାନାରେ ମଧ୍ୟ ସେ ଲିଖିତ ଅଭିଯୋଗ ଦାଖଲ କରିଥିଲେ।
ଅଭିଯୋଗ ପାଇବା ପରେ ପୁଲିସ ସମ୍ପୃକ୍ତ ସୁରକ୍ଷାକର୍ମୀଙ୍କୁ ଥାନାକୁ ଆଣି ପଚରାଉଚରା କରିଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ପୁଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ଏହିଘଟଣା ପରେ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସ୍ବେଛାକୃତ ରକ୍ତଦାନ କୁ ପ୍ରୋତ୍ସାହିତ କରିବା ପାଈଁ ସରକାର କୌଣସି ଠୋସ ପଦକ୍ଷେପ ନେଉନଥିବା ବେଳେ ରକ୍ତ ଦାତା ଉଚିତ ସନମାନ ଦେଉନାହାନ୍ତି କର୍ମଚାରୀ। ସେମାନଙ୍କ ମତରେ, ରକ୍ତଭଣ୍ଡାରକୁ ପ୍ରତିଦିନ ଅନେକ ସ୍ୱେଚ୍ଛାକୃତ ରକ୍ତଦାତା ଜୀବନ ବଞ୍ଚାଇବାର ଉଦ୍ଦେଶ୍ୟରେ ଆସିଥାନ୍ତି। ଏପରି ସମୟରେ ସେମାନଙ୍କ ସହ ମର୍ଯ୍ୟାଦାପୂର୍ଣ୍ଣ, ସୌଜନ୍ୟମୂଳକ ଓ ମାନବିକ ବ୍ୟବହାର କରାଯିବା ଉଚିତ। ଯଦି କୌଣସି ନିୟମ ଉଲ୍ଲଂଘନ ହୁଏ, ତେବେ ତାହାକୁ ଭଦ୍ର ଓ ଶାଳୀନ ଭାବରେ ବୁଝାଇ କୁହାଯାଇପାରେ। କିନ୍ତୁ ଦୁର୍ବ୍ୟବହାର କିମ୍ବା ଅପମାନଜନକ ଆଚରଣ କେବଳ ଜଣେ ରକ୍ତଦାତାଙ୍କୁ ନୁହେଁ, ବରଂ ସମଗ୍ର ସ୍ୱେଚ୍ଛାକୃତ ରକ୍ତଦାନ ଆନ୍ଦୋଳନକୁ ନିରୁତ୍ସାହିତ କରିପାରେ। ସମ୍ପୃକ୍ତ ରକ୍ତଦାତା କହିଛନ୍ତି ଯେ, ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ ଏବଂ ରକ୍ତଦାନ ପାଇଁ ଆସୁଥିବା ପ୍ରତ୍ୟେକ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ସମ୍ମାନ ଓ ସୌଜନ୍ୟର ସହ ବ୍ୟବହାର କରାଯାଏ, ସେଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ଦାବି କରିବା ସହ ମୁଖ୍ୟ ଜ଼ିଲ୍ଲା ଚିକିତ୍ସା ଅଧିକାରୀ ଙ୍କୁ ଏ ପରି ବ୍ୟବସ୍ଥା ରେ ସୁଧାର ଆଣିବା, ସେମାନଙ୍କର ପୋଲିସ ଭେରିଫିକେସନ, ଶିକ୍ଷା ଗତ ଯୋଗ୍ୟତା ପତ୍ର ଯାଞ୍ଚ କରିବା ସମ୍ପର୍କ ରେ ସ୍ମାରକ ପତ୍ର ପ୍ରଦାନ କରିବେ ବିଭିନ୍ନ ସାମାଜିକ କର୍ମୀ ବୋଲି କହିଛନ୍ତି ।
Subha Khabar is now on Whatsapp
Join and get latest news update delivered to you via whatsapp
Join Now
