ସରକାରଙ୍କ ଠିକାଦାର ମାରଣ ନୀତି କୁ ନେଇ ବଢୁଛି ଅସନ୍ତୋଷ

୩୩ ପ୍ରତିଶତ କମ୍ ଦରରେ ଟେଣ୍ଡରକୁ ନେଇ ବଢ଼ୁଛି ବିବାଦ

ଗୁଣବତ୍ତା, ପରିମାଣ ଓ ସ୍ଥାୟୀତ୍ୱକୁ ନେଇ ଉଠିଲା ପ୍ରଶ୍ନ; ତଦାରଖକାରୀ ଯନ୍ତ୍ରୀଙ୍କ ଭୂମିକା ଉପରେ ସନ୍ଦେହ, ପୁନଃ ଟେଣ୍ଡର ଦାବି

ଖୋର୍ଦ୍ଧା, ଜୁଲାଇ ୧୦ :ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଓ ବେଗୁନିଆ ବ୍ଲକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ହେବାକୁ ଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟାକୁ ନେଇ ବର୍ତ୍ତମାନ ବ୍ୟାପକ ଚର୍ଚ୍ଚା ସୃଷ୍ଟି ହୋଇଛି। ସରକାରୀ ଆକଳନ ମୂଲ୍ୟଠାରୁ ପ୍ରାୟ ୩୩ ପ୍ରତିଶତ କମ୍ ଦରରେ କେତେକ କାର୍ଯ୍ୟ ପାଇଁ ଟେଣ୍ଡର ଚୂଡ଼ାନ୍ତ ହୋଇଥିବା ସୂଚନା ପରେ ନିର୍ମାଣ କାର୍ଯ୍ୟର ଗୁଣବତ୍ତା, ପରିମାଣତ୍ମକ ମାନ, ସ୍ଥାୟୀତ୍ୱ ଏବଂ ସରକାରୀ ଅର୍ଥର ସଠିକ୍ ବ୍ୟବହାରକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଗୁରୁତର ପ୍ରଶ୍ନ ଉଠିଛି।

Advertisement

ଏହାକୁ କେନ୍ଦ୍ର କରି ସ୍ଥାନୀୟ ଠିକାଦାର ସଂଘ, ବୁଦ୍ଧିଜୀବୀ, ସାମାଜିକ ସଂଗଠନ ଓ ଜନ ପ୍ରତିନିଧିଙ୍କ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ବୋଲଗଡ଼ ଓ ବେଗୁନିଆ ବ୍ଲକକୁ ଜିଲ୍ଲାର ଅପେକ୍ଷାକୃତ ପଛୁଆ ଅଞ୍ଚଳ ଭାବେ ଧରାଯାଏ। ଏଠାରେ ରାସ୍ତା, କୋଠାଘର, କଲଭର୍ଟ, ପାନୀୟଜଳ, ସମୁଦାୟ କେନ୍ଦ୍ର ଓ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ପ୍ରକଳ୍ପ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ସରକାରୀ ଆକଳନ ଠାରୁ ଏତେ ବଡ଼ ପରିମାଣରେ କମ୍ ଦରରେ କାର୍ଯ୍ୟ କରିବା ପାଇଁ ଟେଣ୍ଡର ନେଇଥିବା ଠିକାଦାରମାନେ ପ୍ରକୃତରେ ନିର୍ଦ୍ଧାରିତ ଗୁଣବତ୍ତା ରକ୍ଷା କରିପାରିବେ କି ନାହିଁ, ତାହା ଏବେ ପ୍ରମୁଖ ପ୍ରଶ୍ନ ହୋଇ ଉଭା ହୋଇଛି।


ସ୍ଥାନୀୟ ଠିକାଦାର ମାନଙ୍କ କହିବା ଅନୁଯାୟୀ, ସରକାରୀ ଆକଳନରେ ଶ୍ରମିକ ମଜୁରି, ସିମେଣ୍ଟ, ଲୁହା, ପଥର, ବାଲି, ପରିବହନ ଖର୍ଚ୍ଚ, ଜି.ଏସ.ଟି ଓ ଅନ୍ୟାନ୍ୟ ବ୍ୟୟକୁ ବିଚାରକୁ ନିଆଯାଇଥାଏ। ତେବେ ୩୩ ପ୍ରତିଶତ କମ୍ ଦରରେ କାମ କରିବାକୁ ଗଲେ କୌଣସି ନା କୌଣସି କ୍ଷେତ୍ରରେ ଖର୍ଚ୍ଚ କମାଇବାକୁ ପଡ଼ିବ। ସେହି ଖର୍ଚ୍ଚ କମିବ କେଉଁଠି? ନିମ୍ନମାନର ସାମଗ୍ରୀ ବ୍ୟବହାର ହେବ କି? କାର୍ଯ୍ୟର ପରିମାଣ କମାଯିବ କି? କିମ୍ବା ପ୍ରକଳ୍ପର ସ୍ଥାୟୀତ୍ୱ ସହ ସାଲିସ କରାଯିବ? ଏଭଳି ଅନେକ ପ୍ରଶ୍ନ ଏବେ ଜନସାଧାରଣଙ୍କ ମନରେ ସୃଷ୍ଟି ହୋଇଛି।


ଅନ୍ୟପକ୍ଷରେ, ବିଭାଗୀୟ ଯନ୍ତ୍ରୀ ଓ ତଦାରଖକାରୀ ଅଧିକାରୀଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ନିର୍ମାଣ କାର୍ଯ୍ୟ ସମୟରେ ଡିଜାଇନ୍, ପରିମାଣ ଓ ଗୁଣବତ୍ତା ଯାଞ୍ଚ କରିବାର ଦାୟିତ୍ୱ ବିଭାଗୀୟ ଯନ୍ତ୍ରୀଙ୍କ ଉପରେ ରହିଥାଏ। ଯଦି ଠିକାଦାର କମ୍ ଦରରେ କାମ କରିବେ, ତେବେ ପ୍ରତ୍ୟେକ ପର୍ଯ୍ୟାୟରେ ଯଥେଷ୍ଟ ତଦାରଖ ହେବ କି? ନା କାଗଜପତ୍ରରେ ସବୁକିଛି ସୀମିତ ରହିଯିବ? ଏହି ପ୍ରଶ୍ନ ମଧ୍ୟ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନନୁଯାୟୀ , ପୂର୍ବରୁ ସରକାରୀ ନିୟମ ଅନୁସାରେ ସର୍ବାଧିକ ୧୪.୯୯ ପ୍ରତିଶତ କମ୍ ଦରରେ ଟେଣ୍ଡର ଦାଖଲ କରିବା ସାଧାରଣ ଘଟଣା ଥିଲା। ମାତ୍ର ୨୦୨୬ ଜାନୁଆରୀରେ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ‘ ଆମେଣ୍ଡମେଣ୍ଟ ଅଫ କୋଡାଲ ଆଣ୍ଡ କଣ୍ଟ୍ରାକ୍ଟଚୁଆଲ ପ୍ରଭିଜନ ‘ ସମ୍ବନ୍ଧୀୟ ପତ୍ର ସଂଖ୍ୟା–୧୭୩ ପରେ ନୂତନ ବ୍ୟବସ୍ଥା ଲାଗୁ ହୋଇଥିଲା। ଏହି ସଂଶୋଧିତ ନିୟମ ଅନୁଯାୟୀ, ୧୫ ପ୍ରତିଶତରୁ ଅଧିକ କମ୍ ଦରର ଟେଣ୍ଡରକୁ ‘ଅବନର୍ମାଲ ବିଡ୍’ ଭାବେ ବିବେଚନା କରାଯିବ। ଏପରି କ୍ଷେତ୍ରରେ ସମ୍ପୃକ୍ତ ଠିକାଦାରଙ୍କ ଠାରୁ କାରଣ ଦର୍ଶାଇବାକୁ କୁହାଯିବ, ସେମାନଙ୍କ ଯୁକ୍ତିକୁ ବୈଷୟିକ କମିଟି ଯାଞ୍ଚ କରିବ ଏବଂ ଆବଶ୍ୟକ ହେଲେ ଅତିରିକ୍ତ ପରଫର୍ମାନ୍ସ ସିକ୍ୟୁରିଟି ଗ୍ରହଣ କରାଯିବା ସହ ସକ୍ଷମ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ଅନୁମୋଦନ ନିଆଯିବାର ବ୍ୟବସ୍ଥା ରହିଛି।


ତେବେ ପ୍ରଶ୍ନ ଉଠୁଛି, ବୋଲଗଡ଼ ଓ ବେଗୁନିଆ ବ୍ଲକର ଏହି କାର୍ଯ୍ୟଗୁଡ଼ିକରେ ୩୩ ପ୍ରତିଶତ କମ୍ ଦରରେ ଟେଣ୍ଡର ଚୂଡ଼ାନ୍ତ କରିବା ପୂର୍ବରୁ ସମସ୍ତ ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରାଯିବ ତ ? ସମ୍ପୃକ୍ତ ବିଡରମାନଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯିବ କତ ? ସେମାନଙ୍କ ବ୍ୟାଖ୍ୟାକୁ ବୈଷୟିକ କମିଟି ବିସ୍ତୃତ ଭାବେ ଯାଞ୍ଚ କରିଛି କି? ଅତିରିକ୍ତ ପରଫର୍ମାନ୍ସ ସିକ୍ୟୁରିଟି ନିଆଯିବ କି? ଏବଂ ସକ୍ଷମ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ ହିଁ ଟେଣ୍ଡର ଚୂଡ଼ାନ୍ତ କରାଯିବାର ବ୍ୟବସ୍ଥା ଅଛି।ଏସବୁ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।


ଏହି ଘଟଣାକୁ ନେଇ ସ୍ଥାନୀୟ ଠିକାଦାର ସଂଘର କେତେକ ସଦସ୍ୟଙ୍କ ଅଭିଯୋଗ ହେଉଛି, ଅତ୍ୟଧିକ କମ୍ ଦରରେ ଟେଣ୍ଡର ହେବା ଫଳରେ ସ୍ଥାନୀୟ ଲାଇସେନ୍ସପ୍ରାପ୍ତ ଠିକାଦାରମାନେ ପ୍ରତିଯୋଗିତାରୁ ବାଦ୍ ପଡ଼ୁଛନ୍ତି। ଫଳରେ ସ୍ଥାନୀୟ ଯୁବକଙ୍କ ରୋଜଗାର ସୁଯୋଗ ହ୍ରାସ ପାଉଥିବାବେଳେ ବାହାର ଅଞ୍ଚଳର ଠିକାଦାରମାନେ ଲାଭ ଖୋର ମନବୃତି ରେ ନିମ୍ନ ମାନର କାମ କରି ଚାଲିଯାଉଛନ୍ତି। କାହିଁକି ରହିବ ତାଙ୍କର ଅଞ୍ଚଳ ପ୍ରୀତି।ଏହାର ପ୍ରଭାବ ସ୍ଥାନୀୟ ଅର୍ଥନୀତି ଉପରେ ମଧ୍ୟ ପଡ଼ୁଥିବା ସେମାନେ ଅଭିଯୋଗ କରିଛନ୍ତି।

ବିଶେଷଜ୍ଞ ଙ୍କ ମତରେ, ସରକାରୀ ଟେଣ୍ଡରରେ କମ୍ ଦର ଦେବା ନିଜେ ଅନିୟମିତତା ନୁହେଁ। କିନ୍ତୁ ଅସ୍ୱାଭାବିକ ଭାବେ କମ୍ ଦର ହେଲେ ତାହାର ବ୍ୟବହାରିକତା, ଆର୍ଥିକ ସମ୍ଭାବ୍ୟତା ଓ ଗୁଣବତ୍ତା ରକ୍ଷାର କ୍ଷମତାକୁ ଗୁରୁତ୍ୱ ସହ ବିଚାର କରିବା ଆବଶ୍ୟକ। ନଚେତ୍ ନିର୍ମାଣ କାର୍ଯ୍ୟ ସ୍ୱଳ୍ପ ସମୟ ମଧ୍ୟରେ କ୍ଷତିଗ୍ରସ୍ତ ହେବା ସହ ସରକାରୀ ଅର୍ଥର ଅପଚୟ ଘଟିପାରେ।


ଏପରିସ୍ଥିତିରେ ସ୍ଥାନୀୟ ଠିକାଦାର ସଂଘ, ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ସମ୍ପୃକ୍ତ ଟେଣ୍ଡରଗୁଡ଼ିକର ସ୍ୱଚ୍ଛ ଓ ନିରପେକ୍ଷ ସମୀକ୍ଷା କରିବା, ନିୟମ ପାଳନର ସମସ୍ତ ଦଲିଲ ସାର୍ବଜନୀନ କରିବା, ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ସ୍ୱାଧୀନ ବୈଷୟିକ ଯାଞ୍ଚ କରିବା ଏବଂ  ପୁନର୍ବାର ଟେଣ୍ଡର ଆହ୍ୱାନ କରିବାକୁ ଦାବି କରିଛନ୍ତି।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *