ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ଭୁବନେଶ୍ୱର,  ୨୩/୦୭:- ବିଭିନ୍ନ କ୍ଷେତ୍ରରେ ଅସାଧାରଣ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିଙ୍କୁ ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ ପାଟି ସମ୍ବର୍ଦ୍ଧିତ କରିଛନ୍ତି l  ଚଳିତ ଜୁଲାଇ ୨୩ ତାରିଖ ଦିନ ରାଜଭବନରେ ନ୍ୟୁ ଅଭିଷେକ ହଲ୍ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ବିଜେତା, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା, ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ବିଜେତା ଏବଂ ୨୦୨୪ ମସିହା ଇଣ୍ଡିଆନ୍ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ରାଜ୍ୟର କୃତୀ ପ୍ରତିଭା ତଥା ସେମାନଙ୍କ ଗର୍ବିତ ପିତାମାତାଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ରାଜ୍ୟର  ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମ୍ ପାଟି ଏହି ସମାରୋହରେ ଉପସ୍ଥିତ ଥିଲେ । ରାଜ୍ୟପାଳଙ୍କ କମିଶନର- ତଥା- ଶାସନ ସଚିବ ରୂପା ରୋଶନ ସାହୁଙ୍କ ସମେତ ରାଜଭବନର ଅଧିକାରୀ ଓ କର୍ମଚାରୀ ମଧ୍ୟ ଏହି ସମାରୋହରେ  ଉପସ୍ଥିତ ଥିଲେ ।

ସମାବେଶକୁ ସମ୍ବୋଧନ କରି ରାଜ୍ୟପାଳ କହିଥିଲେ ଯେ  “ଏହା କେବଳ ଏକ ସମ୍ବର୍ଦ୍ଧନା ଉତ୍ସବ ନୁହେଁ, ଏହା କଠିନ ପରିଶ୍ରମ, ଉତ୍କର୍ଷତା, ଶୃଙ୍ଖଳା, ସୃଜନଶୀଳତା ଏବଂ ଜାତୀୟ ଗର୍ବ ଭଳି ମୂଲ୍ୟବୋଧର ଉତ୍ସବ” । ପଦ୍ମଶ୍ରୀ ବିଜେତାମାନଙ୍କୁ ରାଜ୍ୟପାଳ ଅଭିନନ୍ଦନ ଜଣାଇ ସେମାନଙ୍କର ଜୀବନବ୍ୟାପୀ ପ୍ରତିବଦ୍ଧତାକୁ ପ୍ରଶଂସା କରିବା ସହ ଏହା ରାଜ୍ୟ ପାଇଁ ଅପାର ଗର୍ବ ଆଣିଛି ବୋଲି କହିଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତାମାନଙ୍କୁ ସେମାନଙ୍କର ସାହିତ୍ୟିକ ପ୍ରତିଭା ପାଇଁ ରାଜ୍ୟପାଳ ପ୍ରଶଂସା କରିଥିଲେ ଏବଂ ସେମାନଙ୍କର ଅବଦାନ ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରି ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ ।

ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଉତ୍କର୍ଷତା ହାସଲ କରିଥିବା କ୍ରୀଡ଼ାବିତଙ୍କ ସଫଳତାକୁ ଶୃଙ୍ଖଳା ଏବଂ ଦେଶପ୍ରେମର ପ୍ରତୀକ ଭାବେ ଅଭିହିତ କରି ସେମାନଙ୍କର ସଫଳତା ଓଡିଶାକୁ ବିଶ୍ୱ କ୍ରୀଡା ମାନଚିତ୍ରରେ ସ୍ଥାନିତ କରିଛି ବୋଲି ରାଜ୍ୟପାଳ କହିଥିଲେ ।

ଓଡିଶାରୁ ଇଣ୍ଡିଆନ୍ ସିଭିଲ୍ ସର୍ଭିସ୍ ପରୀକ୍ଷା- ୨୦୨୪ରେ କୃତିତ୍ୱ ହାସଲ କରିଥିବା ପରୀକ୍ଷାର୍ଥୀଙ୍କୁ ରାଜ୍ୟପାଳ ଅଭିନନ୍ଦନ ଜଣାଇ ଭାରତର ସବୁଠାରୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ସେମାନଙ୍କର ଉତ୍ସର୍ଗ ଓ ଦୃଢ଼ତାକୁ ପ୍ରଶଂସା କରିଥିଲେ । ସବୁବେଳେ ସଚ୍ଚୋଟତା ଓ ନମ୍ରତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ । ସେମାନଙ୍କୁ ସେବାମୂଖୀ ରହିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇ କାର୍ଯ୍ୟ ମାଧ୍ୟମରେ ଧାଡ଼ିର ଶେଷ ବ୍ୟକ୍ତିଙ୍କ ଆବଶ୍ୟକତା ପ୍ରତି ସମ୍ବେଦନଶୀଳତାକୁ ପ୍ରତିଫଳିତ କରନ୍ତୁ ଏବଂ ନିଷ୍ପତ୍ତି ଆମ ସମ୍ବିଧାନରେ ଲିଖିତ ନୀତି ଦ୍ୱାରା ପରିଚାଳିତ ହେଉ ବୋଲି କହିଥିଲେ ।

ଏମାନଙ୍କ ସଫଳତା ପଛରେ ପିତାମାତାଙ୍କ ଦ୍ୱାରା ନିର୍ବାହ କରାଯାଇଥିବା ଅମୁଲ୍ୟ ଭୂମିକାକୁ ମଧ୍ୟ ରାଜ୍ୟପାଳ ସ୍ୱୀକାର କରିଥିଲେ ଏବଂ ସେମାନଙ୍କର ନୀରବ ତ୍ୟାଗ, ସମର୍ଥନ ଏବଂ ନୈତିକ ଶକ୍ତି ଏହି ଯୁବ କୃତିତ୍ୱ ହାସଲକାରୀଙ୍କ ସ୍ୱପ୍ନ ନିର୍ମାଣ କରିବାର ମୂଳଦୁଆ ହୋଇଛି ବୋଲି କହିଥିଲେ । ବିଭିନ୍ନ ବର୍ଗର କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷ ସେମାନଙ୍କର ପ୍ରେରଣାଦାୟକ ଅଭିଜ୍ଞତା ବାଣ୍ଟିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷିତ ହୋଇଥିଲା ।

Advertisement

Subha Khabar is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *