ମୁକ୍ତ ଓ ଅବାଧ ନିର୍ବାଚନ ପ୍ରହସନ ରେ ପରିଣତ : ବିଜେଡ଼ି

ବିଜେପିକୁ ଜିତାଇବା ପାଇଁ କାମ କରୁଥୁଲା ପ୍ରଶାସନ

୯୦%ରୁ ଅଧ‌ିକ ଭୋଟିଂ ହୋଇଥୁବା ବୁଥ ସିସିଟିଭି ଫୁଟେଜ ଦାବି କଲା ବିଜେଡି

୪୧ ବୁଥ୍‌ରେ ୯୧% ଭୋଟିଂ ହେଲା କେମିତି : ବିଜେଡି

ଭୁବନେଶ୍ୱର, (୧୩/୧୧): – ନୂଆପଡା ଉପନିର୍ବାଚନ ଫଳ ଶୁକ୍ରବାର ପ୍ରକାଶ ପାଇବାକୁ ଥିବାବେଳେ ପ୍ରଶାସନିକ କଳର ଅପବ୍ୟବହାର କରି ବିଜେପି ଏହି ନିର୍ବାଚନକୁ ପ୍ରଭାବିତ କରିଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବରିଷ୍ଠ ସାଧାରଣ ସମ୍ପାଦକ ଡ଼ ଲେଖାଶ୍ରୀ ସାମନ୍ତସିଂହାର, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ବିଜେପି ଦ୍ଵାରା ପ୍ରଶାସନିକ କଳର ଅପବ୍ୟବହାର କରାଯାଇ ନିର୍ବାଚନକୁ ପ୍ରଭାବିତ କରାଯାଇଛି । ନିର୍ବାଚନ ଅଧିକାରୀଙ୍କ ମୁକ୍ତ ଓ ଅବାଧ ନିର୍ବାଚନ ଦାବି ଏକ ପ୍ରହସନରେ ପରିଣତ ହୋଇଛି ବୋଲି ଅଭିଯୋଗ କରିଥିଲେ । ନିର୍ବାଚନରେ ବିଜେପି ଦ୍ଵାରା ବିଭିନ୍ନ ଆଚରଣ ବିଧ‌ିର ଖୋଲା ଉଲ୍ଲଙ୍ଘନ ଓ ନିର୍ବାଚନ ସମୟରେ ଅନେକ ଅନିୟମିତତାର ଅଭିଯୋଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ନାରେ ଦାଖଲ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା



ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ନିର୍ବାଚନ ସମୟରେ ସନ୍ଧ୍ୟା ୫ଟା ସୁଦ୍ଧା ୭୫% ଭୋଟିଂ ହୋଇଛି ବୋଲି ନିର୍ବାଚନ ଅଧିକାରୀଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହା ବୃଦ୍ଧି ପାଇ ୮୩.୫% ଭୋଟିଂ ହୋଇଛି ବୋଲି ସୂଚନା ଦିଆଯାଇଥୁଲା । ଅଧୂକ ପ୍ରତିଶତ ଭୋଟ ହେବା ଗଣତନ୍ତ୍ର ପାଇଁ ଏକ ଶୁଭ ଲକ୍ଷଣ । କିନ୍ତୁ ଭୋଟିଂ ସମୟ ଶେଷ ହେବା ପରେ ଅର୍ଥାତ ସନ୍ଧ୍ୟା ୫ଟା ପରେ ପ୍ରାୟ ୮%ରୁ ଅଧିକ ଭୋଟ ପଡିବା ସନ୍ଦେହଜନକ। ଆହୁରି ପ୍ରାୟ ୪୧ଟି ବୁଥରେ ୯୧ ପ୍ରତିଶତରୁ ଅଧିକ ଭୋଟିଂହେବା, ଭୋଟ ରିଗିଙ୍ଗ ହୋଇଥିବା ସନ୍ଦେହ ସୃଷ୍ଟି କରିଛି । ନିର୍ବାଚନ ପ୍ରଚାର ଚାଲିଥିବା ସମୟରେ ବିଜେପି ପ୍ରତି ସରକାରୀ ଅଧିକାରୀ ମାନଙ୍କ ଅହେତୁକ ସହଯୋଗ ଦେଖୁବାକୁ ମିଳିଥିଲା । ସାଇଲେଣ୍ଟ ପିରିଅଡରେ ଭୋଟରଙ୍କ ବ୍ୟତୀତ ଅନ୍ୟ କେହି ଉପସ୍ଥିତ ରହିପାରିବେ ନାହିଁ ବୋଲି ନିୟମ ଥୁବାରୁ, ବିଧୂ ବ୍ୟବସ୍ଥାକୁ ସମ୍ମାନ ଜଣାଇ ବିଜୁ ଜନତା ଦଳର ସମସ୍ତ ନେତା ମାନେ ନୂଆପଡା ଛାଡି ଦେଇଥିଲେ । କିନ୍ତୁ ବିଜେପିର ଅନେକ ନେତା ସେଠାରେ ଉପସ୍ଥିତ ରହି ଭୋଟର ମାନଙ୍କୁ ପ୍ରଭାବିତ କରୁଥିଲେ । ଏହାର ଅଭିଯୋଗ ବିଧବଧ ଭାବେ ନିର୍ବାଚନ ଅଧିକାରୀଙ୍କ ପାଖରେ ରଖାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥୁଲା ।

ଡ଼ ଲେନିନ ମହାନ୍ତି କହିଥିଲେ, ଯେଉଁ ବୁଥ୍ ଗୁଡିକରେ ୯୦%ରୁ ଅଧୁକ ଭୋଟିଂ ହୋଇଛି, ସେଇ ବୁଥ୍ ଗୁଡିକର ସିସିଟିଭି ଫୁଟେଜ ଆମକୁ ପ୍ରଦାନ କରାଯାଉ । ସିସିଟିଭି ଫୁଟେଜ ହିଁ ପ୍ରମାଣ କରିବ ବାସ୍ତବରେ ଲୋକ ଭୋଟ ଦେଇଛନ୍ତି ନା ହେରଫେର ହୋଇଛି। ଇଭିଏମ ମେସିନ ଗୋଟିଏ ଘରୋଇ ଗାଡ଼ିରେ ବୁଲୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ମୁକ୍ତ ଓ ଅବାଧ ନିର୍ବାଚନ କରିବା ଉକ୍ତ ଏହି ଉପନିର୍ବାଚନରେ ପ୍ରହସନରେ ପରିଣତ ହୋଇଥିଲା। ପ୍ରାର୍ଥୀ ଚୋରି, ଭୋଟ ଚୋରି ପରେ ଏବେ ବୁଥ୍ ଚୋରି ଦେଖୁବାକୁ ମିଳିଲା ।

ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ଜିତିବା ବିଜେପି ପକ୍ଷରେ ସମ୍ଭବ ନୁହେଁ ବୋଲି ଜାଣି ବିଜେପି ପ୍ରଶାସନିକ କଳର ଅପବ୍ୟବହାର କରି ନିର୍ବାଚନ ଜିତିବାକୁ ଉଦ୍ୟମ କରି ଆସୁଛି । ୯୦ ପ୍ରତିଶତ ଭୋଟିଂ ହେବା ଏକ ବିରଳ ଘଟଣା। ବିଶେଷକରି ଉପନିର୍ବାଚନରେ ଏପରି ହେବା ନିଶ୍ଚିତ ଭାବେ ସନ୍ଦେହ ସୃଷ୍ଟି କରିଛି । ଏହାଛଡା ସରକାରୀ ଅଧୁକାରୀ ମାନେ ବିଜେପିର ଏଜେଣ୍ଟ ସାଜି ବିଜେପିକୁ ଜିତାଇବା ପାଇଁ କାମ କରୁଥିଲେ । ବିଜୁ ଜନତା ଦଳ ଅନେକ ସମୟରେ ନିର୍ବାଚନ ପ୍ରଚାର ବେଳେ ଘଟୁଥିବା ଅନିୟମିତତାକୁ ନେଇ ଜିଲ୍ଲାର ଅଧିକାରୀ ମାନଙ୍କୁ ଭେଟି ସେମାନଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା । କିନ୍ତୁ ସେମାନଙ୍କ ଠାରୁ ବିଜେଡିକୁ କୌଣସି ସହଯୋଗ ମିଳୁ ନଥୁଲା । ଶେଷ ପର୍ଯ୍ୟାୟରେ ପୋଲିସ୍‌ର ତତ୍ବାବଧାନରେ ଟଙ୍କା ବଣ୍ଟା କାର୍ଯ୍ୟକ୍ରମ ଚାଲିଥିଲା । ବୁଥ୍ ଭିତରେ ବିଜେପି ତରଫରୁ କ୍ୟାମ୍ପେନ କରାଯାଉଥିଲା । ବିଜେଡି ତରଫରୁ ଏହାର ଅଭିଯୋଗ ନିର୍ବାଚନ ଅଧିକାରୀଙ୍କ ପାଖରେ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ତେଣୁ ସମସ୍ତ କଥାକୁ ଅନୁଶୀଳନ କଲେ ସ୍ପଷ୍ଟ ହୁଏ ଯେ, ସରକାରୀ କଳର ଅପବ୍ୟବହାର କରି ବିଜେପି ଦେଶର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛି ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *